ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ରମ୍ୟକଳାର କିର୍ତ୍ତୀସ୍ତମ୍ଭ ସୂର୍ଯ୍ୟମନ୍ଦିର ପାଦଦେଶରେ ଉଦଯାପିତ ହୋଇଯାଇଛି କୋଣାର୍କ ଉତ୍ସବ। ଶନିବାର ଶେଷ ଦିନରେ ଦର୍ଶକମାନେ ମୁକ୍ତାକାଶ ରଙ୍ଗମଞ୍ଚରୁ ଓଡ଼ିଶୀ ଓ କଥକ ନୃତ୍ୟକୁ ଦେଖି ବିଭୋର ହୋଇଛନ୍ତି।

ଉତ୍ସବର ପ୍ରଥମ ଚରଣରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରସ୍ତୁତିରେ ଥିଲା ଦେବ ଆରାଧନା ସମ୍ବଳିତ ମଙ୍ଗଳାଚରଣ ଓ ଶଙ୍କରାଭରଣ ପଲ୍ଲବୀ। ଗୁରୁ କେଳୁଚରଣ ମହାପାତ୍ରଙ୍କ ନୃତ୍ୟ ସଂଯୋଜନା ଓ ଗୁରୁ ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ସଂଯୋଜନାକୁ ନିଖୁଣଭାବେ ଉପସ୍ଥାପିତ କରିଥିଲେ ଗବେଷଣା କେନ୍ଦ୍ରର ସଫଳ ସୃଷ୍ଟିଗଣ।ଏହାପରେ ପି. ଭି. କୃଷ୍ଣମୂର୍ତ୍ତିଙ୍କ ପରିକଳ୍ପନାରେ ସଂଯୋଜିତ ହୋଇଥିବା ନୃତ୍ୟାଭିନୟ କୃଷ୍ଣଗାଥାକୁ ଉପସ୍ଥାପନ କରିଥିଲେ ଶିଳ୍ପୀ ବୃନ୍ଦ। ଓଡ଼ିଶାର ମଧ୍ୟଯୁଗୀୟ ବୈଷ୍ଣବ କବିମାନଙ୍କର ରଚନାକୁ ନେଇ ରାଧା-କୃଷ୍ଣଙ୍କ ପ୍ରତି ବିଳାସର ଏକ ସମ୍ପୂର୍ଣ୍ଣ ଚିତ୍ରକୁ ଶିଳ୍ପୀମାନେ ମଞ୍ଚସ୍ଥ କରିଥିଲେ। ଓଡ଼ିଶୀ, ଛାନ୍ଦ ଓ ଗୀତଗୋବିନ୍ଦର ମଧୁର ପଦାବଳୀ ବେଶ ମନଛୁଆଁ ଥିଲା। କସ୍ତୁରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶନା ଓ ପରିଚାଳନାରେ ଗବେଷଣା କେନ୍ଦ୍ରର ପରିବେଷଣ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା।ଦ୍ୱିତୀୟ ପର୍ଯ୍ୟାୟରେ ଶାସ୍ତ୍ରୀୟ କଥକ ନୃତ୍ୟକୁ ନେଇ ମଞ୍ଚ ପ୍ରବେଶ କରିଥିଲେ ଅଦିତି ମଙ୍ଗଳ ଦାସ ଓ ସାଥୀ ଶିଳ୍ପୀ। ଦିଲ୍ଲୀସ୍ଥିତ ଦୃଷ୍ଟିକୋଣ ଡ୍ୟାନ୍ସ ଫାଉଣ୍ଡେସନର ଶିଳ୍ପୀମାନେ ପ୍ରେମର ନିରନ୍ତରତାକୁ ନେଇ ସେମାନେ କଥକ ଶୈଳୀରେ ଫିଦା ପ୍ରସ୍ତୁତି କରିଥିଲେ। ଫିଦାର ପ୍ରଥମ ନିବେଦନ ଥିଲା ଗଣେଶ ସ୍ତୁତି। ପ୍ରେମରେ ଭାକ୍ତିକ ସମର୍ପଣର ଚେତନାକୁ ତୋଳି ଧରିଥିଲେ ଶିଳ୍ପୀଗଣ। ଏହାପରେ ପରେ ପ୍ରେମର ତରଙ୍ଗକୁ ମଞ୍ଚରେ ଖେଳାଇ ଦେଇଥିଲେ ନୃତ୍ୟାଙ୍ଗନା। ଗଙ୍ଗା ଯମୁନା ଓ ସ୍ୱରସ୍ୱତୀଙ୍କର ତ୍ରିବେଣୀକୁ ଗାୟନ ଓ ବାଦନରେ ଦର୍ଶକ ଝୁମିଥିଲେ।

କୋଣାର୍କ ଉତ୍ସବର ଅନ୍ତିମ ସଂଧ୍ୟାରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗର ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ତାଙ୍କ ସହ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପର୍ଯ୍ୟଟନ ବିଭାଗର ସଚିବ ବିଶାଲ କୁମାର ଦେବ ଏବଂ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ କୁମାର ଯାଦବ ମଧ୍ୟ ଉପସ୍ଥିତ ଥିଲେ। ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ ଓ ସଂହତି ପାଣି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।

LEAVE A REPLY

Please enter your comment!
Please enter your name here