ଓଡ଼ିଶାଲାଇଭ୍ ବ୍ୟୁରୋ

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କ ସୁବିଧା ପାଇଁ ୧୧ ପ୍ରକାର ଅନଲାଇନ୍ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫-ଟି କାର୍ଯ୍ୟକ୍ରମରେ ଜରିଆରେ ମୁଖ୍ୟମନ୍ତ୍ରୀ ଶନିବାର ଏହି କାର୍ଯ୍ୟକ୍ରମକୁ ଲୋକାର୍ପଣ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ସରକାର ପ୍ରତିଶୃତିବଦ୍ଧ। ଏହି ଶିଳ୍ପ ଆମ ଅର୍ଥନୀତିର ବିକାଶର ଆଧାର। ଏହି କ୍ଷେତ୍ରରେ ହିଁ ଅଧିକ ଲୋକ କର୍ମନିଯୁକ୍ତି ପାଇଥାନ୍ତି। ତେଣୁ ଏହିସବୁ ଶିଳ୍ପଗୁଡିକର ଉପଯୋଗ ପାଇଁ ରାଜ୍ୟ ସରକାର ଏକ ସହାୟକ ବାତାବରଣ ସୃଷ୍ଟି କରିବା ସହିତ ସବୁପ୍ରକାର ସହଯୋଗ ଯୋଗାଇ ଦେବେ।”
ଏଥିସହ କରୋନା ମହାମାରୀ ସମୟରେ ସାରା ବିଶ୍ୱର ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଥିବାବେଳେ ଆମର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକ ଅତ୍ୟନ୍ତ କଠିନ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛନ୍ତି। ସରକାର ମଧ୍ୟ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
“ରାଜ୍ୟ ସରକାରଙ୍କର ସ୍ୱଚ୍ଛ ନୀତି ଏବଂ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଦ୍ୱାରା ଆଜି ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆସିଛି। କରୋନା ମହାମାରୀ ସତ୍ତ୍ୱେ ଗତ ୧୦ ମାସ ମଧ୍ୟରେ ୧,୧୭,୦୦୦ କୋଟି ଟଙ୍କାର ପୁଞ୍ଜି ଆଣିବାରେ ଓଡିଶା ସଫଳ ହୋଇଛି। ଏହାଦ୍ୱାରା ୫୩ ହଜାରରୁ ଅଧିକ ଯୁବକଯୁବତୀମାନଙ୍କ ପାଇଁ କର୍ମ ନିଯୁକ୍ତି ହୋଇପାରିଛି। କ୍ଷୁଦ୍ର, ମଧ୍ୟମ ଓ ଅଣୁ ଉଦ୍ୟୋଗୀମାନେ ଯେପରି ସରକାରଙ୍କର ବିଭିନ୍ନ ଯୋଜନାର ସୁବିଧା ନେଇପାରିବେ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏହି ଅବସରରେ ବିଭାଗୀୟ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦିଗ୍ଦର୍ଶନ ଅନୁଯାୟୀ କରୋନା ସମୟରେ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ଏହି ବର୍ଗର ଶିଳ୍ପଗୁଡିକୁ ଚଳଚଞ୍ଚଳ କରିବା ଏବଂ ଶ୍ରମିକ ବର୍ଗଙ୍କ ରୋଜଗାରର ସୁବିଧା ପାଇଁ ପ୍ରତିଶୃତିବଦ୍ଧ ହୋଇ କାମ କରୁଛି। ଆଜିର ଅନ୍ଲାଇନ ସେବାଗୁଡିକର ସୁଯୋଗ ନେବା ପାଇଁ ସେ ଶିଳ୍ପ ସଂସ୍ଥାମାନଙ୍କୁ ଅନୁରୋଧ କରିଛନ୍ତି।
ଏହି ଅବସରରେ କଟକ ଜିଲ୍ଲାର ସଂଜୟ ବିଶ୍ୱାଳ, ଅନୁଗୁଳର ଆଶାଲତା ପାଣି ଓ ଗଞ୍ଜାମର ଇ. ସୁଜାତା ପ୍ରମୁଖ ଶିଳ୍ପଦ୍ୟୋଗୀ କରୋନା ସମୟରେ ସରକାରଙ୍କର ଆର୍ଥିକ ସହାୟତା କିପରି ସେମାନଙ୍କ ଶିଳ୍ପକୁ ପୁର୍ନଜୀବନ ଦେବା ସହିତ ଶ୍ରମିକମାନଙ୍କ ରୋଜଗାରର ସୁରକ୍ଷା କରିପାରିଛି, ସେ ସମ୍ପର୍କରେ ପ୍ରକାଶ କହିଥିଲେ।
ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଦେଇଥିଲେ। ଶିଳ୍ପ ବିଭାଗର ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଆଜିର ଅନ୍ଲାଇନ ସେବା ସଂପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ, ଖଦୀ ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ ପାଇକରାୟ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଆର୍.କେ. ଶର୍ମା, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।
୫-ଟି ଅଧିନରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ୧୧ଟି ଅନ୍ଲାଇନ ସେବାଗୁଡିକ ହେଲା-
(୧) ରପ୍ତାନୀ ପ୍ରୋତ୍ସାହନ ଓ ବିପଣନ ପାଇଁ ଅଣୁ, କ୍ଷୁଦ୍ର ଉଦ୍ୟୋଗଗୁଡିକର ପଞ୍ଜୀକରଣ ପ୍ରମାଣ ପତ୍ର
(୨) ମୂଲ୍ୟ ଚୁକ୍ତି ପ୍ରମାଣପତ୍ର
(୩) ପ୍ରୟୋଗଶାଳାମାନ ପରୀକ୍ଷାର ବିବରଣୀ
(୪) ରପ୍ତାନୀ ପ୍ରୋତ୍ସାହନ ସହାୟତା
(୫) ଅଣୁ, କ୍ଷୁଦ୍ର ଉଦ୍ୟୋଗଗୁଡିକର ପ୍ରମାଣ ପତ୍ର ନବୀକରଣ
(୬) ଯୋଗାଣ ପୂର୍ବ ଓ ଯୋଗାଣ ପର ନିରୀକ୍ଷଣ ସେବା
(୭) ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ ପ୍ରମାଣପତ୍ର ପାଇବା ପାଇଁ ସୁପାରିଶ
(୮) ଓଡିଶା ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ ଦ୍ୱାରା ଖଦୀ ଉଦ୍ୟୋଗ ମାନଙ୍କୁ ଦିଆଯାଉଥିବା ରିହାତି
(୯) ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଦ୍ୱାରା ବିଭିନ୍ନ ବିଭାଗ ମାନଙ୍କୁ ବ୍ୟବସାୟିକ ସଂଗଠନ ମାଧ୍ୟମରେ ସାମଗ୍ରୀ ଯୋଗାଣ
(୧୦) ଓଡିଶା ରାଜ୍ୟ ଅର୍ଥ ନିଗମ ଦ୍ୱାରା ଦିଆଯାଉଥିବା ବକେୟା ନଥିବା ପ୍ରମାଣପତ୍ର
(୧୧) ଓଡିଶା ରାଜ୍ୟ ଅର୍ଥ ନିଗମ ଦ୍ୱାରା ୱାନ୍ ଟାଇମ୍ ସେଟେଲମେଣ୍ଟ୍ ବ୍ୟବସ୍ଥା ।
ଏହିସବୁ ସେବାଗୁଡିକ odishamsme.nic.inରେ ଉପଲବ୍ଧ ହେବ। ଉଦ୍ୟୋଗୀମାନେ ସରକାରୀ ଦପ୍ତରକୁ ନ ଆସି ନିଜ ସୁବିଧା ଅନୁସାରେ ଅନ୍ଲାଇନରେ ବିଭିନ୍ନ ସରକାରୀ ସେବା ଓ ସୁଯୋଗ ଗୁଡିକର ଲାଭ ପାଇପାରିବେ। ଏହାପୂର୍ବରୁ ବିଭାଗର ୧୨ଟି ଗୁରୁତ୍ୱପୂର୍ଣ୍ଣ ସେବା ଅନ୍ଲାଇନ ଜରିଆରେ ମିଳିପାରୁଛି ।