ଓଡ଼ିଶାଲାଇଭ୍ ବ୍ୟୁରୋ
ପରଲୋକରେ ପ୍ରସିଦ୍ଧ ମସଲା କମ୍ପାନି ଏମ୍ଡିଏଚ୍ର ପ୍ରତିଷ୍ଠାତା ମହାଶୟ ଧରମ୍ପାଲ୍ ଗୁଲାଟି।
ଏମ୍ଡିଏଚ୍ (ମହାଶିଆନ ଡି ହାତୀ) ଭାରତର ଏକ ପ୍ରସିଦ୍ଧ ମସଲା କମ୍ପାନି। ଘରେ ଘରେ ଏହି ମସଲା କମ୍ପାନି ପରିଚୟ ହାସଲ କରିଛି। ତେବେ ମସଲାକୁ ଲୋକପ୍ରିୟ କରାଇବା ପଛରେ ଏହାର ପ୍ରତିଷ୍ଠାତା ମହାଶୟ ଧରମ୍ପାଲ୍ ଗୁଲାଟିଙ୍କର ବିଶେଷ ଅବଦାନ ଥିଲା। ଏମିତିକି ମହାଶୟ ଗୁଲାଟିଙ୍କୁ ଏମ୍ଡିଏଚ୍ ମସଲାର ଅସଲ ସ୍ୱାଦ ବୋଲି ଅନେକ କହନ୍ତି। ତେବେ ଗୁଲାଟିଙ୍କର ଏହି ସଫଳତା ପଛରେ ଏକ ବଡ଼ ସଂଘର୍ଷର କାହାଣୀ ବି ଥିଲା।
ମହାଶୟ ଗୁଲାଟି ୧୯୨୩, ମାର୍ଚ୍ଚ ୨୭ରେ ସିଆଲକୋଟରେ (ବର୍ତ୍ତମାନ ପାକିସ୍ତାନରେ) ଜନ୍ମଗ୍ରହଣ କରିଥିଲେ। ୧୯୩୧ ମସିହାରେ, ସେ ପଞ୍ଚମ ଶ୍ରେଣୀ ପାସ୍ କରିବା ପୂର୍ବରୁ ପାଠ ଛାଡ଼ି ତାଙ୍କ ବାପାଙ୍କୁ ବ୍ୟବସାୟରେ ସାହାଯ୍ୟ କରୁଥିଲେ। ଭାରତ ପାକିସ୍ତାନ ବିଭାଜନ ପରେ ସେ ଦିଲ୍ଲୀ ଚାଲି ଆସିଥିଲେ। ସେତେବେଳେ ତାଙ୍କ ପାଖରେ ଏତେ ଟଙ୍କା ନଥିଲା। ୧୯୫୩ ମସିହାରେ ଏଠାରେ ସେ ଏକ ଛୋଟ ମସଲା ବ୍ୟବସାୟ ଆରମ୍ଭ କରିଥିଲେ।
ଏହାପରେ ୧୯୫୯ରେ ଦିଲ୍ଲୀରେ ସେ ଏମ୍ଡିଏଚ୍ ମସଲା କମ୍ପାନିର ଆରମ୍ଭ କଲେ। ଧୀରେ ଧୀରେ ତାଙ୍କ ମସଲା କମ୍ପାନି ଲୋକପ୍ରିୟତା ହାସଲ କଲା। ଏହା ସାରାଦେଶରେ ଏମ୍ଡିଏଚ୍ କମ୍ପାନି ଭାବେ ପରିଚିତି ହାସଲ କଲା। ଏବେ ଏହି କମ୍ପାନି ପ୍ରାୟ ୫୦ ପ୍ରକାରର ମସଲା ବଜାରକୁ ଛାଡ଼ୁଛି। କମ୍ପାନି ବର୍ଷକୁ ପ୍ରାୟ ୨୦୦୦ କୋଟି ଟଙ୍କାର ବ୍ୟବସାୟ କରୁଥିବା ଜଣାପଡ଼ିଛି। ତେବେ ଅନେକ କମ୍ପାନି ଏବେ ମସଲା ତିଆରି କରୁଥିଲା ବେଳେ ଏମ୍ଡିଏଚ୍ର ସ୍ୱତନ୍ତ୍ରତା ରହିଛି।
ଏମ୍ଡିଏଚ୍ ମସଲାର ବିଜ୍ଞାପନରେ ଧର୍ମପାଲ୍ଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଯେଉଁଠି ଅନ୍ୟ କମ୍ପାନିମାନେ ସେମାନଙ୍କ ବିଜ୍ଞାପନରେ ପ୍ରଖ୍ୟାତ ଅଭିନେତ୍ରୀମାନଙ୍କୁ ନେଇଥାନ୍ତି, ସେଇଠି ମହାଶୟ ଗୁଲାଟି ତାଙ୍କ କମ୍ପାନିର ବିଜ୍ଞାପନ ନିଜେ କରନ୍ତି। ବିଜ୍ଞାପନ ଜଗତରେ ସେ ଥିଲେ ବେଶ୍ ପରିଚିତ ଓ ଲୋକପ୍ରିୟ ଥିଲେ।
ଏହି କମ୍ପାନିର ମାଲିକ ଧରମପାଲ ଗୁଲାଟି ତାଙ୍କର ସଫଳତା ପାଇଁ ୨୦୧୯ ମସିହାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ପଦ୍ମଭୂଷଣ ପୁରସ୍କାର ଗ୍ରହଣ କରିଥିଲେ। ଏମ୍ଡିଏଚ୍ ଅଙ୍କଲ, ଦାଦାଜୀ, ମସଲା କିଙ୍ଗ, କିଙ୍ଗ ଅଫ୍ ସ୍ପାଇସ୍ ନାମରେ ବି ବେଶ ପରିଚିତ ଥିଲେ ଧରମପାଲ୍।
ବ୍ୟବସାୟ କରିବା ମହାଶୟ ଗୁଲାଟିଙ୍କର ସମାଜ କଲ୍ୟାଣ ପାଇଁ ମଧ୍ୟ ଅବଦାନ ରହିଥିଲା। ସେ ବିଭିନ୍ନ ସ୍କୁଲ, ମେଡିକାଲ ଆଦି ନିର୍ମାଣ ପାଇଁ ଦାନ ମଧ୍ୟ ଦେଉଥିଲେ। ସେ ତାଙ୍କ ବାପାଙ୍କ ନାମରେ ଏକ ଚାରିଟେବୁଳ ଟ୍ରଷ୍ଟ ବି କରିଥିଲେ।
୯୮ ବର୍ଷ ବୟସରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ସେ ଗୁରୁବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ କିଛି ଦିନ ହେବ ଅସୁସ୍ଥତା କାରଣରୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମହାଶୟ ଧର୍ମପାଲ ଗୁଲାଟିଙ୍କ ବିୟୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି।