ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ଅମ୍ଫାନ ପାଇଁ ଓଡ଼ିଶାକୁ ଆଉ ୧୨୮.୨୩ କୋଟି ଟଙ୍କାର ଅତିରିକ୍ତ ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଏହି ଟଙ୍କା ଅନୁମୋଦନ କରିଛନ୍ତି।
ଓଡ଼ିଶା ସମେତ କେନ୍ଦ୍ର ସରକାର ଶୁକ୍ରବାର ୬ଟି ରାଜ୍ୟକୁ ଦୁର୍ବିପାକ ସହାୟତା ଦେଇଛନ୍ତି। ଏହା ଭିତରେ ବାତ୍ୟା ଅମ୍ଫାନ, ନିସର୍ଗ, ବନ୍ୟା ଓ ଭୂସ୍ଖଳନରେ ପ୍ରଭାବିତ ହୋଇଥିବା ରାଜ୍ୟ ସବୁ ସାମିଲ ଅଛି। କେନ୍ଦ୍ର ସରକାର ଓଡ଼ିଶା, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ସିକିମକୁ ମୋଟ ୪୩୮୧.୮୮ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି।
ଗତ ମେ ୨୦ ତାରିଖରେ ବାତ୍ୟା ଅମ୍ଫାନ ଉତ୍ତର ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶରେ ତାଣ୍ଡବ ରଚିଥିଲା। ଓଡ଼ିଶାର ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଏଥିରେ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଥଲା। ଏହାସହ ପଶ୍ଚିମବଙ୍ଗର ଅଧିକାଂଶ ଅଞ୍ଚଳରେ ଘର, ଗଛ ବୃକ୍ଷ ଭାଙ୍ଗିବା ସହିତ ବିମାନବନ୍ଦରରେ ଅଣ୍ଟାଏ ଉଚ୍ଚର ପାଣି ଜମି କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା।
ଏହାପରେ କେନ୍ଦ୍ର ସରକାର ତୁରନ୍ତ ଓଡ଼ିଶାକୁ ୫୦୦ ଓ ପଶ୍ଚିମବଙ୍ଗକୁ ୧୦୦୦ କୋଟିର ସହାୟତା ଘୋଷଣା କରିଥିଲା। ଏହା ପରେ କେନ୍ଦ୍ରୀୟ ଟିମ୍ ଆସି ବାତ୍ୟା ଅମ୍ଫାନର କ୍ଷୟକ୍ଷତି ଯାଞ୍ଚ କରିବା ପରେ କେନ୍ଦ୍ର ସରକାର ଆଜି ଏହି ଅତିରିକ୍ତ ସହାୟତା ଘୋଷଣା କରିଛନ୍ତି।


















