ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ୍ କଟକଣା ଭିତରେ ନଭେମ୍ବର ୨୦ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଏହା ପୂର୍ବରୁ ଆସନ୍ତା ୧୮ ତାରିଖରେ ସର୍ବଦଳୀୟ ବୈଠକ ବସିବ। ଗୃହ କିଭଳି ସୁରୁଖୁରୁରେ ଚାଲିବ ସେ ସମ୍ପର୍କରେ ଏହି ବୈଠକରେ ଆଲୋଚନା ହେବ। ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।
ଶୀତ ଅଧିବେଶନ ସମୟରେ ପ୍ରଶ୍ନକାଳ ରହିବ କି ନାହିଁ ସେନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହେବ। ଯେଉଁଭଳି ଭାବରେ ଗତ ମୌସୁମୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଠିକ୍ ସେହିଭଳି ଶୀତ ଅଧିବେଶନ ବସିବ। ଏହି ସମୟରେ ଦିନକୁ ଦୁଇଟି ପର୍ଯ୍ୟାୟରେ ଗୃହକାର୍ଯ୍ୟ ଚାଲିବ ବୋଲି ସୂଚନା ମିଳିଛି।ଶୀତ ଅଧିବେଶନ ପୂର୍ବରୁ ବିଧାନସଭାର ସମସ୍ତ ସଦସ୍ୟ, ବ୍ୟକ୍ତିଗତ ସଚିବ ଓ କର୍ମଚାରୀମାନଙ୍କ କୋଭିଡ୍ ଟେଷ୍ଟ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗତ ୧୦ ତାରିଖରେ ଘୋଷଣା କରିଥିଲେ। ଆସନ୍ତା ୧୭,୧୮ ଓ ୧୯ ତାରିଖରେ ସମସ୍ତଙ୍କର କୋଭିଡ୍ ଟେଷ୍ଟ କରାଯିବ।
ଶୀତ ଅଧିବେଶନ ରିପୋର୍ଟିଂ ପାଇଁ ବିଧାନସଭା ଯିବାକୁ ଥିବା ସାମ୍ବାଦିକମାନଙ୍କର ମଧ୍ୟ କୋଭିଡ୍ ଟେଷ୍ଟ ହେବ। ସାମ୍ବାଦିକମାନଙ୍କୁ ମାସ୍କ ଓ ସାନିଟାଇଜର ପ୍ରଦାନ କରାଯିବ। ଅଧିବେଶନ ଚାଲିଥିବା ସମୟରେ ଦ୍ଵିତୀୟ ପର୍ଯ୍ୟାୟ ଟେଷ୍ଟ କରାଯିବ। ପ୍ରତିଦିନ ବିଧାନସଭା ପରିସରକୁ ସାନିଟାଇଜ୍ କରାଯିବ। ମୌସୁମୀ ଅଧିବେଶନ ପରି ଏଥର ମଧ୍ୟ ସଦସ୍ୟମାନେ ଭିଡିଓ କନଫରେନ୍ସିଂ ଜରିଆରେ ଭାଗ ନେଇପାରିବେ।