ଓଡ଼ିଶାଲାଇଭ୍ ବ୍ୟୁରୋ
ସାମ୍ମାଦିକ ସମ୍ମିଳନୀ କରି ପରୀ ମାମଲାରେ ସିବିଆଇ ତଦନ୍ତ ଦାବି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।
ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ଏସ୍ଆଇଟି ତଦନ୍ତ ଆରମ୍ଭ ହୋଇଥିଲେ ବି ପରୀକୁ ନେଇ ତାତି ଥମୁନି। ଗୁରୁବାର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ କରି ପରୀ ମାମଲାରେ ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଛନ୍ତି।
ହତ୍ୟାକାରୀ ଓ ତାଙ୍କ ସାହାଯ୍ୟ କରିଥିବା ସମସ୍ତଙ୍କ ବ୍ୟକ୍ତିଙ୍କ ଦୃଷ୍ଟାନ୍ତମୂଳକ ଶାସ୍ତି ଦିଆଯାଉ।। ଯେଉଁ ପର୍ଯ୍ୟନ୍ତ ହତ୍ୟାକାରୀ ଧରାପଡ଼ିନି, ସେଯାଏଁ ବିଜେପି ଏହି ଦାବିରୁ ଓହରିବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ପ୍ରତାପ ଷଡ଼ଙ୍ଗ।
‘‘ପରୀ ଭଳି ଅନେକ ଶିଶୁଙ୍କ ସହିତ ରାଜ୍ୟରେ ଏଭଳି ଘଟଣା ଘଟୁଛି, ସେ ଖବର କିନ୍ତୁ ସାମ୍ନାକୁ ଆସିପାରୁ ନାହିଁ। ଯେଉଁ ରାଜ୍ୟରେ ଶିଶୁ କନ୍ୟା, ମହିଳାମାନେ ସୁରକ୍ଷିତ ନୁହଁନ୍ତି ସେ ରାଜ୍ୟରେ ଶାସନର କିଛି ଅର୍ଥ ନାହିଁ। ରାଜ୍ୟ ସରକାର ଭୟାଳୁ। କୌଣସି ପ୍ରଶ୍ନର ଉତ୍ତର ତାଙ୍କ ପାଖେ ନାହିଁ। ସେ ପ୍ରଶ୍ନର ସାମ୍ନା କରିବାକୁ ପ୍ରସ୍ତୁତ ନୁହଁନ୍ତି, ସେଥିପାଇଁ ବିଧାନସଭା ବନ୍ଦ କରିଦେଲେ’’, କହିଛନ୍ତି ପ୍ରତାପ ଷଡ଼ଙ୍ଗୀ।
ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହିତ କଂଗ୍ରେସ ଦଳ ଉପରେ ପ୍ରତାପ ଷଡ଼ଙ୍ଗୀ ବର୍ଷିଛନ୍ତି। କଂଗ୍ରେସ ଦଳ ଶାସକ ଦଳ ସହିତ ସଲାସୁତରା ହୋଇ ପରୀ ପ୍ରସଙ୍ଗରେ ଚୁପ୍ ରହିଛି ବୋଲି ସେ କହିଛନ୍ତି।
ବିଜେପିର ଦାବି ପରୀ ମାମଲାରେ ସିବିଆଇ ତଦନ୍ତ ହେଉ ଏବଂ ଭବିଷ୍ୟତରେ ଯେମିତି ଏଭଳି ଘଟଣାର ପୁନରାବୃତ୍ତି ନହୁଏ ସେଥିପାଇଁ ଦୋଷୀଙ୍କ ଧରି ଉପଯୁକ୍ତ ଦଣ୍ଡ ଦିଆଯାଉ ବୋଲି କହିଛନ୍ତି ପ୍ରତାପ ଷଡ଼ଙ୍ଗୀ।


















