ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ କୃଷି ଆଇନ୍ ବିରୋଧରେ ବିକ୍ଷୋଭ କରିବାକୁ ଚାଷୀଙ୍କୁ ମିଳିଲା ଅନୁମତି। ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ପୋଲିସ ସହ ସଂଘର୍ଷ କରିବା ପରେ ଶେଷରେ ଚାଷୀଙ୍କୁ ଦିଲ୍ଲୀରେ ପ୍ରବେଶ ପାଇଁ ଅନୁମତି ମିଳିଛି। ଚାଷୀମାନେ ଦିଲ୍ଲୀର ନିରଙ୍କାରୀ ପଡ଼ିଆରେ ବିକ୍ଷୋଭ କରିପାରିବେ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି।

ପଞ୍ଜାବ ଓ ହରିୟାଣାର ହଜାର ହଜାର ଚାଷୀ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ମୁହାଁ ହୋଇଥିଲେ। ହେଲେ ତାଙ୍କୁ ବର୍ଡରରେ ହିଁ ଅଟକାଇ ଦେଇଥିଲା ପୋଲିସ। ଯାହାକୁ ନେଇ ଚାଷୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ। ଚାଷୀମାନେ ପୋଲିସ ଉପରକୁ ପଥର ମାଡ଼ କରିବା ସହ ପୋଲିସ ମଧ୍ୟ ଚାଷୀଙ୍କ ଉପରକୁ ଲୁହ ବୁହା ଗ୍ୟାସ ଓ ପାଣିମାଡ଼ କରିଥିଲା।ଏହାକୁ ନେଇ ରାଜନୀତି ମଧ୍ୟ ତେଜିଥିଲା। ପଞ୍ଜାବ ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ କେନ୍ଦ୍ର ସରକାର ଏନେଇ ତୁରନ୍ତ ଚାଷୀଙ୍କ ସହ କଥାବାର୍ତ୍ତା କରନ୍ତୁ ବୋଲି କହିଥିଲେ। ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ଘଟଣାକୁ ନେଇ ମୋଦୀଙ୍କୁ ଟାର୍ଗେଟ କରିଥିଲେ। ମୋଦୀ ସରକାରଙ୍କୁ କୃଷକଙ୍କ କଥା ମାନିବାକୁ ପଡ଼ିବ ଏବଂ ନୂଆ କୃଷି ଆଇନକୁ ଫେରାଇନେବା ପାଇଁ ସେ ଦାବି କରିଥିଲେ।

ତେବେ ଶେଷରେ କିନ୍ତୁ ଚାଷୀମାନଙ୍କୁ ଦିଲ୍ଲୀର ବୁରାଡ଼ିରେ ଥିବା ନିରଙ୍କାରୀ ପଡ଼ିଆରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଅନୁମତି ଦିଆଯାଇଛି। ଏହି ସମୟରେ କିନ୍ତୁ ସେମାନଙ୍କୁ ସମସ୍ତ କୋଭିଡ୍ ନିୟମ ମାନିବାକୁ ପଡ଼ିବ ବୋଲି କୁହାଯାଇଛି। ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ ବୋଲି କୃଷକ ନେତାମାନଙ୍କୁ ଜଣାଇ ଦିଆଯାଇଛି।

ଅନ୍ୟପଟେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ, ଡିସେମ୍ବର ୩ ତାରିଖରେ ସରକାର କୃଷକମାନଙ୍କ ସହ ଆଲୋଚନା କରିବେ।  ବିରୋଧୀମାନେ ବିନା କୌଣସି କାରଣରେ ଚାଷୀମାନଙ୍କୁ ଉସୁକାଉଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here