ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ହୁଲସ୍ତୁଲ ହୋଇଛି ବିଧାନସଭା।

ରାଜ୍ୟରେ ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ଆଜି ହୁଲସ୍ତୁଲ୍ ହୋଇଛି ବିଧାନସଭା। ବିରୋଧୀମାନେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହିତ ତୁରନ୍ତ ଏହି ନିଷ୍ପତ୍ତିକୁ ବଦଳାଇବାକୁ ଦାବି କରିଛନ୍ତି। ଅନ୍ୟପଟେ ରାଜ୍ୟରେ ସ୍କୁଲ ବନ୍ଦ ହେବାକୁ ନେଇ ତୁରନ୍ତ ନିଷ୍ପତ୍ତି ନିଆ ନଗଲେ ବିଧାନସଭାରେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।ଶନିବାର ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ ଥିଲା। ଗୃହର ଆରମ୍ଭ ହେବା ପରେ ଆଜି ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟରେ ସ୍କୁଲ୍ ବନ୍ଦ ହେବା ପ୍ରସଙ୍ଗକୁ ନେଇ ହୋ ହାଲ୍ଲା କରିଥିଲେ। ରାଜ୍ୟରେ କାହିଁକି ସ୍କୁଲ ବନ୍ଦ ହେଉଛି ଏବଂ ସ୍କୁଲ ବନ୍ଦ ହେଲେ ପିଲା ପଢ଼ିବେ କେଉଁଠି ବୋଲି ବିରୋଧୀମାନେ ପ୍ରଶ୍ନ କରିଥିଲେ। ଏହାପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ ଜାରି କରିବା ସହିତ ଗଣଶିକ୍ଷା ମନ୍ତ୍ରୀଙ୍କୁ ରବିବାର ସୁଦ୍ଧା ଗୃହରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସ୍କୁଲ ବନ୍ଦ ହେବା ଘଟଣାକୁ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ଯେପର୍ଯ୍ୟନ୍ତ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇନି ସେପର୍ଯ୍ୟନ୍ତ ବିଧାନସଭା ଚାଲିବନି। ବାଚସ୍ପତି ଏନେଇ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ। ନହେଲେ ସେ  ବିଧାନସଭା ଭିତରେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି।

ସେହିପରି ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ କହିଛନ୍ତି ଯେ, ପାଠ ପଢ଼ିବା ହେଉଛି ପିଲାମାନଙ୍କର ମୌଳିକ ଅଧିକାର। ରାଜ୍ୟ ସରକାର ଏଥିରୁ ପିଲାଙ୍କୁ ବଞ୍ଚିତ କରିପାରିବେନି। ଏନେଇ ବାଚସ୍ପତି ସର୍ବଦଳୀୟ କମିଟି ଗଠନ କରି ତୁରନ୍ତ ନିଷ୍ପତ୍ତି ନିଅନ୍ତୁ ବୋଲି ସେ କହିଛନ୍ତି।Samir Dashଜବାବରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିରୋଧୀମାନେ ଯେଉଁ ୧୪ ହଜାର ସ୍କୁଲ ବନ୍ଦ ହେବା କଥା କହୁଛନ୍ତି ତାହା ଭଲ୍। ରାଜ୍ୟ ସରକାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲକୁ ମିଶାଇ ମୋଟ ୭,୭୭୨ଟି ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସ୍କୁଲରେ ପିଲାମାନଙ୍କ ସଂଖ୍ୟା ଯଥେଷ୍ଟ କମ ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ତେବେ ସ୍କୁଲ ବନ୍ଦ କରିବାକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ। ଏନେଇ ସେ ସମସ୍ତ ନେତାଙ୍କ ସହ ଆଲୋଚନା କରିବା ପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି।

ରାଜ୍ୟର ଯେଉଁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍ ଅଛି ତାକୁ ବନ୍ଦ କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ବିରୋଧୀମାନେ ଏହି ବନ୍ଦ ହେବାକୁ ଥିବା ସ୍କୁଲ ସଂଖ୍ୟାକୁ ୧୪ ହଜାର କହୁଥିବାବେଳେ, ଗଣଶିକ୍ଷାମନ୍ତ୍ରୀ ଏହାକୁ ୭ ହଜାର ବୋଲି କହୁଛନ୍ତି। ହେଲେ ଏହାସତ୍ତ୍ୱେ ବି ରାଜ୍ୟରେ ଏତେ ସଂଖ୍ୟକ ସ୍କୁଲ ବନ୍ଦ ହେଲେ ପିଲାମାନେ ପଢ଼ିବେ କେଉଁଠି ଓ କରିବେ କଣ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

LEAVE A REPLY

Please enter your comment!
Please enter your name here