ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ୧୬ ବର୍ଷର ବ୍ୟବଧାନ ପରେ ପାକିସ୍ତାନ ମାଟିରେ କ୍ରିକେଟ୍ ଖେଳିବ ଇଂଲଣ୍ଡ। ୨୦୨୧ ମସିହା ଅକ୍ଟୋବର ମାସରେ ଇଂଲଣ୍ଡ ଟିମ୍ ପାକିସ୍ତାନ ଗସ୍ତରେ ଯାଇ ଦୁଇଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ। ଏନେଇ ଆଜି ଇଂଲଣ୍ଡ କ୍ରିକେଟ୍ ବୋର୍ଡ ତରଫରୁ ଘୋଷଣା କରାଯାଇଛି।

ଇଂଲଣ୍ଡ କ୍ରିକେଟ୍ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ୨୦୨୧ ମସିହା ଅକ୍ଟୋବର ୧୨ ତାରିଖରେ ଦଳ ପାକିସ୍ତାନ ଗସ୍ତରେ ଯିବ। ସେଠାରେ ଅକ୍ଟୋବର ୧୪ ଓ ୧୫ ତାରିଖରେ ଦଳ ଦୁଇଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ। ଦୁଇଟି ଯାକ ମ୍ୟାଚ ପାକିସ୍ତାନର କରାଚିରେ ଖେଳାଯିବ ବୋଲି ସୂଚନା ମିଳିଛି। ଏହାପରେ ଦୁଇ ଦଳ ଟି-ଟ୍ୱେଣ୍ଟି ବିଶ୍ୱକପ ଖେଳିବାକୁ ସିଧାସଳଖ ଭାରତ ଆସିବେ ବୋଲି କୁହାଯାଇଛି।ଇସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ଟମ୍ ହାରିସନ କହିଛନ୍ତି ଯେ, ପାକିସ୍ତାନ କ୍ରିକେଟ୍ ବୋର୍ଡ ସହ ତାଙ୍କର ସମ୍ପର୍କ ନିବିଡ଼ ରହିଛି। ଏହି ଦେଶକୁ ଅନ୍ତର୍ଜାତୀୟ କ୍ରିକେଟ୍ ପ୍ରତ୍ୟାବର୍ତ୍ତନ କରିବାକୁ ସେ ଆଗ୍ରହୀ ଥିବା କହିଛନ୍ତି। ଏଥିସହ ଦଳର ସୁରକ୍ଷା ପ୍ରତି ମଧ୍ୟ ଦୃଷ୍ଟି ରଖାଯାଇଛି ବୋଲି ସେ କହିଛନ୍ତି।

୨୦୧୫ ମସିହାରେ ଇଂଲଣ୍ଡ ଟିମ୍ ଶେଷ ଥର ପାଇଁ ପାକିସ୍ତାନ ଯାଇ ସେଠାରେ ତିନୋଟି ଟେଷ୍ଟ ଓ ୫ଟି ଦିନିକିଆ ମ୍ୟାଚ୍ ଖେଳିଥିଲା। ଏହାପରଠାରୁ ସୁରକ୍ଷା କାରଣରୁ ଇଂଲଣ୍ଡ ଟିମ୍ ଆଉ ପାକିସ୍ତାନ ଯାଇନଥିଲା। ଏହି ସମୟ ଭିତରେ ଦୁଇ ଦଳ ଭିତରେ ୟୁଏଇ କିମ୍ବା ଇଂଲଣ୍ଡରେ ମ୍ୟାଚ୍ ଖେଳାଯାଉଥିଲା।୨୦୦୯ ମାର୍ଚ୍ଚ ୩ ତାରିଖରେ ପାକିସ୍ତାନ ଯାଇଥିବା ଶ୍ରୀଲଙ୍କା ଦଳ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଯେଉଁଥିରେ ଏକାଧିକ ଖେଳାଳି ଆହତ ହେବା ସହିତ କିଛି ପୋଲିସ କର୍ମୀ ପ୍ରାଣ ହରାଇଥିଲେ। ଏହାପରଠାରୁ ପାକିସ୍ତାନରେ କ୍ରିକେଟ୍ ଖେଳିବାକୁ ସବୁ ଦଳ ମନା କରିଦେଇଥିଲେ। ଏହାପରେ ବହୁ ବର୍ଷର ବ୍ୟବଧାନ ପରେ ଆଫଗାନିସ୍ତାନ, ଜିମ୍ବାୱେ ଓ ଶ୍ରୀଲଙ୍କା ପାକିସ୍ତାନରେ କ୍ରିକେଟ୍ ଖେଳିବାକୁ ରାଜି ହୋଇଥିଲେ। ଏବେ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ମଧ୍ୟ ପାକିସ୍ତାନରେ କ୍ରିକେଟ୍ ସିରିଜ୍ ଆୟୋଜନ କରିବାକୁ ସବୁଜ ସଙ୍କେତ ଦେଇଛି।

LEAVE A REPLY

Please enter your comment!
Please enter your name here