ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶର ହାଥରସରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ଆଜି ଏସ୍ଆଇଟି ନିଜର ତଦନ୍ତ ରିପୋର୍ଟ ପ୍ରଦାନ କରିଛି। ଉତ୍ତରପ୍ରଦେଶର ଗୃହ ସଚିବ ଭଗବାନ ସ୍ୱରୂପଙ୍କ ନେତୃତ୍ୱରେ ଏହି ସ୍ପେଶାଲ୍ ଟିମ୍ ନିଜର ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛି।

ସୋମବାର ଆଲ୍ଲାହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏହି ମାମଲାର ଶୁଣାଣି ହେବ। ଏହି ସମୟରେ ରାଜ୍ୟ ସରକାର ଏସ୍ଆଇଟି ରିପୋର୍ଟକୁ କୋର୍ଟରେ ଦାଖଲ  କରିବେ। ଅନ୍ୟପଟେ ଏହି ରିପୋର୍ଟ ମିଳିବା ପରେ ହାଥରସର ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଚର୍ଚ୍ଚା ହେଉଛି।କେମିତି ହୋଇଥିଲା ହାଥରସ୍ ଘଟଣା?

ଉତ୍ତରପ୍ରଦେଶର ହାଥରସରେ ସେପ୍ଟେମ୍ବର ୧୪ ତାରିଖରେ ଜଣେ ଦଳିତ ଝିଅର ଗୁଣଦୁଷ୍କର୍ମ ହେବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ଦୁଷ୍କର୍ମର ଶିକାର ହୋଇଥିବା ଝିଅଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ହେଲେ ସେ  ସେପ୍ଟେମ୍ବର ୨୯ରେ ମୃତ୍ୟୁ ସହ ସଂଗ୍ରାମ କରି ଆଖି ବୁଜିଥିଲା। ଏହି ମାମଲାରେ ପୋଲିସ ବିଳମ୍ବରେ ହେଲେ ମଧ୍ୟ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ତେବେ ଦୁଷ୍କର୍ମର ଶିକାର ହୋଇଥିବା ଝିଅଟିର ଶବକୁ ରାତାରାତି ଦାହ କରିବାକୁ ନେଇ ବିବାଦ ଦେଖାଦେଇଥିଲା। ଏହି ମାମଲାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଥିଲା। ବିରୋଧୀ ଦଳମାନେ ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶ ସରକାରକୁ ଟାର୍ଗେଟ କରିଥିଲେ। ଶେଷରେ ଉତ୍ତରପ୍ରଦେଶ ସରକାର ଏହି ଘଟଣାର ତଦନ୍ତ ପାଇଁ ଏସ୍ଆଇଟି ଗଠନ କରିଥିଲେ।

ଗୃହ ସଚିବ ଭଗବାନ ସ୍ୱରୂପଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଏହି ଟିମ୍ ଘଟଣା ସ୍ଥଳକୁ ଯାଇ ଯାଞ୍ଚ କରିଥିଲା। ଏହାପରେ ଆଜି ଏସ୍ଆଇଟି ନିଜର ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛି।

Comment