ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ପୁରୀ ବାସେଳି ସାହି ଥାନା ହାଜତ ମୃତ୍ୟୁ ମାମଲା ପରେ ପିପିଲି ଥାନାରେ ଅଭିଯୁକ୍ତମାନଙ୍କୁ ଥାର୍ଡ ଡିଗ୍ରୀ ନିର୍ଯାତନା ଦିଆଯିବା ଘଟଣାକୁ ନେଇ ପୋଲିସ ବିବାଦ ଘେରକୁ ଆସିଛି। ଉକ୍ତ ଘଟଣାକୁ ନେଇ ବିରୋଧୀମାନେ ହଙ୍ଗାମା ଚଳାଇଥିବାରୁ ଘଟଣାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବା ଲାଗି ଡିଜିପି ଅଭୟ ସେଣ୍ଟ୍ରାଲ୍ ରେଞ୍ଜ୍ ଡିଆଇଜି ଆଶିଷ ସିଂଙ୍କୁ ଶନିବାର ନିର୍ଦ୍ଦେଶ ଦେଇଛନ୍ତି।

ପିପିଲି ଥାନାର ଏକ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ ଜଣଙ୍କୁ ପୋଲିସ ହାଜତରେ ନିର୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ପୋଲିସ ମାଡ଼ରେ ଅନେକଙ୍କ ଶରୀରରେ କ୍ଷତ ସୃଷ୍ଟି ହେବା ସହ ଦେହରେ ନୋଳା ଫାଟିଯାଇଥିଲା। ଅଭିଯୁକ୍ତମାନେ ନିମାପଡ଼ା ଜେଲ୍‌ରେ ଭର୍ତ୍ତି ହେବା ପରେ ସେମାନଙ୍କ ଅବସ୍ଥାକୁ ଦେଖି ଜେଲ୍ କର୍ତ୍ତୃପକ୍ଷ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ପଠାଇଥିଲେ।

ପୋଲିସର ଥାର୍ଡ ଡିଗ୍ରୀ ଅତ୍ୟାଚାରର ଶିକାର ହୋଇଥିବା ୫ ଜଣଙ୍କ ଅବସ୍ଥା ଭଲ ନଥିବାରୁ ଅଧିକ ଚିକିତ୍ସା ପାଇଁ ଏସ୍‌ସିବି ଡାକ୍ତରଖାନା ଯିବାକୁ ଡାକ୍ତର ପରାମର୍ଶ ଦେବା ପରେ ପୋଲିସର ଚିନ୍ତା ବଢ଼ିଥିଲା। ନିମାପଡ଼ା ଜେଲ୍ କର୍ମଚାରୀଙ୍କ ସହ ମିଶି ପିପିଲି ଥାନା ପୋଲିସ ୫ ଜଣଙ୍କୁ ସୁରକ୍ଷାବଳୟରେ ଆଣି ଏସ୍‌ସିବିରେ ଭର୍ତ୍ତି କରିଛି। ଏସ୍‌ସିବିରେ ସେମାନଙ୍କର ଏକ୍ସରେ, ଅଲଟ୍ରାସାଉଣ୍ଡ୍ ସମେତ ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇଛି। ପିପିଲି ଥାନା ପୋଲିସ ଏବେ ଚିକିତ୍ସାଧୀନ ଅଭିଯୁକ୍ତମାନଙ୍କୁ ଜଗିଥିବା ବେଳେ ସେମାନଙ୍କ ପାଖକୁ କୌଣସି ସମ୍ପର୍କୀୟ କିମ୍ବା ଅନ୍ୟ କାହାକୁ ଛଡ଼ା ଯାଉନାହିଁ।

Comment