ଓଡ଼ିଶାଲାଇଭ୍ ବ୍ୟୁରୋ
ବିୟର ଗ୍ରୀଲ୍ସଙ୍କୁ କିଏ ବା ନଜାଣେ। ଜଙ୍ଗଲରେ ବୁଲିବା, ପୋକଜୋକ ଖାଇବା, ଦୁଃସାହସିକ କାମ ପାଇଁ ଆଜି ସେ ସାରାବିଶ୍ୱରେ ପରିଚିତ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଓଡ଼ିଶାରେ ମଧ୍ୟ ଜଣେ ଏମିତି ଯୁବକ ଅଛନ୍ତି ଯିଏ ଠିକ୍ ବିୟର ଗ୍ରୀଲ୍ସଙ୍କ ପରି କାମ କରି ଚର୍ଚ୍ଚାକୁ ଆସିଛନ୍ତି। ଏହି ଯୁବକ ଜଣକ ହେଲେ ମାଲକାନଗିରିର ରାଜେଶ କୁମାର ମଣ୍ଡଳ। ସେ ଭୋପାଳ ଏନଆଇଟିରେ ଏମ୍ଟେକ କରିଛନ୍ତି। କିନ୍ତୁ ଏହି ଉଚ୍ଚ ଶିକ୍ଷିତ ଯୁବକଙ୍କର ନିଶା ହେଉଛି ଜଙ୍ଗଲ ବୁଲିବା। ଏଥିପାଇଁ ତାଙ୍କୁ ଲୋକେ ମାଲକାନଗିରିର ବିୟର ଗ୍ରୀଲ୍ସ ଓ ‘ଜଙ୍ଗଲ ବୟ’ କହିବା ମଧ୍ୟ ଆରମ୍ଭ କଲେଣି।
‘‘ଛୋଟବେଳୁ ମୋର ଜଙ୍ଗଲ ଯାତ୍ରା ପ୍ରତି ଦୁର୍ବଳତା ଥିଲା। ଜଙ୍ଗଲଲ ଜୀବନ ଓ ଜୀବଜନ୍ତଙ୍କ ବିଷୟରେ ଜାଣିବାର ଇଚ୍ଛା ଥିଲା। ଡିସକଭରି ଚାନେଲ ଦେଖିଲା ବେଳେ ମତେ ଲାଗେ ମୁଁ ବି ଏମତି କରିପାରିବି। ସେବେଠୁ ମନରେ ଏହି ଜଙ୍ଗଲ ଯାତ୍ରା ପାଇଁ ଇଚ୍ଛା ସୃଷ୍ଟି ହୋଇଥିଲା। ପଢ଼ା ସରିବା ପରେ ମୁଁ ଚାକିରି ନକରି ଏହି ବାଟରେ ପାଦ ଦେଲି’’, କହିଛନ୍ତି ରାଜେଶ।
ମ୍ୟାନ୍ ଭର୍ସେସ ୱାଇଲ୍ଡ କାର୍ଯ୍ୟକ୍ରମରେ ଅଭିନେତା ବିୟର ଗ୍ରୀଲ୍ସଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଏମିତି କାମ କରୁଥିବା କହିଛନ୍ତି। ତେବେ ଏବେ ନୁହେଁ ପ୍ରାୟ ୩ ବର୍ଷ ତଳୁ ସେ ଏହି କାମ ଆରମ୍ଭ କରିଛନ୍ତି।
ରାଜେଶ ଯେତେବେଳେ ଏହି କାମ ଆରମ୍ଭ କରିଥିଲେ ସେତେବେଳେ ତାଙ୍କ ପରିବାର ଲୋକ ଏହାକୁ ବିରୋଧ କରୁଥିଲେ। ଧୀରେ ଧୀରେ ତାଙ୍କ ପରିବାର ଲୋକ ମଧ୍ୟ ଏବେ ତାଙ୍କୁ ସମର୍ଥନ କରିବା ଆରମ୍ଭ କଲେଣି। ଆଗକୁ ସେ କେଉଁ ଏକ ବଡ଼ ଜଙ୍ଗଲ ଯାଇ ସେଠାରେ ଅନୁସନ୍ଧାନ କରିବାକୁ ଚାହୁଁଛନ୍ତି ରାଜେଶ ମଣ୍ଡଳ। ଏମିତିକି ସେ ନିଜର ଏକ ୟୁଟ୍ୟୁବ୍ ଚାନେଲ ମଧ୍ୟ ଖୋଲିଛନ୍ତି। ଯାହାର ନାଁ ରହିଛି ‘ଟ୍ରିପ୍ ଟୁ ଓ୍ୱାଇଲ୍ଡ’।