ଦୋଳଗୋବିନ୍ଦ ପଣ୍ଡା

ଦୀପାବଳି ହେଉଛି ଆନନ୍ଦ, ଆଲୋକ ଏବଂ ଉଜ୍ଜ୍ୱଳତାର ପର୍ବ। ଏହାକୁ ସୁରକ୍ଷିତ ଏବଂ ସବୁଜ ଉପାୟରେ ପାଳନ କରିବା ଆମ ହାତରେ। ବର୍ତ୍ତମାନ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ସରକାର ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି। କିନ୍ତୁ ପ୍ରଦୂଷଣର ଭୟାବହତାକୁ ଲକ୍ଷ୍ୟକରି ଦିଲ୍ଲୀ ଓ ବିଭିନ୍ନ ରାଜ୍ୟର ସରକାର କିଛି ବର୍ଷ ହେଲା ଏହା ଉପରେ ଆଂଶିକ କଟକଣା ଲଗାଇ ଆସୁଥିଲେ। ଏଥର ସେଇ କଟକଣାଟା ଟିକେ ବଢ଼ିଯାଇଛି।

ଆମ ରାଜ୍ୟ ସରକାର ବି ବାଣ ବିକ୍ରି ଓ ଫୁଟା ଉପରେ କଟକଣା ଲଗାଇଛନ୍ତି। ନଭେମ୍ବର ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ପ୍ରକାର ବାଣ ବିକ୍ରି କରାଯାଇ କିମ୍ବା ଫୁଟାଯାଇପାରିବ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିସନର ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ, ରାଜ୍ୟରେ ଏବେ କରୋନା ସ୍ଥିତି ଜାରି ରହିଛି। ଆଗକୁ ଶୀତଋତୁ ମଧ୍ୟ ଆସୁଛି। ତେଣୁ ଏଭଳି ସମୟରେ ବାଣ ଫୁଟାଇଲେ ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇପାରେ। ବାଣରୁ ନିର୍ଗତ ହେଉଥିବା ରାସାୟନିକ ପଦାର୍ଥ ଲୋକମାନଙ୍କୁ କ୍ଷତି ପହଞ୍ଚାଇପାରେ। ତେଣୁ ଚଳିତ ବର୍ଷ ରାଜ୍ୟରେ ବାଣ ବିକ୍ରି କରିବାକୁ ଓ ଫୁଟାଇବାକୁ ରାଜ୍ୟ ସରକାର ବନ୍ଦ କରିଛନ୍ତି। ଓଡ଼ିଶା ପରେ ଦିଲ୍ଲୀ, ପଶ୍ଚିମବଙ୍ଗ ଓ କେରଳ ପ୍ରଭୃତି ବିଭିନ୍ନ ରାଜ୍ୟରେ ମଧ୍ୟ ବାଣ ଫୁଟାଇବାକୁ ନେଇ କଟକଣା ଜାରି କରାଯାଇଛି। ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ପଶ୍ଚିମବଙ୍ଗ ହାଇକୋର୍ଟ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି।ସୁପ୍ରିମକୋର୍ଟ ବି ଦେଶବ୍ୟାପୀ ବାଣ ବିକ୍ରି ଓ ଫୁଟାକୁ ନେଇ ରାୟ ଶୁଣାଇଛନ୍ତି। ବାଣ ବିକ୍ରି ଓ ବାଣ ଫୁଟାକୁ ନେଇ ସମ୍ପୂର୍ଣ୍ଣ କଟକଣା ନ ଲଗାଇ ଏହା ଉପରେ ସର୍ତ୍ତ ଲାଗୁ କରିଛନ୍ତି। ମଙ୍ଗଳବାର ସୁପ୍ରିମକୋର୍ଟ ସାରା ଦେଶରେ ବାଣ ଫୁଟାଇବା ଉପରେ ସମୟ ସୀମା ନିର୍ଦ୍ଧାରଣ କରିଛନ୍ତି। ରାତି ୮ ରୁ ୧୦ଟା କେବଳ ୨ ଘଣ୍ଟା ବାଣ ଫୁଟାଯାଇପାରିବ। ସୁପ୍ରିମକୋର୍ଟ ବାଣର ଅନଲାଇନ ବିକ୍ରି ଉପରେ କଟକଣା ଲଗାଇଛନ୍ତି। ଲାଇସେନ୍ସ ଧାରୀ ବିକ୍ରେତା ହିଁ ବାଣ ବିକ୍ରି କରିପାରିବେ। କମ୍ ପ୍ରଦୂଷଣଯୁକ୍ତ ବାଣ ବିକ୍ରି କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ନିର୍ଦ୍ଧାରିତ ଡେସିବଲ ଲିମିଟ ଭିତରେ ଧ୍ୱନି ବାହାର କରୁଥିବା ବାଣ ହିଁ ଫୁଟାଯାଇପାରିବ।

ତେବେ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଆଂଶିକ ଅନୁମତି ଦେଇଥିବା ବେଳେ ଏବଂ କିଛି ରାଜ୍ୟ ସରକାର ଆଂଶିକ ବା ସମ୍ପୂର୍ଣ୍ଣ କଟକଣା ଲାଗୁ କରିଥିବା ବେଳେ ଆମ ଲୋକମାନେ ତାହା ମାନୁଛନ୍ତି କେତେ? ସରକାରଙ୍କ କଟକଣାକୁ ଫୁ କରି ଆମ ଲୋକମାନେ ଚୋରାରେ ବାଣ ତିଆରି ଓ ବିକ୍ରି କରିବା ଦେଖାଯାଉଛି। ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ନୟାହାଟ ବଜାରରେ ବାସନ୍ତୀ ଭଣ୍ଡାରରୁ ୫ ଲକ୍ଷ ଟଙ୍କାର ବାଣ ଜବତ ହେବା ସହ ଦୋକାନ ମାଲିକ ଓ ସେଲ୍‌ସମ୍ୟାନକୁ ଗିରଫ କରାଯିବା ଏବଂ ପେଣ୍ଠକଟାରେ ଜଣେ ବ୍ୟକ୍ତିଙ୍କୁ ତେଜରାତି ଦୋକାନରେ ବାଣ ରଖି ବିକ୍ରି କରିବା ଅପରାଧରେ ଗିରଫ କରାଯିବା ଘଟଣା ଏହାର ଏକ ଉଦାହରଣ। ସାରା ରାଜ୍ୟ ତଥା ଦେଶରେ ଏମିତି କେତେ ଘଟୁଥିବ।ବାଣରୁ ନିର୍ଗତ ବିଷାକ୍ତ ରାସାୟନିକ ବାଷ୍ପ ଶ୍ୱାସରୋଗ ଥିବା ଲୋକଙ୍କୁ ବିଶେଷ ପ୍ରଭାବିତ କରେ ଏବଂ ଯେଉଁମାନେ ଏକାଧିକ ରାସାୟନିକ ପ୍ରତି ସମ୍ବେଦନଶୀଳ ସେମାନେ ବି ଏହାଦ୍ବାରା ପ୍ରଭାବିତ ହୁଅନ୍ତି। ଅଧ୍ୟୟନରୁ ଜଣାପଡିଛି ଯେ ବାଣରେ ଲେଡ୍ ଏବଂ କ୍ୟାଡମିୟମ ଭଳି ଭାରୀ ଧାତୁ ଅଧିକ ପରିମାଣର ଅଛି ଏବଂ ସେଗୁଡ଼ିକର ଧୂଆଁରେ ସଲଫର୍, ଫସଫରସ୍, ନାଇଟ୍ରୋଜେନ ଓ କାର୍ବନର ଅକ୍ସାଇଡ୍ ଥାଏ, ଯାହା ଅତ୍ୟନ୍ତ କ୍ଷତିକାରକ। ବାଣ ବିସ୍ଫୋରଣ ଯୋଗୁ ସୃଷ୍ଟ ପ୍ରେସର ୱେଭ୍ କାରଣରୁ ଆଖି, ଆଖିପତା ଏବଂ କର୍ନିଆ ଆଘାତପ୍ରାପ୍ତ ହୁଏ। ଦୀପାବଳି ସମୟରେ ବାଣଫୁଟାର ପ୍ରତିକ୍ରିୟା ପରବର୍ତ୍ତୀ କିଛିଦିନ ପର୍ଯ୍ୟନ୍ତ ଶରୀର ଓ ମନ ଉପରେ ରହିଥାଏ।ସେଥିପାଇଁ ଏକ ସୁରକ୍ଷିତ ଓ ସବୁଜ ଦୀପାବଳି ହେଉଛି ଏହାର ଏକମାତ୍ର ବିକଳ୍ପ (ତେବେ ଏହା ସମ୍ପୂର୍ଣ୍ଣ କଟକଣା ଥିବା ରାଜ୍ୟଗୁଡ଼ିକୁ ଛାଡ଼ି ଅନ୍ୟ ସ୍ଥାନ ପାଇଁ ପ୍ରଯୁଜ୍ୟ)। ଆମେ ଆମର ପର୍ବ ପାଳନ କରିବା କିନ୍ତୁ ତାହା ଯେପରି ଆମକୁ କେବଳ ଆନନ୍ଦ ଦିଏ ଏବଂ କିଛି କ୍ଷତି ନ କରେ। ଦୀପାବଳି ହେଉଛି ଦୀପର ପର୍ବ। ତେଣୁ ଆମେ ଏହାକୁ ଦୀପ ଜାଳିବା ମାଧ୍ୟମରେ ପାଳନ କରିବା। ଦୀପଗୁଡ଼ିକୁ କାଠ, କପଡା, କାଗଜ ପ୍ରଭୃତି ଦହନଶୀଳ ପଦାର୍ଥ ଏବଂ ବୈଦ୍ୟୁତିକ ତାରଠାରୁ ଦୂରରେ ରଖିବା ଆବଶ୍ୟକ l ବୈଦ୍ୟୁତିକ ଆଲୋକମାଳା ସଜାଇବା ବେଳେ ବିଦ୍ୟତ୍ ତାରକୁ କୌଣସି ଧାତବ ଖୁଣ୍ଟରେ ବାନ୍ଧିବା ଉଚିତ ନୁହେଁ, କାରଣ ବିଦ୍ୟୁତର କୌଣସି ଲିକେଜ୍ ଧାତବ ଖୁଣ୍ଟକୁ ଚାର୍ଜ କରିଦେଇପାରେ ଏବଂ ଏହାକୁ ସ୍ପର୍ଶ କରୁଥିବା କାହାକୁ ବି ବୈଦ୍ୟୁତିକ ଆଘାତ ଲାଗିପାରେ। ସବୁଠୁ ଭଲ ହେବ ଘରକୁ ଆଲୋକିତ କରିବା ପାଇଁ ବୈଦ୍ୟୁତିକ ଆଲୋକ ପରିବର୍ତ୍ତେ, ମାଟିର ଦୀପ ଏବଂ ମହମବତି ଜାଳିବା। ଏହାଦ୍ଵାରା ବିଦ୍ୟୁତ୍ ବି ବଞ୍ଚିବ।ତେବେ ସବୁଜ ଦୀପାବଳି କ’ଣ? ଯେଉଁ ଦୀପାବଳିରେ ଦୀପ ଜଳିବ ଓ ବାଣ ବି ଫୁଟିବ କିନ୍ତୁ ପରିବେଶ ପ୍ରଦୂଷଣ ହେବ ନାହିଁ ବା କମ୍ ପ୍ରଦୂଷଣ ହେବ ତାହା ହିଁ ସବୁଜ ଦୀପାବଳି। ଅତିରିକ୍ତ ଧୂଆଁ ଏବଂ ଶବ୍ଦ ସୃଷ୍ଟିକାରୀ ବାଣ ବ୍ୟବହାରକୁ ସୀମିତ କରିବା ଏବଂ ଉତ୍ସବ ପରେ ବର୍ଜ୍ୟବସ୍ତୁକୁ ଠିକ୍ ଭାବରେ ସଫା କରିବା ଉଚିତ। ଦୀପାବଳିରେ କାହାକୁ ଉପହାର ଦେବା ପାଇଁ ପରିବେଶ ଅନୁକୂଳ ଉପହାର ଚୟନ କରିବା ଏବଂ ପ୍ଲାଷ୍ଟିକ୍ ଆଦି ଭିନ୍ନ ପରିବେଶ-ଅନୁକୂଳ ସାମଗ୍ରୀରେ ଘର ସଜାଇବା ଆବଶ୍ୟକ।

ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ପରିଷଦ (ସିଏସ୍‌ଆଇଆର)ର ବିଜ୍ଞାନାଗାରଗୁଡ଼ିକ ବିଭିନ୍ନ ପରିବେଶ ଅନୁକୂଳ ଆତସବାଜି, ଯେପରିକି ଶବ୍ଦ ଉତ୍ପନ୍ନକାରୀ ବାଣ, ଫୁଲପାତ୍ର ବାଣ, ପେନସିଲ ବାଣ, ଚକ୍ରି ବାଣ ଏବଂ ଝୁରଝୁରିଆ ବାଣ ପ୍ରଭୃତି ବିକଶିତ କରିବାରେ ସଫଳ ହୋଇଛି। ସିଏସ୍‌ଆଇଆର ଦ୍ୱାରା ବିକଶିତ ନୂତନ ସୂତ୍ର ଉପରେ ଆଧାର କରି ଏହି ଆତସବାଜିଗୁଡ଼ିକ ନିର୍ମାଣ କରାଯାଇଛି ଏବଂ ଉପଭୋକ୍ତା ଓ ବିକ୍ରେତାମାନଙ୍କ ପାଇଁ ଭାରତୀୟ ବଜାରରେ ଉପଲବ୍ଧ। ଏହି ପ୍ରକାର କମ୍ ପ୍ରଦୂଷଣ ସୃଷ୍ଟିକାରୀ ବାଣକୁ ଆମେ ସବୁଜ ବାଣ ବୋଲି କହିପାରିବା, ଯେଉଁଥିରୁ କମ୍ ପରିମାଣର କାର୍ବନ ଡାଇଅକ୍ସାଇଡ, କାର୍ବନ ମନୋକ୍ସାଇଡ, ସଲ୍‌ଫର ଡାଇଅକ୍ସାଇଡ ଓ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ପ୍ରଭୃତି ନିର୍ଗତ ହେଉଥିବ।ପାରମ୍ପରିକ ବାଣରୁ ସବୁଜ ବାଣକୁ ଭିନ୍ନ କରିବା ପାଇଁ ଏକ ସବୁଜ ଲୋଗୋ ଏବଂ କୁଇକ୍ ରେସପନ୍ସ (QR) କୋଡିଂ ସିଷ୍ଟମ୍‌ ବିକଶିତ କରାଯାଇଛି। ନକଲି ବାଣର ଉତ୍ପାଦନ ଓ ବିକ୍ରୟକୁ ଏଡାଇବା ପାଇଁ QR କୋଡ୍ ହେଉଛି ସବୁଜ ବାଣ ଉପରେ ଥିବା ଏକ ଅନୁପମ ବୈଶିଷ୍ଟ୍ୟ। ଗ୍ରାହକମାନେ ସ୍ମାର୍ଟ ଫୋନ୍ ଏବଂ ଅନ୍ୟ ଉପକରଣ ବ୍ୟବହାର କରି ଏହି କୋଡକୁ ସ୍କାନ କରି ଏହା ବିଷୟରେ ଜାଣିପାରିବେ। ସବୁଜ ବାଣର ମୂଲ୍ୟ ନିୟମିତ ବାଣ ସହ ପ୍ରାୟ ସମାନ। ଦେଶର ସମସ୍ତ ବାଣ ନର୍ମାତା ସରକାରଙ୍କ ଗାଇଡଲାଇନ ଅନୁସାରେ ଏହିପରି ସବୁଜ ବାଣ ପ୍ରସ୍ତୁତ କରିବା ଆବଶ୍ୟକ। ସବୁଜ ଦୀପାବଳି ଓ ଶସ୍ତା ଦୀପାବଳି ହେଉଛି ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଅଭିଯାନ। ଏହି ଅଭିଯାନରେ ଆମେ ସମସ୍ତେ ସାମିଲ ହେବା ଉଚିତ। ତେବେ ବର୍ତ୍ତମାନ କରୋନା ପରିପ୍ରେକ୍ଷୀରେ ଯେଉଁସବୁ ସହର ବା ରାଜ୍ୟରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଛି, ସେସବୁ ସ୍ଥାନରେ ସବୁଜ ହେଉ ବା ପାରମ୍ପରିକ ସବୁ ପ୍ରକାର ବାଣ ବିକ୍ରି ଓ ଫୁଟା ଯେପରି ବନ୍ଦ ରହେ, ସେ ଦିଗରେ ପ୍ରଶାସନ ନଜର ରଖିବା ଆବଶ୍ୟକ।

(ଲେଖକ ଜଣେ ବିଶିଷ୍ଟ ଜ୍ୟୋତିର୍ବିଦ୍,ମତ ନିଜସ୍ଵ) 

LEAVE A REPLY

Please enter your comment!
Please enter your name here