ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଓ ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣାକୁ ନେଇ ଆଜି ଉଠିଛି ପଡ଼ିଛି ବିଧାନସଭା। ବିରୋଧୀମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା ସହିତ ରାଜ୍ୟ ସରକାରଙ୍କୁ ଏହି ଘଟଣାରେ ଟାର୍ଗେଟ କରିଛନ୍ତି। ଅନ୍ୟପଟେ ଶୁକ୍ରବାର ବିଜେପି ହାଜତ ମୃତ୍ୟୁ ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇବା ସହ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହୋଇଛି।
ଗୁରୁବାର ପୁରୀ ଓ ବୀରମିତ୍ରପୁରରେ ଦୁଇଜଣ ଯୁବକ ପୋଲିସ ହାଜତରେ ମୃତ୍ୟୁବରଣ କରିଥିଲେ। ଯାହାକୁ ନେଇ ଏହି ଦୁଇ ଅଞ୍ଚଳରେ ପୋଲିସ-ଜନତା ମୁହାଁମୁହିଁ ହୋଇଥିଲେ। ଗତକାଲିର ଏହି ଘଟଣା ପରେ ଆଜି ଶୀତ ଅଧିବେଶନ ‘ହାଜତ ମୃତ୍ୟୁ’ ଘଟଣାକୁ ନେଇ କମ୍ପିଛି।ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ କହିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ସଂପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ। ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା ପୋଲିସ ଆଜି ହତ୍ୟାକାରୀ ପାଲଟିଛି। ପୁରୀ ହାଜତରେ ଜଣେ ଯୁବକଙ୍କୁ ପୋଲିସ ପିଟିପିଟି ହତ୍ୟା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ସେ କହିଛନ୍ତି। ଅନ୍ୟପଟେ ମୃତ କେ ରମେଶଙ୍କ ପରିବାରକୁ ସରକାର ୧ କୋଟି ଟଙ୍କା କ୍ଷତିପୂରଣ ଦେବା ସହ ଅସଲ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ସେ ଦାବି କରିଛନ୍ତି।
ସେହିପରି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ଘଟଣାର ନିରପେକ୍ଷ ଯାଞ୍ଚ ପାଇଁ ସେ କମିସନରଙ୍କ ଆଗରେ ନିବେଦନ କରିଛନ୍ତି। ଏପଟେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂହଙ୍କ ନେତୃତ୍ୱରେ ଆଜି ଏହି ଘଟଣାକୁ ନିନ୍ଦା କରାଯିବା ସହିତ ବିଜେପି ରାଜରାସ୍ତାକୁ ଓହ୍ଲାଇଛି। ଏହି ଦୁଇ ଘଟଣାରେ ତୁରନ୍ତ ମୃତକମାନଙ୍କୁ ନ୍ୟାୟ ଦେବାକୁ ବାବୁ ସିଂହ ଦାବି କରିଛନ୍ତି।ପୁରୀ ବାସେଳୀ ସାହି ପୋଲିସ ଥାନାରେ ହାଜତ ମୃତ୍ୟୁ
ଗତକାଲି ପୁରୀ ଜିଲ୍ଲା ବାଶେଳୀ ସାହି ଥାନା ହାଜତରେ କେ ରମେଶ ନାମକ ଜଣେ ଯୁବକର ମୃତ୍ୟୁ ହୋଇଥିବା ତାଙ୍କର ପରିବାର ଲୋକେ ଅଭିଯୋଗ କରିଥିଲେ। ପୋଲିସ ଯୁବକ ଜଣକୁ ମାଡ଼ ମାରି ମାରି ହତ୍ୟା କରିଛି । ଏଥିସହ ପରିବାରକୁ ନଜଣାଇ ପୋଲିସ ମୃତକଙ୍କ ଶବସତ୍କାର କରିଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା।
ଅନ୍ୟପଟେ ପୋଲିସ କିନ୍ତୁ ହାଜତ ମୃତ୍ୟୁ ଖବରକୁ ଖଣ୍ଡନ କରିଛି। ପୁରୀ ଏସପି ଅଖିଳେଶ୍ୱର ସିଂହଙ୍କ କହିବା ମୁତାବକ ରମେଶ ନାଁରେ ଏକାଧିକ ଅପରାଧିକ ମାମଲା ଥିଲା। ଏଥିପାଇଁ ପୋଲିସ ତାକୁ ଧରିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ପୋଲିସ ଓ ରମେଶଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲା ଏବଂ ରମେଶ ଆହତ ହୋଇଥିଲା। ଏହାପରେ ପୋଲିସ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲା। ହେଲେ ସେଠାରେ ସେ ମୃତ୍ୟୁବରଣ କରିଥିବା ପୁରୀ ଏସପି କହିଛନ୍ତି।ବୀରମିତ୍ରପୁରରେ ସମାନ ଘଟଣା
ପୁରୀ ଭଳି ସମାନ ଘଟଣା ଗତକାଲି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ମଧ୍ୟ ଦେଖିବାକୁ ମିଳିଛି। ଏକ ଅପହରଣ ମାମଲାର ତଦନ୍ତ ଚାଲିଥିବାବେଳେ ତାରିକ୍ ସଲିମ୍ ନାମକ ଜଣେ ଯୁବକଙ୍କ ପୋଲିସ ହାଜତରେ ମୃତ୍ୟୁ ହୋଇଛି। ଯାହାକୁ ନେଇ ସେ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି। ଥାନା ହାଜତରେ ପୋଲିସ କର୍ମୀମାନେ ଯୁବକଜଣକୁ ବାଡ଼େଇ ବାଡ଼େଇ ହତ୍ୟା କରିଥିବା ଅଭିଯୋଗ ହେବା ସହ ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରାଯାଇଛି।
ପୋଲିସ ପକ୍ଷରୁ କିନ୍ତୁ କୁହାଯାଇଛି ଯେ, ତାରିକକୁ ଗିରଫ କରିବା ପରେ ସେ ଖୁବ ଜୋରରେ ବାନ୍ତି କରିଥିଲା। ଏହାପରେ ତାକୁ କୁଆରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯଆଇଥିଲା। ସେଠାରୁ ତାକୁ ରାଉରକେଲା ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତର କିନ୍ତୁ ସେଠାରେ ତାକୁ ମୃତ ଘୋଷଣା କରିଥିଲେ।