ଓଡ଼ିଶାଲାଇଭ୍ ବ୍ୟୁରୋ
ଜନବିରୋଧୀ କାମ ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଙ୍ଗଳବାର ପୋଲିସ ବିରୋଧରେ ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ତାଙ୍କ ବିରୋଧରେ କୌଣସି ବି ଅଭିଯୋଗ ନଥିଲେ ମଧ୍ୟ ପୋଲିସ ଜାଣିଶୁଣି ତାଙ୍କର ସମ୍ପର୍କୀୟ ଲୋକଙ୍କୁ ହଇରାଣ ହରକତ କରୁଥିବା ସେ ଅଭିଯୋଗ କରିଛନ୍ତି।
ତାଙ୍କ କହିବା ମୁତାବକ, ଏପର୍ଯ୍ୟନ୍ତ ତାଙ୍କ ବିରୋଧରେ ଜଣେ କେହି ବି ଲୋକ କୌଣସି ଅଭିଯୋଗ କରିନାହାନ୍ତି। ହେଲେ ପୋଲିସ କିନ୍ତୁ କିଛି ଲୋକଙ୍କୁ ଜାଣିଶୁଣି ତାଙ୍କ ବିରୋଧରେ ଅଭିଯୋଗ କରିବାକୁ ବାଧ୍ୟ କରୁଛି। ଏପରିକି ପୋଲିସ ସେମାନଙ୍କୁ ଥାର୍ଡ ଡିଗ୍ରୀ ଦେଉଥିବା ମଧ୍ୟ ପ୍ରଦୀପ ଗଣମାଧ୍ୟମକୁ କହିଛନ୍ତି।“ରାଜ୍ୟରେ ଆହୁରି ଅନେକ ଘଟଣା ଅଛି। ପରୀ ବୋଲି ଛୋଟ ଝିଅର ମୃତ୍ୟୁ ପ୍ରସଙ୍ଗ, ଆଠଗଡ଼ର ଚାଷୀ ଆତ୍ମାହୁତି ପ୍ରସଙ୍ଗ ଥିବାବେଳେ ପୋଲିସ ଜାଣିଶୁଣି ତାଙ୍କ ପଛରେ ପଡ଼ିଛି। ତା ସହିତ ତାଙ୍କ ସମ୍ପର୍କୀୟ ଓ ପାଖ ଲୋକଙ୍କୁ ହଇରାଣ କରୁଛି”, କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।
ଆଇଏଫ୍ଏସ୍ ଅଭୟ ପାଠକଙ୍କ ସହ ଲିଙ୍କ୍ ଓ ଜନବିରୋଧୀ କାମ ପାଇଁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗତ ରବିବାର ଦିନ ବିଜେଡିରୁ ବହିଷ୍କୃତ କରାଯାଇଛି। ଏହାପରେ ଲକଡାଉନ୍ ସମୟରେ ତାଙ୍କର ଦାମୀ ହୋଟେଲରେ ରହଣୀ ଓ ଚାଟାର୍ଡ ପ୍ଲେନରେ ବୁଲିବା ତଥ୍ୟ ମଧ୍ୟ ପଦାକୁ ଆସିବାରେ ଲାଗିଛି। ଯାହାକୁ ନେଇ ଏବେ ପୋଲିସ ଖୋଳତାଡ଼ ଜାରି ରଖିଛି।