ଓଡ଼ିଶାଲାଇଭ୍ ବ୍ୟୁରୋ

“ପୂର୍ବରୁ ପୁରୀ କହିଲେ ଅଧା ଲୋକ କୋଲକତାରେ ବୋଲି ଜାଣୁଥିଲେ। ୨୦୧୯ ନିର୍ବାଚନରେ ସମ୍ଵିତ ପାତ୍ର ପୁରୀ ଲୋକସଭା ଆସନରୁ ଲଢ଼ିବା ପରେ ପୁରୀ ଓଡ଼ିଶାରେ ଅଛି ବୋଲି ଦେଶବାସୀ ଜାଣିଲେ”, ପିପିଲିର ଏକ ରାଜନୈତିକ ସଭାରେ ଏଭଳି ଏକ ବୟାନ ଦେଇ ଏବେ ବିବାଦ ଘେରକୁ ଆସିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।

ଲେଖାଶ୍ରୀଙ୍କ କହିବା ମୁତାବକ ପୂର୍ବରୁ ପୁରୀ କେଉଁଠି କହିଲେ ଅଧା ଲୋକ କୋଲକତାରେ ବୋଲି ଜାଣୁଥିଲେ। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ସମ୍ଵିତ ପାତ୍ର ପୁରୀ ଆସନରୁ ଲୋକସଭା ପାଇଁ ଲଢ଼ିବାପରେ ହିଁ ପୁରୀ ଓଡ଼ିଶାରେ ବୋଲି ଦେଶବାସୀ ଜାଣିଲେ। ଲେଖାଶ୍ରୀଙ୍କ ଏହି ବୟାନ ତାଙ୍କ ପାଇଁ ଏବେ ଏକ ନୂଆ ବିବାଦ ଟେକିଛି।

ବୟାନ ପରେ ଘନେଇଛି ରାଜନୀତି

ବିଜେଡି ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ ଲେଖାଶ୍ରୀଙ୍କ ଏହି ବୟାନକୁ ବିରୋଧକରି କହିଛନ୍ତି ଯେ, ପ୍ରଥମେ ବୈଜୟନ୍ତ ପଣ୍ଡା ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିଥିଲେ ଆଉ ଏବେ ଲେଖାଶ୍ରୀ ପୁରୀକୁ ନେଇ ଏପରି ବୟାନ ଦେବା ନିନ୍ଦନୀୟ ଅଟେ। ଏହା ଓଡ଼ିଶା ଏବଂ ଜଗତର ନାଥ ଜଗନ୍ନାଥଙ୍କ ପାଇଁ ଏକ ଅପମାନ। ଏପରିକି ଗୋଟେ ୩ ବର୍ଷର ପିଲାକୁ ପଚାରିଲେ ପୁରୀ କେଉଁଠି ସେ କହିପାରିବ।

“ଲେଖାଶ୍ରୀଙ୍କ ଏତେ ଭାବପ୍ରବଣ ହେବା ଠିକ୍ ନୁହେଁ। ମହାପ୍ରଭୁ ଜଗନ୍ନାଥଙ୍କୁ ଏପରି ତୁଳନା କରିବା କେବେ ବି ଠିକ୍ ନୁହେଁ। ଏପରି ଶସ୍ତା କଥା କହିବାରୁ ଲେଖାଶ୍ରୀ ଦୂରେଇ ରୁହନ୍ତୁ”, କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।

ଲେଖାଶ୍ରୀଙ୍କ ବୟାନର ଏହି ଭିଡିଓଟି ଭାଇରାଲ ହେବାପରେ ସଫେଇ ଦେଇ ଲେଖାଶ୍ରୀ କହିଛନ୍ତି ଯେ, ମୋ ବୟାନକୁ ଭୁଲଭାବେ ପ୍ରଚାର କରାଯାଉଛି। ପୁରା ଭିଡିଓଟିକୁ ଦେଖିଲେ ଜଣେ ଏହାର ଠିକ୍‌ ମଜା ପାଇପାରିବ।

ପିପିଲିରେ ଆଗକୁ ହେବାକୁ ଥିବା ଉପନିର୍ବାଚନ ପାଇଁ ସବୁ ରାଜନୈତିକ ଦଳମାନେ ପିପିଲି ଉପରେ ଫୋକସ କରୁଥିବା ବେଳେ ବିଜେପି ମଧ୍ୟ ପିପିଲି ଆସନକୁ ହାତେଇବା ପାଇଁ କସରତ ଆରମ୍ଭ କରିଦେଇଛି। କିଛିଦିନ ପୂର୍ବେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପିପିଲିର ଏକ ଅଞ୍ଚଳରେ ହେଉଥିବା ଦଳୀୟ ସଭାରେ ପୁରୀକୁ ନେଇ ଦେଇଥିବା ଏହି ବୟାନ ପାଇଁ ଏବେ ବିବାଦ ଘେରକୁ ଟାଣିହୋଇ ଯାଇଛନ୍ତି। ଲେଖାଶ୍ରୀଙ୍କୁ ଟାର୍ଗେଟ କରି ଏବେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ତାଙ୍କ ବୟାନ ପାଇଁ କ୍ଷମା ପ୍ରାର୍ଥନା କରିବାକୁ ପରାମର୍ଶ ଦେଇଛନ୍ତି।

୨୦୧୯ ସାଧାରଣ ନିର୍ବାଚନରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ଵିତ ପାତ୍ର ପୁରୀରୁ ଲୋକସଭା ପ୍ରାର୍ଥୀ ହୋଇଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଧରି ନିର୍ବାଚନ ପ୍ରଚାର କରିଥିବାକୁ ସମ୍ଵିତଙ୍କୁ ବିଭିନ୍ନ ରାଜନୀତିକ ଦଳମାନେ କଟାକ୍ଷ କରିଥିଲେ। ଜଗନ୍ନାଥଙ୍କ ନାମ ନେଇ ବିଜେପି ରାଜନୀତି କରୁଥିବା ଅଭିଯୋଗ ମଧ୍ୟ କରାଯାଇଥିଲା। ତେବେ ବର୍ତ୍ତମାନ ଲେଖାଶ୍ରୀଙ୍କ ପୁରୀକୁ ନେଇ ଏପରି ବୟାନ ପୁଣି ବିଜେପି ପାଇଁ ଏକ ନୂଆ ବିବାଦର ଆରମ୍ଭ କରିଦେଇଛି।

LEAVE A REPLY

Please enter your comment!
Please enter your name here