ଓଡ଼ିଶାଲାଇଭ୍ ବ୍ୟୁରୋ

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ଧବଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ। ୧୯୬୨ରେ ଏହା ପ୍ରତିଷ୍ଠା ହେବା ଦିନଠାରୁ ଏଯାବତ୍ ସ୍କୁଲ ପ୍ରତି ଅବଦାନ ଦେଇ ଆସିଛନ୍ତି ଦୁଇଭାଇ। ସେମାନେ ହେଲେ ରାମହରି ସାହୁ ଓ ତାଙ୍କ ସମ୍ପର୍କୀୟ ଭାଇ ସତ୍ୟ ନାରାୟଣ ସାହୁ।
ରାମହରି ବାବୁ ଟିଟିଲାଗଡ଼ ଡିଏଭି କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ। ସତ୍ୟନାରାୟଣ ବାବୁ ଜଣେ ଆଇନଜୀବୀ। ଉଭୟଙ୍କ ବୟସ ୭୮ ପାଖାପାଖି। ଆରମ୍ଭରେ ଅନୁଷ୍ଠାନର ନାମ ଧବଳେଶ୍ୱର ବିଦ୍ୟାପୀଠ ଥିଲା ଓ ଏହାର ପ୍ରତିଷ୍ଠା ପଛରେ ପ୍ରମୁଖ ଭୂମିକା ନେଇଥିଲେ ସେମାନଙ୍କ ପରିବାର।
“ପ୍ରତିଷ୍ଠା ହେବା ସମୟରେ ମାତ୍ର ଜଣେ ଶିକ୍ଷକଙ୍କୁ ନେଇ ସ୍କୁଲ ଆରମ୍ଭ ହୋଇଥିଲା। ସେତେବେଳେ ଆମେ କଲେଜରେ ପଢୁଥିଲୁ। କଲେଜ ଛୁଟି ଥିଲେ ଆମେ ଆସି ସ୍କୁଲରେ ପିଲାଙ୍କୁ ପଢ଼ାଉଥିଲୁ। ଏପରିକି ଡ୍ରାମା କରି ସେଥିରୁ ମିଳୁଥିବା ଅର୍ଥକୁ ସ୍କୁଲ କାମରେ ଲଗାଇ ଦେଉଥିଲୁ”, କହିଛନ୍ତି ସତ୍ୟନାରାୟଣ ସାହୁ।
୨୦୦୭ରେ ବିଦ୍ୟାଳୟରେ ସହ ଅଷ୍ଟମ ଶ୍ରେଣୀ ଯୋଡ଼ିହେଲା। ୨୦୦୮ରେ ସ୍କୁଲ କୋଠାଘରର ରୂପ ନେଲା। ସେତେବେଳେ ରାମହରି ଓ ସତ୍ୟନାରାୟଣଙ୍କ ପରିବାରର ସହଯୋଗରେ ୪ଟି ଏବଂ ସରକାରୀ ଅନୁଦାନରେ ଆଉ ୪ଟି ଶ୍ରେଣୀଗୃହ ନିର୍ମାଣ ହୋଇଥିଲା। ୨୦୧୬ରେ ହାଇସ୍କୁଲ ପାଇଁ ଅନୁମତି ମିଳିବା ପରେ ୨୦୧୭ ଶିକ୍ଷାବର୍ଷରୁ ଏଠାରେ ନବମ ଓ ଦଶମ ଶ୍ରେଣୀ ଆରମ୍ଭ କରାଗଲା। ବର୍ତ୍ତମାନ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ୬୬୪ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି।
“ଅଧିକ ପିଲାଙ୍କ ପାଇଁ ଶ୍ରେଣୀଗୃହ ଓ ଅନ୍ୟ ଭିତ୍ତିଭୂମି ଆବଶ୍ୟକ ଥିଲା। ଏହାକୁ ପୂରଣ କରିବା ପାଇଁ ଆମେ ଗଢ଼ିଲୁ ଧବଳେଶ୍ୱର ଚାରିଟେବୁଲ ଟ୍ରଷ୍ଟ। ଆମର ପିଲାମାନେ, ସମ୍ପର୍କୀୟ ଓ ଅନେକ ବନ୍ଧୁ ଏହି ସ୍କୁଲରୁ ଶିକ୍ଷା ଲାଭ କରିଛନ୍ତି। ସେମାନେ ଏବେ ନିଜ ନିଜ ଜାଗାରେ ବେଶ୍ ପ୍ରତିଷ୍ଠିତ। ତେଣୁ ସ୍କୁଲର ଭିତ୍ତିଭୂମିକୁ ନୂଆ ରୂପ ଦେବା ପାଇଁ ସମସ୍ତେ ଆର୍ଥିକ ସହଯୋଗର ହାତ ବଢ଼ାଇଲେ”, କହିଛନ୍ତି ରାମହରି ସାହୁ।
ଏହି ଉଦ୍ୟମ ଯୋଗୁଁ ୨୦୧୮ ବେଳକୁ ପ୍ରାୟ ୩୫ ଲକ୍ଷ ଟଙ୍କା ସଂଗ୍ରହ ହୋଇପାରିଥିଲା। ସେହି ସମୟରେ ରାଜ୍ୟ ସରକାର ଆରମ୍ଭ କଲେ ‘ମୋ ସ୍କୁଲ ଅଭିଯାନ’। ଅଭିଯାନ ଅଧୀନରେ ୩୫ ଲକ୍ଷ ଟଙ୍କା ଜମା ଦେବାରୁ ସ୍କୁଲକୁ ତାହାର ଦୁଇଗୁଣା ଅନୁଦାନ ମିଳିଲା। ସେହି ଅର୍ଥରେ ନୂଆ ଦୁଇମହଲା କୋଠା ତିଆରି ହୋଇପାରିଲା। ଏଥିରେ ୧୬ଟି କ୍ଲାସରୁମ୍ କରାଯାଇଛି। ଆବଶ୍ୟକ ବିଦ୍ୟୁତିକରଣ, ବାଳକ ଓ ବାଳିକାଙ୍କ ପାଇଁ ଶୌଚାଳୟ, ଏବଂ ବିଜ୍ଞାନ ଲାବୋରାଟୋରି ମଧ୍ୟ କରାଯାଇଛି।
ତାଙ୍କ ପରିବାର ଲୋକ ଓ ବନ୍ଧୁମାନେ ମିଶି ପୁଣି ୭ ଲକ୍ଷ ଟଙ୍କା ସଂଗ୍ରହ କଲେ। ତାହାକୁ ସ୍କୁଲର ପାଚେରି ପ୍ରସ୍ତାବ ସହ ‘ମୋ’ ସ୍କୁଲ ଅଭିଯାନ’ରେ ଯୋଡ଼ିବା ଫଳରେ ସେ କାମ ବି ହେବାକୁ ଯାଉଛି। ୪.୮୭ ଏକର ଜମିରେ ଥିବା ଧବଳେଶ୍ୱର ଉଚ୍ଚ ବିଦ୍ୟାଳୟର ନବ କଳେବର ପାଇଁ ଟ୍ରଷ୍ଟ ଦିନେ ଯେଉଁ ସ୍ୱପ୍ନ ଦେଖିଥିଲା, ସେଥିରେ ସାହସ ଓ ସମ୍ବଳ ଯୋଡ଼ି ତାକୁ ସତରେ ପରିଣତ କଲା ମୋ’ ସ୍କୁଲ ଅଭିଯାନ।
(ସୌଜନ୍ୟ: ‘ମୋ ସ୍କୁଲ୍ ଅଭିଯାନ’ ସୂଚନାପତ୍ର, ନଭେମ୍ବର ୨୦୨୦)

















