ଓଡ଼ିଶାଲାଇଭ୍‌ ବ୍ୟୁରୋ

କନ୍ଧମାଳରେ ଖୁବ୍‌ ଶୀଘ୍ର ଖୋଲିବାକୁ ଯାଉଛି କିସ୍‌ ଶାଖା। ଭାରତର ପ୍ରସିଦ୍ଧ ମସଲା ଉତ୍ପାଦନକାରୀ କମ୍ପାନୀ ଏମ୍‍ଡିଏଚ୍‍ ଓ କିସ୍ ସହଯୋଗରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ଖୁବ୍ ଶୀଘ୍ର କିସ୍‌ର ଏକ ଶାଖା ଖୋଲିବାକୁ ଯାଉଛି। ଗୁରୁବାର ଏ ନେଇ ନୂଆଦିଲ୍ଲୀଠାରେ କିସ୍ ଓ ଏମ୍‌ଡିଏଚ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

କିସ୍ ପକ୍ଷରୁ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିବା ବେଳେ ଏମ୍‌ଡିଏଚ୍ ମସଲା ପକ୍ଷରୁ ଏହାର ଅଧ୍ୟକ୍ଷ ପଦ୍ମଭୂଷଣ ଧର୍ମପାଳ ଗୁଲାଟୀ ଏଥିରେ ସ୍ୱାକ୍ଷର କରିଥିଲେ। ବୁଝାମଣା ଅନୁସାରେ କନ୍ଧମାଳରେ ନିର୍ମାଣ ହେବାକୁ ଥିବା କିସ୍ ପାଇଁ ଏମ୍‌ଡିଏଚ୍ ପକ୍ଷରୁ ସମସ୍ତ ଆର୍ଥିକ ସହଯୋଗ ଯୋଗାଇ ଦିଆଯିବ।

ଏ ନେଇ ପୂର୍ବରୁ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏମ୍‌ଡିଏଚ୍‌ ଅଧ୍ୟକ୍ଷ ଗୁଲାଟୀଙ୍କୁ ଅନୁରୋଧ କରିଥିଲେ। ଅଚ୍ୟୁତ ସାମନ୍ତଙ୍କ ଅନୁରୋଧ କ୍ରମେ ଗୁଲାଟୀ ଏଥିରେ ସମ୍ମତି ପ୍ରକାଶ କରିବା ପରେ ଗୁରୁବାର ନୂଆଦିଲ୍ଲୀରେ ଥିବା ଏମ୍‌ଡିଏଚ୍ କାର୍ଯ୍ୟାଳୟଠାରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। କନ୍ଧମାଳ କିସ୍‌ରେ ଜିଲ୍ଲାର ୩ରୁ ୪ ହଜାର ଗରିବ ଛାତ୍ରଛାତ୍ରୀଙ୍କ ପାଠ ପଢ଼ିବାର ବ୍ୟବସ୍ଥା କରାଯିବ।

ଏହି ଅବସରରେ ଅଚ୍ୟୁତ ସାମନ୍ତ କହିଛନ୍ତି, “କନ୍ଧମାଳ-କିସ୍ ପାଇଁ ଜମି କିଣା ସରିଛି। ଏକବର୍ଷ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସରିବା ପରେ ଛାତ୍ରଛାତ୍ରୀଙ୍କୁ ନିଆଯିବ। ଏହା ସହିତ ଏମ୍‍ଡିଏଚ୍‍ ପକ୍ଷରୁ ଏଠାରେ ମଧ୍ୟ ଶହେ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ୍ ଖୋଲାଯିବ। କନ୍ଧମାଳର ସର୍ବାଙ୍ଗୀନ ଉନ୍ନତି ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ ଜିଲ୍ଲାରେ ଶିକ୍ଷା ଓ ସ୍ୱାସ୍ଥ୍ୟର କିପରି ବିକାଶ ହୋଇପାରିବେ ସେ ଦିଗରେ ବ୍ୟକ୍ତିଗତ ଭାବେ ମୁଁ ମଧ୍ୟ ଚେଷ୍ଟା କରୁଛି।“

କନ୍ଧମାଳର ୩ଟି ସ୍ଥାନରେ ଏମଡିଏଚ୍ ମସଲାର ୩ଟି ୟୁନିଟ୍ ଖୋଲିବା ସହ ସ୍କୁଲ୍ ଓ ଡାକ୍ତରଖାନା ଖୋଲିବା ନେଇ ଗୁଲାଟୀ ସମ୍ମତି ପ୍ରକାଶ କରିଛନ୍ତି। ଏହା ବ୍ୟତୀତ କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ିଠାରେ ୧୦୦ କୋଠରୀ ବିଶିଷ୍ଟ ଏକ ହୋଟେଲ୍ ତଥା ରିସର୍ଟ ଖୋଲିବା ପାଇଁ ଏମ୍‌ଡିଏଚ୍ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଏମ୍‌ଡିଏଚ୍ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଛି।

“ଶିକ୍ଷା କ୍ଷେତ୍ରରେ ଦେଶରେ ବିଶେଷ କରି ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଯେତେ ଅଧିକରୁ ଅଧିକ କାର୍ଯ୍ୟ କରିବା ଉଚିତ। ଏହା ପୂର୍ବରୁ ଭାରତର ବିଭିନ୍ନ ସ୍ଥାନରେ ସ୍କୁଲ୍ ପ୍ରତିଷ୍ଠା କରି ଶିକ୍ଷାର ପ୍ରସାର କ୍ଷେତ୍ରରେ କାର୍ଯ୍ୟ କରିଆସୁଛୁ। ଓଡ଼ିଶାରେ କିସ୍ ସହ ମିଶି ଶିକ୍ଷାର ବିକାଶ କରିବାର ସୁଯୋଗ ମିଳିଥିବାରୁ ଏହା ଆଉ ଏକ ଅଧ୍ୟାୟ ଯୋଡ଼ି ହେଲା” ଏହା କହିଛନ୍ତି ଏମ୍‌ଡିଏଚ୍‌ ଅଧ୍ୟକ୍ଷ ଧର୍ମପାଳ ଗୁଲାଟୀ।

ଏହି ଅବସରରେ ଅଚ୍ୟୁତ ସାମନ୍ତ ଓଡ଼ିଶାବାସୀ ତଥା କନ୍ଧମାଳବାସୀଙ୍କ ତରଫରୁ ଗୁଲାଟୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏମ୍‌ଡିଏଚ୍ କମ୍ପାନୀର ଆର୍ଥିକ ପରାମର୍ଶଦାତା ବିନୋଦ କୁମାର ବିନ୍ଦଲ, ବିନୟ ଆର୍ଯ୍ୟ ଓ ଗୁଲାଟୀଙ୍କ କନ୍ୟା ମଧ୍ୟ ଉପସ୍ଥିତ ଥିଲେ।

Comment