ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ଡେମୋକ୍ରାଟିକ୍ ଦଳର ନେତା ଜୋ ବାଇଡେନ୍ ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଏଥିପାଇଁ ବିଶ୍ୱର ତମାମ ବଡ଼ ବଡ଼ ନେତା ବାଇଡେନଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇସାରିଲେଣି। ହେଲେ ଚୀନ୍ ଏପର୍ଯ୍ୟନ୍ତ ବାଇଡେନଙ୍କୁ ଏନେଇ ଶୁଭେଚ୍ଛା ଜଣାଇନି।

ଚୀନ୍ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୋମବାର କୁହାଯାଇଛି ଯେ, ଆମେରିକା ନିର୍ବାଚନର ଫଳାଫଳ ଏବେ ସୁଦ୍ଧା ନିର୍ଦ୍ଧାରଣ ହୋଇନି। ଆଇନ୍ ଅନୁଯାୟୀ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହେବେ। ଟ୍ରମ୍ପ ନିର୍ବାଚନ ଫଳାଫଳକୁ ନେଇ କୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇପାରନ୍ତି। ତେଣୁ ବାଇଡେନଙ୍କୁ ବିଜୟୀ ପ୍ରାର୍ଥୀ ଭାବେ ମାନିବାକୁ ଚୀନ୍ ସିଧାସିଧା ମନା କରିଦେଇଛି।

ଅସଲ କଥା ହେଉଛି, ଟ୍ରମ୍ପ ରବିବାର ଏକ ଟୁଇଟ୍ କରି ନିଜର ପରାଜୟକୁ ସ୍ୱୀକାର କରିବାକୁ ସିଧାସିଧା ମନା କରିଦେଇଥିଲେ। ଗଣମାଧ୍ୟମ କେବେଠୁ ରାଷ୍ଟ୍ରପତି କିଏ ହେବ ବୋଲି ସେନେଇ ନିଷ୍ପତ୍ତି ନେଲାଣି ବୋଲି ସେ ପ୍ରଶ୍ନ କରିଥିଲେ। ତେଣୁ ନିର୍ବାଚନ ଫଳାଫଳକୁ ନେଇ ଟ୍ରମ୍ପ କୋର୍ଟର ଦ୍ୱାରସ୍ଥ ହୋଇପାରନ୍ତି ବୋଲି କୁହାଯାଉଛି। ସେହି କାରଣରୁ ଚୀନ୍ ବାଇଡେନଙ୍କୁ ଏପର୍ଯ୍ୟନ୍ତ ଶୁଭେଚ୍ଛା ଜଣାଇବାକୁ ମନା କରିଦେଇଛି।

କେବଳ ଚୀନ୍ ନୁହେଁ ରୁଷ ମଧ୍ୟ ଏପର୍ଯ୍ୟନ୍ତ ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ବାଇଡେନଙ୍କୁ କୌଣସି ପ୍ରକାର ଶୁଭେଚ୍ଛା ଜଣାଇନି। ପୁଟିନ୍ ୨୦୧୬ ମସିହାରେ ଟ୍ରମ୍ପଙ୍କୁ ନିର୍ବାଚନରେ ସାହାଯ୍ୟ କରିଥିବା ନେଇ କୁହାଯାଉଥିଲା। ହେଲେ ଏଥର ନିର୍ବାଚନରେ କିନ୍ତୁ ଟ୍ରମ୍ପ ପରାଜୟ ବରଣ କରିଛନ୍ତି। ଯେଉଁ କାରଣରୁ ରୁଷ ମଧ୍ୟ ବାଇଡେନଙ୍କୁ ଶୁଭେଚ୍ଛା ଜଣାଇନି।

Comment