କମଳାକାନ୍ତ ପତି
ଲଗାତର ଚତୁର୍ଥଥର କ୍ଷମତାସୀନ ହେବାକୁ ଉଦ୍ୟମ କରୁଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସକାଶେ ବିଜୟ ଏତେ ସହଜ ନୁହେଁ ବୋଲି ପୂର୍ବାନୁମାନ କଲାଣି ପାଟନାର ରାଜନୈତିକ ମହଲ। ଅକ୍ଟୋବର ୨୮ ପ୍ରଥମ ପର୍ଯ୍ୟାୟ ଭୋଟ ପ୍ରତିଶତକୁ ଦେଖି ଏଭଳି ଆଶଙ୍କା ପ୍ରକାଶ ପାଇଲାଣି। ତେବେ କ’ଣ ଏଥର ବିହାରବାସୀ ପରିବର୍ତ୍ତନ ପାଇଁ ମନ ବଳାଇଛନ୍ତି?
ପରିବର୍ତ୍ତନର ଇଙ୍ଗିତ ଦେଉଛି ଭୋଟ୍ ଶତାଂଶ
ବିହାର ବିଧାନସଭାର ୨୪୩ ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନରେ ବୁଧବାର (୨୮ ଅକ୍ଟୋବର)ମତଦାନ ଶେଷ ହୋଇଛି। ୧୦୬୬ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ଇଭିଏମରେ ବନ୍ଦ ହୋଇଯାଇଛି। ଅତିମାରୀ କରୋନା କାଳରେ କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହେଲା କୌଣସି ରାଜ୍ୟର ନିର୍ବାଚନ। କରୋନା କଟକଣା ସତ୍ତ୍ଵେ ୫୪ ପ୍ରତିଶତରୁ ଅଧିକ ଭୋଟର ବୁଥ୍କୁ ଆସି ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କଲେ। ଅବଶ୍ୟ ଏଥିପାଇଁ ସମସ୍ତ ଶ୍ରେୟ ଯିବ ନିର୍ବାଚନ କମିଶନଙ୍କ ନିକଟକୁ। ବିହାର ଭଳି ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଆଉ ଏକ ନଜିର ସୃଷ୍ଟି କଲା ବୋଲି କୁହାଯିବ। ୨୦୧୫ ଭୋଟ୍ ତୁଳନାରେ ସମ୍ପୃକ୍ତ ଅଞ୍ଚଳରେ ଏକ ପ୍ରତିଶତରୁ କମ୍ (୨୦୧୫ରେ ୫୪.୭୫ ପ୍ରତିଶତ) ମତଦାନକୁ ବିଶେଷଜ୍ଞ ମହଲ ଦୁଇ ପ୍ରକାର ଅର୍ଥରେ ଦେଖୁଛନ୍ତି।
କରୋନା କଟକଣା ଯୋଗୁ ମତଦାନ ହ୍ରାସ ପାଇଛି ବୋଲି ଗୋଟିଏ ଅଂଶ ବିବେଚନା କରୁଛି। ଆଉ ଏକ ଅଂଶର ମତ ପ୍ରଥମ ପର୍ଯ୍ୟାୟ ମତଦାନରେ ଭୋଟରଙ୍କ ଉତ୍ସାହର ଆଭାସ ମିଳିଛି। ୨୦୧୫ରେ ସ୍ଵାଭାବିକ ପରିସ୍ଥିତିରେ ଯଦି ୫୪.୭୫ ପ୍ରତିଶତ ଭୋଟ୍ ହୋଇଥିଲା, ଏଥର କରୋନା କାଳରେ ନାନାଦି କଟକଣା ସତ୍ତ୍ୱେ ୫୪.୧ ପ୍ରତିଶତ ଭୋଟର ବୁଥ୍କୁ ଆସି ଭୋଟ୍ ଦେବା କିଛି କମ୍ କଥା ନୁହେଁ। ମାତ୍ର ଏ.ଏନ୍. ସିହ୍ନା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ଷ୍ଟଡିଜର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଡିଏମ୍ ଦ୍ଵାରିକାଙ୍କର ମତକୁ ଯଦି ବିଚାରକୁ ନିଆଯାଏ, ତେବେ ତାଙ୍କ ମତରେ ସ୍ୱଳ୍ପ ପ୍ରତିଶତ ମତଦାନ ଏକ ପରିବର୍ତ୍ତନର ଆଭାସ ଦେଉଛି।
ପରିବର୍ତ୍ତନର ଆଶଙ୍କା କାହିଁକି?
ଏଥର ତିନୋଟି ପର୍ଯ୍ୟାୟରେ ହେଉଛି ବିହାର ନିର୍ବାଚନ। ଦ୍ଵିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଭୋଟ୍ ନଭେମ୍ବର ୩ ଏଂ ୯ରେ ଅନୁଷ୍ଠିତ ହେବ। ଏଥର ନିର୍ବାଚନରେ ଲଢ଼େଇ ମୁଖ୍ୟତଃ ଆରଜେଡି-କଂଗ୍ରେସ-ବାମ ମହାମେଣ୍ଟ ବନାମ ଜେଡିୟୁ ବିଜେପି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମଧ୍ୟରେ ହେଉଛି। ଏକାକୀ ଲଢୁଛି ଏଲ୍ଜେପି। ଭୋଟ୍ ମଇଦାନରେ ଆରଏଲଏସପି–ବିଏସପି ଓ ଅନ୍ୟ କେତୋଟି ଦଳର ମେଣ୍ଟ ପ୍ରାର୍ଥୀ ରହିଥିଲେ ମଧ୍ୟ ସେମାନଙ୍କର ସମ୍ଭାବନା ଗୌଣ। ମୁଖ୍ୟମନ୍ତ୍ରୀ ନୀତୀଶ ବିହାରରେ ଏନଡିଏର ନେତୃତ୍ଵ ନେଇ ନିର୍ବାଚନ ଲଢୁଛନ୍ତି। ତାଙ୍କ ପଛରେ ବିଜେପିର ସମର୍ଥନ, ଖୋଦ୍ ପ୍ରଧାନମନ୍ତ୍ରୀ ମୋଦିଙ୍କର ଆଶୀର୍ବାଦ ରହିଛି। ବିହାରରେ ନୀତୀଶଙ୍କ ଶାସନକାଳରେ ଜଙ୍ଗଲରାଜର ଅବସାନ ଘଟିଛି ବୋଲି ଦାବି କରାଯାଉଛି। ତେବେ ଭୋଟ୍ ପ୍ରତିଶତ ହ୍ରାସକୁ ଅନିଷା କରି କେତେକ ବିଶେଷଜ୍ଞ ପରିବର୍ତ୍ତନର ଆଶଙ୍କା କରୁଛନ୍ତି କାହିଁକି? ଅବଶ୍ୟ ଏହା ପଛରେ ରାଜନୈତିକ ଯୁକ୍ତି ଅନେକ ରହିଛି।
ବେକାରୀ, ପ୍ରତାରଣା, ଉଦାସୀନତା କାରଣ
ରାଜ୍ୟର ଶିକ୍ଷିତ ବେକାରମାନେ ପ୍ରଶ୍ନ କରୁଛନ୍ତି -୧୫ ବର୍ଷରେ ଚାକିରି କାହିଁ? ପ୍ରବାସୀ ଶ୍ରମିକମାନେ ପ୍ରଶ୍ନ କରୁଛନ୍ତି ଲକଡାଉନ୍ ବେଳେ ରାଜ୍ୟକୁ ଫେରୁଥିବା ବେଳେ ତାଙ୍କୁ ପ୍ରବେଶ ଅନୁମତି କାହିଁକି ଦେଇନଥିଲେ ନୀତୀଶ କୁମାର? ଯାଦବ ସମାଜର ପ୍ରଶ୍ନ ୨୦୧୫ରେ ଆରଜେଡି–କଂଗ୍ରେସର ହାତ ଧରି ନୀତୀଶ ଭୋଟ୍ ଜିତି ମୁଖ୍ୟମନ୍ତ୍ରୀ ହୋଇଥିଲେ। ମଝିରାସ୍ତାରେ ହାତ ଛାଡ଼ି ବିଜେପି ସହ ମେଣ୍ଟ କରିନେଲେ କାହିଁକି? ଏହି ପ୍ରଶ୍ନ ପ୍ରଥମରୁ ଥିଲା। ଭୋଟ୍ ତାରିଖ ଘୋଷଣା ପରେ ଏଥିସହ ଯୋଡ଼ି ହୋଇଯାଇଛି। ପୁନର୍ବାର ଯାଦବ-ମୁସଲମାନ ଏକାଠି ହୋଇଯିବା, ଚିରାଗ ପାଶ୍ଵାନଙ୍କ କ୍ରମାଗତ ଆକ୍ରମଣ, ସର୍ବୋପରି ନୀତୀଶଙ୍କ ଜେଡିୟୁ ସହ ବିଜେପିର ନିଃଶବ୍ଦ ଦୂରତ୍ଵ ସୃଷ୍ଟି। ଗତ ପାଞ୍ଚବର୍ଷରେ ନୀତୀଶଙ୍କ ସାତ ଦଫା ପ୍ରତିଶ୍ରୁତି କେବଳ ପାଣିର ଗାର ହୋଇ ରହିଯାଇଛି ବୋଲି ଅନେକ ଅଭିଯୋଗ କରନ୍ତି।
ତନ୍ମଧ୍ୟରୁ ଗୋଟିଏ ହେଉଛି ଘରେ ଘରେ ପାଇପ୍ ଜଳ। ଏନେଇ କାମ ହୋଇଛି ଠିକ୍। ମାତ୍ର କେବଳ ଗ୍ରାମାଞ୍ଚଳର ମୁଖ୍ୟ ରାସ୍ତା ପାର୍ଶ୍ଵରେ ପାଇପ୍ ଲାଇନ୍ ବିଛାଯାଇଛି। ଖାତା କଲମରେ ରାଜ୍ୟର ଅଧିକାଂଶ ଘରକୁ ପାଇପ୍ ଜଳ ଯାଇଥିବା ଦେଖାଯାଉଛି। ସ୍ଵାସ୍ଥ୍ୟ, ଶିକ୍ଷା ଏବଂ ଶିକ୍ଷିତ ଯୁବ ସମାଜକୁ ଚାକିରି ନେଇ ପ୍ରଶ୍ନ ଉଠିଲେ ନୀତୀଶଙ୍କ ସମର୍ଥକଙ୍କ ମୁହଁରେ ତାଲା। ତେଜସ୍ଵୀ ଯାଦବଙ୍କ ଅଭିଯୋଗ ରାଜ୍ୟରେ ଏବେ ୪ରୁ ୫ ଲକ୍ଷ ସରକାରୀ ପଦବୀ ଶୂନ୍ୟ ପଡ଼ିଛି। ମାତ୍ର ନୀତୀଶ ସରକାର ଗତ ୫ ବର୍ଷ ମଧ୍ୟରେ କୌଣସି ସରକାରୀ ନିଯୁକ୍ତି ଦେଇ ନାହାନ୍ତି। ସରକାରୀ ଉଦାସୀନତା କାରଣରୁ ବନ୍ୟା ଓ କୋଭିଡ ରିଲିଫ୍ ଅର୍ଥ ପ୍ରଦାନରେ ଶିଥିଳତା ଦେଖାଦେଇଛି। ଏହାକୁ ନେଇ ବିହାରୀ ଜନତାଙ୍କର କ୍ଷୋଭ।
ସରକାର ବିରୋଧୀ ହାୱାକୁ ନଜର
ବିହାରରେ କ’ଣ ନୀତୀଶ ସରକାର ବିରୋଧୀ ହାୱା ଦେଖିବାକୁ ମିଳୁଛ? ଆରଜେଡି ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ଵୀ ଯାଦବଙ୍କ ନଜର ରହିଛି ସରକାର ବିରୋଧୀ ଜନମତ ଉପରେ। ଆରଜେଡିର ହୃତ ଛବି ଫେରାଇ ଆଣିବାକୁ ଲାଲୁଙ୍କ ପୁତ୍ର ଏଥର କମର କଷିଛନ୍ତି। ତାଙ୍କ ଜନସଭାରେ ଲୋକଙ୍କ ଭିଡ଼କୁ ଦେଖି ସେ ଉତ୍ସାହିତ। ନୀତୀଶଙ୍କ ମୁଖ୍ୟ ବିରୋଧୀ ଲାଲୁପ୍ରସାଦ ଏଥର ନିର୍ବାଚନୀ ମଇଦାନରେ ନାହାନ୍ତି। ଜେଲ୍ରେ ଥାଇ ଭୋଟ୍ ରଣକୌଶଳ ନିର୍ଦ୍ଧାରଣ କରୁଛନ୍ତି ଲାଲୁ। ଏହା ସତ୍ତ୍ଵେ ନୀତୀଶ ଆଶଙ୍କାରେ। କାରଣ ଲାଲୁ ପୁତ୍ର ତେଜସ୍ଵୀ ଏବଂ ରାମବିଳାସଙ୍କ ପୁତ୍ର ଚିରାଗ ଏଥର ତାଙ୍କ ପାଇଁ ବିପଦ। ରାଜନୈତିକ ମହଲ ଏକମାସ ପୂର୍ବରୁ ବିଶ୍ଵାସ କରୁଥିଲା, ନୀତୀଶ ଏଥର ଏକତରଫା ନିର୍ବାଚନ ଜିତିବେ। କିନ୍ତୁ ହଠାତ୍ ଜେଡିୟୁ ସମ୍ମୁଖରେ ବୃହତ୍ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛି ଆରଜେଡି –କଂଗ୍ରେସ ବା ମହାମେଣ୍ଟ। ଏହି ମହାମେଣ୍ଟର ଶକ୍ତି ଭାବେ ଛିଡ଼ା ହୋଇଛି ୧୭ ପ୍ରତିଶତ ମୁସଲିମ୍ ଏବଂ ୧୩ ପ୍ରତିଶତ ଯାଦବ ଭୋଟ୍। ନୀତୀଶଙ୍କୁ ଧକ୍କା ଦେବା ସକାଶେ ଆରେଜଡି ପଛରେ ରାଜପୁତ୍ ଭୋଟ୍ ମଧ୍ୟ ରହିଛି।
ନୀତୀଶଙ୍କ ଉପରେ ରାଜପୁତ୍ କ୍ଷୁବ୍ଧ
ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାକୁ କାର୍ଯ୍ୟରେ ଲଗାଇ ରାଜ୍ୟର ରାଜପୁତ ସମ୍ପ୍ରଦାୟ ଭୋଟ୍କୁ ନିଜ ସପକ୍ଷକୁ ନେବା ପାଇଁ ଭରପୁର ଉଦ୍ୟମ କରିଥିଲେ ନୀତୀଶ କୁମାର। କିନ୍ତୁ ସେହି ମୃତ୍ୟୁ ମାମଲା କ୍ରମେ ନିଷ୍ପତ୍ତି ହୋଇଯାଇଛି। ସୁତରାଂ ରାଜପୁତଙ୍କ କ୍ଷୋଭକୁ ଦୂର କରିବାରେ ଅସମର୍ଥ ନୀତୀଶ। ଏହି କ୍ଷୋଭର ମୂଳ କାରଣ ହେଉଛି ବିହାରକୁ ମଦମୁକ୍ତ ରାଜ୍ୟ ଘୋଷଣା ଏବଂ ବେଆଇନ୍ ବାଲି ଉତ୍ତୋଳନ ଉପରେ କଟକଣା। ଏହି ଦୁଇଟି ଅତ୍ୟନ୍ତ ଲାଭଜନକ ବ୍ୟବସାୟ। ମୁଖ୍ୟତଃ ରାଜପୁତମାନଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିଲା। ନୀତୀଶ କ୍ଷମତାକୁ ଆସି ଏହାକୁ ବନ୍ଦ କରି ଦେଇଥିବାରୁ ରାଜପୁତମାନେ ତାଙ୍କ ଉପରେ କ୍ଷୁବ୍ଧ। ତେଣୁ ସେମାନେ ଚାହୁଁଛନ୍ତି ନୀତୀଶ ହଟନ୍ତୁ। ଆରଜେଡିର ଦାବି ଉପରୋକ୍ତ ସମ୍ପ୍ରଦାୟଗୁଡ଼ିକର ମୋଟ୍ ୩୫ ପ୍ରତିଶତ ଭୋଟ୍ ମହାମେଣ୍ଟ ସପକ୍ଷରେ ରହିଛି। ଶିକ୍ଷିତ ବେକାର ଯୁବ ସମ୍ପ୍ରଦାୟ ନୀତୀଶଙ୍କ ଉପରେ ଅତ୍ୟନ୍ତ କ୍ଷୁବ୍ଧ ଥିବାରୁ ସେମାନଙ୍କ ସମର୍ଥନ ଆରଜେଡି ମେଣ୍ଟକୁ ମିଳିଗଲେ ନୀତୀଶ ହଟିବା ଥୟ।
ଚାରି ‘ମ’ ଉପରେ ନୀତୀଶଙ୍କ ଭରସା
ପରିସ୍ଥିତି ଅନୁକୂଳ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ ବୁଝିପାରୁଥିଲେ ମଧ୍ୟ ଚାରି ‘ମ’ ତାଙ୍କୁ ନିର୍ବାଚନୀ ବୈତରଣୀ ପାର କରାଇଦେବ ବୋଲି ସେ ଚିନ୍ତା କରୁଛନ୍ତି। ପ୍ରଥମ ‘ମ’ ହେଲା ‘ମହାଦଳିତ’ । ଏମାନେ ରାଜ୍ୟର ମୋଟ୍ ଭୋଟରଙ୍କ ସଂଖ୍ୟାର ୧୭ ଶତାଂଶ। ମହାଦଳିତମାନଙ୍କୁ ଆକର୍ଷିତ କରିବା ସକାଶେ ନୀତୀଶ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଜିତିନରାମ ମାନଝିଙ୍କୁ ଏନଡିଏରେ ସାମିଲ କରିଛନ୍ତି। ଦ୍ୱିତୀୟ ‘ମ’ ହେଲା ‘ମୋଷ୍ଟ ବ୍ୟାକୱାର୍ଡ କ୍ଲାସ୍’ ବା ଅତ୍ୟନ୍ତ ପଛୁଆବର୍ଗ। ୧୫ ବର୍ଷ ପୂର୍ବରୁ କ୍ଷମତାକୁ ଆସି ନୀତୀଶ ସେମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ତୃତୀୟ ‘ମ’ ହେଲା ‘ମହିଳା’। ପଞ୍ଚାୟତସ୍ତରରେ ମହିଳାଙ୍କ ସକାଶେ ୫୦ ପ୍ରତିଶତ ସଂରକ୍ଷଣ ଲାଗୁ କରି ଏବଂ ରାଜ୍ୟରେ ମଦକୁ ନିଷିଦ୍ଧ କରି ସେମାନଙ୍କର ସମର୍ଥନ ଲାଭ କରିଛନ୍ତି ନୀତୀଶ। ଚତୁର୍ଥ ‘ମ’ ହେଉଛନ୍ତି ‘ମୋଦୀ’। ଶେଷ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅସନ୍ତୁଷ୍ଟ ଭୋଟରମାନଙ୍କ ମନ ଜିତିପାରିବେ ଏବଂ ଏନଡିଏ ପୁନର୍ବାର କ୍ଷମତାସୀନ ହେବ ବୋଲି ଭାବି ନୀତୀଶ ନୈରାଶ୍ୟ ମଧ୍ୟରେ ଆଶାର ଆଲୋକ ଦେଖୁଛନ୍ତି।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)