ଓଡ଼ିଶାଲାଇଭ୍ ବ୍ୟୁରୋ   

ପ୍ରଥମେ ଗଣେଶପୂଜା, ଦୁର୍ଗାପୂଜା ଆଉ ଏବେ କାଳୀପୂଜାକୁ ବି ଫିକା କରିଦେବାକୁ ବସିଲାଣି କରୋନା। କଟକରେ ଏଥର କାଳୀପୂଜାକୁ ଦଶହରା ପରି କଟକଣା ମଧ୍ୟରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୋମବାର କଟକରେ କାଳୀପୂଜା ପ୍ରସ୍ତୁତି ନେଇ ଏକ ସାମ୍ଵାଦିକ ସମ୍ମିଳନୀରେ ଡିସିପି ପ୍ରତୀକ ସିଂହ ଏବାବଦରେ ସୂଚନା ଦେଇଛନ୍ତି।

“ସରକାରଙ୍କ କରୋନା ଗାଇଡଲାଇନ୍ ଅନୁସାରେ କଟକରେ ଏଥର କାଳୀପୂଜା ହେବ। ପ୍ରତି ମଣ୍ଡପରେ ସର୍ବାଧିକ ୪ ଫୁଟ ଉଚ୍ଚତାରେ ମୂର୍ତ୍ତି ନିର୍ମାଣ କରାଯିବ। ଭକ୍ତଙ୍କୁ ସାଧାରଣ ଦର୍ଶନର ସୁଯୋଗ ଦିଆଯିବ ନାହିଁ। ପ୍ରତି ମଣ୍ଡପରେ ସର୍ବନିମ୍ନ ୭ଜଣଙ୍କ ଉପସ୍ଥିତିରେ ପୂଜା କାର୍ଯ୍ୟ ସମ୍ପନ୍ନ ହେବ। ପୂଜା ବେଳେ ସହର ଭିତରେ ୧୫ ପ୍ଲାଟୁନ ପୋଲିସ ମୁତୟନ ହେବେ ଏବଂ ସେମାନଙ୍କୁ ଗାଇଡ କରିବାକୁ ୫୦ ଜଣ ଅଫିସର ମୁତୟନ ରହିବେ।” କହିଛନ୍ତି କଟକ ଡିସିପି ପ୍ରତୀକ ସିଂହ।

ସେହିପରି ପୂଜାଠାରୁ ଭସାଣୀ ବେଳେ ଅଧିକ ଗହଳି ହେଉଥିବାରୁ ଏହା ଉପରେ ପୋଲିସର ସ୍ୱତନ୍ତ୍ର ନଜର ରହିବ। ପୂଜା ସମୟରେ ସହରରେ ପାଟ୍ରୋଲିଂକୁ ଅଧିକ ଗୁରୁତ୍ଵ ଦିଆଯିବ। ଅନ୍ୟପଟେ ମୂର୍ତ୍ତିଗୁଡିକର ବିସର୍ଜନ ପାଇଁ ସହରରେ ୧୧ଟି ସ୍ୱତନ୍ତ୍ର ଅସ୍ଥାୟୀ ଜଳାଶୟର ବ୍ୟବସ୍ଥା ହୋଇଥିବା ନେଇ ଡିସିପି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here