ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ୫ ତଳକୁ ଖସି ଆସିଛି। ରବିବାର ଦିନ ରାଜ୍ୟରେ ମାତ୍ର ୪ ଜଣ ପ୍ରାଣ ହରାଇଛନ୍ତି। ବିଗତ ଚାରି ମାସ ମଧ୍ୟରେ କରୋନା ମୃତ୍ୟୁରେ ଏହା ହେଉଛି ସବୁଠାରୁ କମ ସଂଖ୍ୟା। ଏହା ପୂର୍ବରୁ ଜୁଲାଇ ୧୮ରେ ମାତ୍ର ୩ ଜଣ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଏହା ସହିତ ମାର୍ଚ୍ଚ ପରଠାରୁ ଏଯାଏଁ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୭୩୪ ରେ ପହଞ୍ଚିଛି।
ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ, ରାଜ୍ୟରେ କରୋନା ପ୍ରକୋପ ହ୍ରାସ ପାଇବାରେ ଲାଗିଛି। ସେହିଭଳି ନୂଆ ସଂକ୍ରମଣ ମଧ୍ୟ ୫୦୦ ତଳକୁ ଖସିଛି। ଉଦାହରଣ ସ୍ଵରୂପ ସୋମବାର ରାଜ୍ୟରେ ମୋଟ୍‌ ୪୧୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ୍ ୩ ଲକ୍ଷ ୧୮ ହଜାର ୩୦୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ରବିବାର ଦିନ ଯେଉଁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ୨ ଜଣ, ଢେଙ୍କାନାଳ ଓ ବାଲେଶ୍ଵରରୁ ଜଣେ ଲେଖାଏଁ ରହିଥିଲେ।“ଗୋଟିଏ ଦିନରେ ମାତ୍ର ୪ ଜଣ ପ୍ରାଣ ହରାଇଥିବା ଘଟଣା ରାଜ୍ୟ ପାଇଁ ଏକ ବଡ଼ ଆଶ୍ୱସ୍ତି”, କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବୈଷୟିକ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା।
ତେବେ ଡିସେମ୍ବର ମାସରେ ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡା କାଶ ବଢିବାର ଆଶଙ୍କା ଥିବାରୁ କୋଭିଡ ପାଇଁ ସତର୍କ ରହିବାକୁ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Comment