ଓଡ଼ିଶାଲାଇଭ୍ ବ୍ୟୁରୋ

ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଜର୍ସିରେ ନଜର ଆସିଛି ଭାରତୀୟ କ୍ରିକେଟ୍ ଦଳ।

ନଭେମ୍ବର ୨୭ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ଭିତରେ ଆରମ୍ଭ ହେବାକୁ  ଯାଉଛି ଦିନିକିଆ ସିରିଜ୍। ଏହି ସିରିଜରେ ଟିମ୍ ଇଣ୍ଡିଆ ନୂଆ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବ। ଯାହାକୁ ନେଇ ବିସିସିଆଇ ପୂର୍ବରୁ ସୂଚନା ଦେଇସାରିଛି। ଅନ୍ୟପଟେ ଟିମ୍ ଇଣ୍ଡିଆକୁ ନୂଆ ରଙ୍ଗର ଜର୍ସିରେ ଦେଖିବାକୁ ଫ୍ୟାନମାନେ ମଧ୍ୟ ଅନେଇ ବସିଛନ୍ତି।

ତେବେ ଟିମ୍ ଇଣ୍ଡିଆ ୧୯୮୫ ମସିହାରୁ ଆଜି ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଜର୍ସିରେ ପଡ଼ିଆକୁ ଓହ୍ଲାଇଛି। କେବେ ଫିକା ନୀଳ ରଙ୍ଗ ତ ଆଉ କେତେବେଳେ ଗାଢ଼ ନୀଳ ରଙ୍ଗର ଡ୍ରେସ ପିନ୍ଧି ଭାରତୀୟ ଖେଳାଳିମାନେ ମ୍ୟାଚ୍ ଖେଳିଛନ୍ତି।୧୯୮୫ ମସିହା ବିଶ୍ୱ କ୍ରିକେଟ୍ ଚାମ୍ପିୟନସିପରେ ପ୍ରଥମ କରି ଅଷ୍ଟ୍ରେଲିଆ ଟିମ୍ ଧଳା ରଙ୍ଗ ପରିବର୍ତ୍ତେ ରଙ୍ଗୀନ ପୋଷାକ ପିନ୍ଧିଥିଲା। ଟିମ୍ ଇଣ୍ଡିଆ ମଧ୍ୟ ସେହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ କରି ରଙ୍ଗୀନ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲା। ଯାହାକି ଫିକା ନୀଳ ରଙ୍ଗର ଥିଲା।ଏହାପରେ ୧୯୯୦ ମସିହାରେ ପ୍ରଥମ କରି ରଙ୍ଗୀନ ପୋଷାକରେ କ୍ରିକେଟ୍  ବିଶ୍ୱକପ୍ ଖେଳାଯାଇଥିଲା। ପ୍ରତିଟି ଦେଶର ଖେଳାଳିମାନେ ରଙ୍ଗୀନ ଜର୍ସି ପିନ୍ଧି କ୍ରିକେଟ୍ ଖେଳିଥିଲେ। ଏହି ବିଶ୍ୱକପରେ ଟିମ୍ ଇଣ୍ଡିଆ ଗାଢ଼ ନୀଳ ରଙ୍ଗର ଜର୍ସିରେ ନଜର ଆସିଥିଲା। ସେ ସମୟରେ ଟିମ୍ ଇଣ୍ଡିଆ ପିନ୍ଧିଥିବା ଜର୍ସି ଷ୍ଟାଇଲକୁ ୨୦୨୦ରେ ପୁଣିଥରେ ଟିମ୍ ଇଣ୍ଡିଆ ପିନ୍ଧିବ।୧୯୯୬ ମସିହାରେ ଟିମ୍ ଇଣ୍ଡିଆର ଜର୍ସି ପୁଣିଥରେ ବଦଳିଥିଲା। ଏଥର ଗାଢ଼ ନୀଳ ରଙ୍ଗ ବଦଳରେ ଖେଳାଳିମାନେ ଫିକା ନୀଳ ରଙ୍ଗ ସାଙ୍ଗକୁ ହଳଦିଆ ଷ୍ଟ୍ରିପର ଜର୍ସି ପିନ୍ଧିଥିଲେ। ଏହି ଷ୍ଟାଇଲର ଜର୍ସି ଟିମ୍ ଇଣ୍ଡିଆ ବହୁ ବର୍ଷ ଧରି ପିନ୍ଧିଥିଲା। ମଝିରେ ଏହାର ରଙ୍ଗ ସାମାନ୍ୟ ବଦଳିଥିଲେ ମଧ୍ୟ ଏହା ଷ୍ଟାଇଲ୍ ପାଖାପାଖି ସମାନ ରହିଥିଲା।

୧୯୯୮ ମସିହାରେ ଟିମ୍ ଇଣ୍ଡିଆ ତ୍ରିରଙ୍ଗା ପତାକା ଚିହ୍ନିତ ଜର୍ସି ପିନ୍ଧି ପାକିସ୍ତାନ ଯାଇଥିଲା। ଏହି ନୂଆ ଡ୍ରେସର ଦୁଇ କାନ୍ଧ ପାଖରେ ତ୍ରିରଙ୍ଗା ରଙ୍ଗ ଚିହ୍ନତ ହୋଇଥିବାବେଳେ ଏହା ଫିକା ନୀଳ ରଙ୍ଗର ଥିଲା। ତା ସହ ଏଥିରେ ବିସିସିଆଇ ଲୋଗୋ ମଧ୍ୟ ରହିଥିଲା।ଏହାର ଗୋଟିଏ ବର୍ଷ ପରେ ୧୯୯୯ ମସିହାରେ ପୁଣି ବଦଳିଥିଲା ଟିମ୍ ଇଣ୍ଡିଆର ଡ୍ରେସ୍ ଷ୍ଟାଇଲ୍। ‘ୱାଇ୍’ ଚିହ୍ନିତ ମାର୍କ ସାଙ୍ଗକୁ ହଳଦିଆ ରଙ୍ଗ ଷ୍ଟ୍ରିପରେ ଖେଳାଳିମାନେ ପଡ଼ିଆକୁ ଓହ୍ଲାଇଥିଲେ। ଏହାକୁ ବିସିସିଆଇର ଲୋଗୋ ବୋଲି ମଧ୍ୟ କୁହାଯାଉଥିଲା। ଏହି ଜର୍ସି ପିନ୍ଧି ଟିମ୍ ଇଣ୍ଡିଆ ସେହି ବର୍ଷ ବିଶ୍ୱକପ୍ ମଧ୍ୟ ଖେଳିଥିଲା।

୨୦୦୧ରୁ ୨୦୦୩ ଭିତରେ ଟିମ୍ ଇଣ୍ଡିଆର ଜର୍ସିରେ ବହୁତ ପରିବର୍ତ୍ତନ ଆସିଥିଲା। ନୂଆ ଜର୍ସିରେ ଖେଳାଳିଙ୍କ ଛାତି ପାଖରେ ତ୍ରିରଙ୍ଗା ପତାକା ଚିହ୍ନିତ କରାଯାଇଥିଲା। କୁହାଯାଏ, ଏହା ଟିମ୍ ଇଣ୍ଡିଆର ସବୁଠୁ ଲୋକପ୍ରିୟ ଜର୍ସି ଥିଲା। ଏହି ଷ୍ଟାଇଲର ଜର୍ସି ପିନ୍ଧି ଟିମ୍ ଇଣ୍ଡିଆ ବିଶ୍ୱକପ୍ ଫାଇନାଲରେ ପହଞ୍ଚିବା ସହ ପାକିସ୍ତାନ ମାଟିରେ ଚମକପ୍ରଦ ବିଜୟ ହାସଲ କରିଥିଲା।୨୦୦୭ ମସିହାରେ ପ୍ରଥମ କରି ଆୟୋଜିତ ହୋଇଥିଲା ଟି-ଟ୍ୱେଣ୍ଟି ବିଶ୍ୱକପ୍। ଏହି ଟୁର୍ଣ୍ଣାମେଣ୍ଟରେ ଧୋନୀଙ୍କ ନେତୃତ୍ୱାଧୀନ ଯୁବ ଦଳର ଜର୍ସିରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ତ୍ରିରଙ୍ଗା ପତାକାର ରଙ୍ଗ ଏଣିକି ଛାତି ବଦଳରେ ଖେଳାଳିଙ୍କ ଡାହାଣ ପାଖ କାନ୍ଧ ତଳେ ଚିହ୍ନିତ କରାଯାଇଥିଲା। ଏହି ବିଶ୍ୱକପରେ ଟିମ୍ ଇଣ୍ଡିଆ ଚାମ୍ପିୟନ ହୋଇ ଭାରତ ଫେରିଥିଲା।

ଏହାପରଠାରୁ ୨୦୧୫ ମସିହା ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ନୀଳ ରଙ୍ଗର ଜର୍ସି ପିନ୍ଧି ଆସୁଛି। ଏହାର ସ୍ପନସର ବଦଳୁଥିଲେ ମଧ୍ୟ ଷ୍ଟାଇଲ୍ ପ୍ରାୟତଃ ସମାନ ରହିଛି। ପ୍ରଥମେ ସାହାରା, ଏହାପରେ ଷ୍ଟାର ଏବଂ ଓପୋ କମ୍ପାନି ଭାରତର ସ୍ପନସର ରହିଛନ୍ତି।୨୦୧୯ ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ଏକ ଭିନ୍ନ ରଙ୍ଗର ଜର୍ସିରେ ଦେଖିବାକୁ ମିଳିଥିଲା। ଇଂଲଣ୍ଡ ବିପକ୍ଷ ମ୍ୟାଚରେ କୋହଲି ବାହିନୀ ଗାଢ଼ ନୀଳ ଓ କମଳା ରଙ୍ଗର ଜର୍ସି ପିନ୍ଧି ଖେଳାଳିମାନେ ପଡ଼ିଆକୁ ଓହ୍ଲାଇଥିଲେ। ଏହାପରେ ୨୦୨୦ରେ ଟିମ୍ ଇଣ୍ଡିଆ ପୁଣି ନୂଆ ଜର୍ସି ସହ ଅଷ୍ଟ୍ରେଲିଆ ମାଟିରେ କ୍ରିକେଟ୍ ଖେଳିବ।

LEAVE A REPLY

Please enter your comment!
Please enter your name here