ଓଡ଼ିଶାଲାଇଭ୍ ବ୍ୟୁରୋ

ଗୋଷ୍ଠୀ ସଂଘର୍ଷର ନିଆଁରେ ଜଳୁଛି ହରିୟାଣା। ରାଜ୍ୟର ନୁହ ଜିଲ୍ଲାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଛି। ସୋମବାର ଏକ ଧର୍ମୀୟ ସଂଗଠନର ଶୋଭାଯାତ୍ରା ବେଳେ ଅନ୍ୟ ଏକ ଗୋଷ୍ଠୀର ଲୋକମାନେ ପଥରମାଡ଼ କରିବାରୁ ଜୋର ଧରିଥିଲା ହିଂସାକାଣ୍ଡ। ଏହାପରେ ଉତ୍ତ୍ୟକ୍ତ ଲୋକମାନେ ସୁରକ୍ଷା ଦାୟିତ୍ଵରେ ଥିବା ପୋଲିସ ଉପରକୁ ଗୁଳି ଚଳାଇବା ସହ ଅନେକ ଗାଡ଼ି ଜାଳିଦେଇଥିଲେ।

ହିଂସାରେ ହୋଇଥିବା ଗୁଳିକାଣ୍ଡରେ ପ୍ରଥମେ ୨ ଜଣ ହୋମଗାର୍ଡ ପ୍ରାଣ ହରାଇଥିଲେ। ଏହାପରେ ହିଂସା ଉଗ୍ର ରୁପ ଧାରଣ କରିଥିଲା। ପରେ ଏଥିରେ ଅନ୍ୟ ଦୁଇ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ପୋଲିସ ଓ ଲୋକ ଆହତ ହୋଇଥିଲେ।

ନୁହ ଜିଲ୍ଲାରେ ଏହି ଘଟଣା ଘଟିବାପରେ ଏହାର ନିଆଁ ହରିୟଣାର ଅନ୍ୟ ଜିଲ୍ଲାରେ ବ୍ୟାପି ଯାଇଥିଲା। ଗୁରୁଗ୍ରାମ, ସୋହନା, ମେବାତ ଭଳି ଜିଲ୍ଲାର କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା। ଏଥିରେ ଉତ୍ତ୍ୟକ୍ତ ଲୋକେ ଅନେକ ଗାଡ଼ି ଓ ଦୋକାନରେ ନିଆଁ ଲଗାଇଦେଇଥିଲେ।

ଅନ୍ୟପଟେ ନୁହରେ ହିଂସାପରେ ଲୋକମାନେ ରାସ୍ତା ଅବରୋଧ କରିଥିଲେ। ପୋଲିସ ବିଶୃଙ୍ଖଳ ଲୋକଙ୍କୁ ଘଉଡ଼ାଇବା ପାଇଁ ଟିୟର ଗ୍ୟାସ ଛାଡ଼ିବା ସହ ଲାଠିଚାର୍ଜ କରିଥିଲା। ଏହି ହିଂସାବେଳେ ଗୁରୁଗ୍ରାମ ନିକଟସ୍ଥ ଏକ ମନ୍ଦିରରେ ମହିଳା ଏବଂ ଶିଶୁଙ୍କ ସମେତ ପ୍ରାୟ ୨୫୦୦ ଲୋକ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଥିଲା।

ସେହିପରି ହିଂସା ରୋକିବା ପାଇଁ ହରିୟଣା ସରକାର ନୁହ ଜିଲ୍ଲାରେ କର୍ଫ୍ୟୁ ଲଗାଇବା ସହ ଅନ୍ୟ ୫ଟି ଜିଲ୍ଲାରେ ୧୪୪ ଧାରା ଜାରି କରିଛନ୍ତି। ଏହାଛଡ଼ା ନୁହ ଜିଲ୍ଲାରେ ବୁଧବାର ଯାଏଁ ଇଣ୍ଟରନେଟ ବ୍ୟାନ କରାଯାଇଛି। ହିଂସାଗ୍ରସ୍ତ ଜିଲ୍ଲାଗୁଡ଼ିକରେ ବ୍ୟାପକ ପୋଲିସ ଫୋର୍ସ ସହ ଅର୍ଦ୍ଧସାମରିକ ବଳର ୧୫ଟି କମ୍ପାନି ମୁତୟନ କରାଯାଇଛି।

ମୁସଲିମ ବହୁଳ ନୁହ ଜିଲ୍ଲାରେ ସୋମବାର ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଜଳାଭିଷେ‌କ ଶୋଭାଯାତ୍ରା କରାଯାଉଥିଲା। ଏହି ଶୋଭାଯାତ୍ରା ଗୁରୁଗ୍ରାମର ସିଭିଲ ଲାଇନ୍ସ ଅଞ୍ଚଳରୁ ଆରମ୍ଭ ହୋଇଥିଲା। ନୁହର ଖେଡ଼ଲା ମୋଡ଼ ନିକଟରେ ଶୋଭାଯାତ୍ରା ଯାଉଥିବାବେଳେ ଅନ୍ୟ ଗୋଷ୍ଠୀର ଲୋକ ଆସି ଏଥିରେ ସାମିଲ ଥିବା ଲୋକଙ୍କ ଉପରକୁ ପଥର ମାଡ଼ କରିଥିଲେ। ଏହାପରେ ହିଂସାକାଣ୍ଡ ଆରମ୍ଭ ହୋଇଯାଇଥିଲା।

Tags: #Haryana #CommunalViolence #NuhDistrict #Curfew #SecurityArrangements

Comment