ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ରଙ୍ଗମଞ୍ଚକୁ ପୁନଃକାର୍ଯ୍ୟକ୍ଷମ କରିବା ପାଇଁ ଓଡ଼ିଶା ନାଟ୍ୟ ସଙ୍ଘ ଅଣ୍ଟା ଭିଡ଼ିଛି। ୧୪୦ଟି ଥିଏଟର ଗ୍ରୁପକୁ ନେଇ ଗଠିତ ଏହି ସଙ୍ଘ ନିକଟରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ପତ୍ର ଲେଖି ଶୀଘ୍ର ରଙ୍ଗମଞ୍ଚ ଖୋଲିବା ପାଇଁ ଦାବି କରିଛି। ଏଥି ସହିତ ନାଟକ ଅଭ୍ୟାସ ପାଇଁ ମଧ୍ୟ ସଙ୍ଘ ଅନୁମତି ମାଗିଛି।

ପତ୍ରରେ ସଂଘର କର୍ମକର୍ତ୍ତା ଲେଖିଛନ୍ତି ଯେ ଗତ ୭ ମାସ ଧରି ରାଜ୍ୟରେ କୌଣସି ନାଟକ ପରିବେଷଣ କରାଯାଇନାହିଁ। ଏହା ଫଳରେ ଥିଏଟର ଉପରେ ନିର୍ଭର କରି ଚଳୁଥିବା କଳାକାରମାନେ ଘୋର ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି।

ସଂଘର ସଭାପତି ହରେନ ସାହୁ କହିଛନ୍ତି ଯେ, ଥିଏଟର ଆର୍ଟିଷ୍ଟ, ନିର୍ଦ୍ଦେଶକ, ଲେଖକ, ସଙ୍ଗୀତକାର, ଲାଇଟ ଡିଜାଇନର, କଷ୍ଟ୍ୟୁମ ଡିଜାଇନର ଓ ମେକଅପ ଆର୍ଟିଷ୍ଟ ସମସ୍ତେ ହାତ ବାନ୍ଧି ବସିଛନ୍ତି ଓ ଆୟ ନଥିବା ଯୋଗୁ ଅସୁବିଧାରେ ପଡ଼ିଛନ୍ତି। ଏଣୁ ଶୀଘ୍ର ରଙ୍ଗମଞ୍ଚ ଖୋଲାଯାଉ ଏବଂ ନାଟକ ପରିବେଷଣ ଆରମ୍ଭ ହେଉ ବୋଲି ସେ ଚିଠିରେ ଲେଖିଛନ୍ତି। କୋଭିଡ୍ ନିୟମାବଳୀକୁ ମାନି ନାଟକ ପରିବେଷଣ କରାଯିବ ବୋଲି ମଧ୍ୟ ସେମାନେ ମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Comment