ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଏବେ କମିବାରେ ଲାଗିଛି କରୋନା ସଂକ୍ରମଣ ଏବଂ ମୃତ୍ୟୁ।
ରାଜ୍ୟର କରୋନା ଗ୍ରାଫ୍ ଏବେ ତଳମୁହାଁ। କିଛି ମାସ ଧରି ଦ୍ରୁତ ସଂକ୍ରମଣ ହେବା ପରେ ଗତ ଦୁଇ ସପ୍ତାହେ ହେଲା ରାଜ୍ୟରୁ ପ୍ରତିଦିନ ହଜାରେରୁ କମ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସେହିପରି ଗତ ୪ ଦିନ ହେଲା କରୋନା ମୃତ୍ୟୁରେ ମଧ୍ୟ ବ୍ରେକ୍ ଲାଗିଛି। ଯାହାଫଳରେ ରାଜ୍ୟର ୩୦ ଯାକ ଜିଲ୍ଲାରେ ଏବେ ରେଡ୍ ଜୋନରୁ ମୁକ୍ତ ହୋଇ ଗ୍ରୀନ ଜୋନରେ ପହଞ୍ଚିଛନ୍ତି।
ରାଜ୍ୟ ସରକାରଙ୍କ କୋଭିଡ୍ ଡ୍ୟାସବୋର୍ଡକୁ ଅନୁଧ୍ୟାନ କଲେ ଜଣାପଡ଼ିବ ଯେ, ରାଜ୍ୟର କୌଣସି ଜିଲ୍ଲାରେ ବି ଏବେ ୫୦୦ରୁ ଅଧିକ ସକ୍ରିୟ କରୋନା ଆକ୍ରାନ୍ତ ନାହାନ୍ତି। ବୁଧବାର ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୪୫୦ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି। ଏହା ପଛକୁ କଟକରେ ୪୧୩ , ଅନୁଗୁଳରେ ୩୮୬ ଏବଂ ମୟୂରଭଞ୍ଜରେ ମାତ୍ର ୩୮୯ କରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି। ଏହାବାଦ ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଖୁବ କମ୍, ଯେଉଁ କାରଣରୁ ରାଜ୍ୟର ସବୁ ଜିଲ୍ଲା ଏବେ ଗ୍ରୀନ୍ ଜୋନ୍ ଭାବେ ଘୋଷିତ ହୋଇଛି।
୩୦ ଜିଲ୍ଲା ଗ୍ରୀନ୍ ଜୋନ୍
ଯେଉଁ ଜିଲ୍ଲାରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହ ଉପରେ ରହିଥିବା ସେହି ଜିଲ୍ଲାକୁ ଅରେଞ୍ଜ ଜୋନ୍ ଭାବେ ଘୋଷଣା କରାଯିବ। ସେହିପରି ହଜାରେରୁ ଅଧିକ କରୋନା ଆକ୍ରାନ୍ତ ସକ୍ରିୟ ଥିଲେ ସମ୍ପୃକ୍ତ ଜିଲ୍ଲାକୁ ରେଡ୍ ଜୋନ୍ ଭାବେ ଘୋଷଣା କରାଯିବ। ତେବେ ରାଜ୍ୟର ୩୦ଟି ଜିଲ୍ଲାରେ ଏବେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ତଳକୁ ରହିଛି। ଯେଉଁ କାରଣରୁ ସମସ୍ତ ଜିଲ୍ଲା ଏବେ ଗ୍ରୀନ ଜୋନରେ ଅଛନ୍ତି।
ମୃତ୍ୟୁରେ ବି ଲାଗିଲାଣି ବ୍ରେକ୍
ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ରାଜ୍ୟ ସରକାରଙ୍କୁ ଯେତିକି ଚିନ୍ତାରେ ପକାଇନଥିଲା ତା’ଠୁ ଅଧିକ ଚିନ୍ତାଜନକ ଥିଲା କରୋନା ମୃତ୍ୟୁରେ ବ୍ରେକ୍ ନଲାଗିବା। ନଭେମ୍ବର ଦ୍ୱିତୀୟ ସପ୍ତାହରୁ ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମିବା ଆରମ୍ଭ ହୋଇଥିଲା। ଏପରିକି ସଂକ୍ରମଣର ମାତ୍ରା ଦୈନିକ ହଜାରେ ତଳକୁ ମଧ୍ୟ ଖସିଥିଲା। ହେଲେ କରୋନା ମୃତ୍ୟୁ କିନ୍ତୁ ଥମିନଥିଲା। ପ୍ରତିଦିନ ୧୦ରୁ ଅଧିକ ଆକ୍ରାନ୍ତ ଆଖି ବୁଜୁଥିଲେ। ତେବେ ଗତ ୨୯ ତାରିଖରୁ ରାଜ୍ୟରେ କରୋନା ମୃତ୍ୟୁ ମଧ୍ୟ ଥମିବାରେ ଲାଗିଛି।
ନଭେମ୍ବର ୨୯ ପୂର୍ବରୁ ପ୍ରତିଦିନ ୧୦ରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଉଥିଲେ। ହେଲେ ଏହାପରଠାରୁ ନଭେମ୍ବର ୨୯ରେ ୪ ଜଣ, ନଭେମ୍ବର ୩୦ରେ ୫ ଜଣ, ଡିସେମ୍ବର ୧ରେ ୫ ଜଣ ଏବଂ ଡିସେମ୍ବର ୨ରେ ମାତ୍ର ୬ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ତେଣୁ ସଂକ୍ରମଣ ପରେ ଏବେ ମୃତ୍ୟୁକୁ ମଧ୍ୟ ରୋକିବାକୁ ରାଜ୍ୟ ସରକାର ସକ୍ଷମ ହୋଇଥିବା କୁହାଯାଉଛି।
ବଢ଼ିଲା କଟକଣା, କମିଲା କରୋନା
ରାଜ୍ୟରେ କରୋନାର ସଂକ୍ରମଣ ଯେତେବେଳେ ବୃଦ୍ଧି ପାଉଥିଲା; ସେତେବେଳ ରାଜ୍ୟ ସରକାର ଏହାକୁ କମାଇବାକୁ ଜୋରଦାର କସରତ କରୁଥିଲେ। ବିଶେଷକରି ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ୱ ଦିଆଯାଉଥିଲା। ଏହାପରେ କେନ୍ଦ୍ର ସରକାର ଅନଲକ୍ କରିଥିଲେ ମଧ୍ୟ ରାଜ୍ୟ ସରକାର କେତୋଟି କ୍ଷେତ୍ରରେ କଟକଣା ଜାରି କରିଥିଲେ।
ବିଶେଷକରି ବିନା ଭକ୍ତରେ ଦଶହରା, ବିନା ବାଣରେ ଦୀପାବଳି ଏବଂ ନଦୀ ଘାଟ ବିନା ଛଟ ପୂଜା କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ତା’ ସହ ସଂକ୍ରମଣ ନବଢ଼ିବା ପାଇଁ ରାଜ୍ୟ ସରକାର ଐତିହାସିକ ବାଲିଯାତ୍ରା, କାର୍ତ୍ତିକ ପୂର୍ଣ୍ଣିମା ଆଦିକୁ ମଧ୍ୟ ବନ୍ଦ କରିଦେଇଥିଲେ। ଯାହାର ଫଳାଫଳ ଏବେ ଦେଖିବାକୁ ମିଳୁଛି। ରାଜ୍ୟର ସଂକ୍ରମଣ କମିବା ସହିତ ମୃତ୍ୟୁରେ ବି ବ୍ରେକ୍ ଲାଗିଛି।
ରାଜ୍ୟର କରୋନା ଅପଡେଟ୍
ଡିସେମ୍ବର ପହିଲା ସୁଦ୍ଧା ମିଳିଥିବା ରିପୋର୍ଟ ମୁତାବକ, ରାଜ୍ୟରେ ଏବେ ସୁଦ୍ଧା ମୋଟ ୫୯ ଲକ୍ଷ ୭୭ ହଜାର ୯୭୦ କୋଭିଡ୍ ଟେଷ୍ଟ ହୋଇସାରିଲାଣି। ସେଥିମଧ୍ୟରୁ ରାଜ୍ୟରୁ ୩ ଲକ୍ଷ ୧୯ ହଜାର ୫୮୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତା ଭିତରୁ ଏବେ ସୁଦ୍ଧା ୩ ଲକ୍ଷ ୧୨ ହଜାର ୭୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି। ରାଜ୍ୟର ୩୦ଟି ଜିଲ୍ଲାକୁ ମିଶାଇ ଏବେ ବି ୫୦୪୬ ଜଣ ଆକ୍ରାନ୍ତ ସକ୍ରିୟ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।








ରାଜ୍ୟରେ ଏବେ କମିବାରେ ଲାଗିଛି କରୋନା ସଂକ୍ରମଣ ଏବଂ ମୃତ୍ୟୁ।









