ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ପରୀ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ପ୍ରତିଦ୍ୱନ୍ଦିତା। ରାଜନୈତିକ ଦୃଶ୍ୟପଟରେ ଘଟଣାରୁ କିଏ କେତେ ଅଧିକ ଫାଇଦା ଉଠାଇ ପାରିବେ ତାହାକୁ ନେଇ ଉଭୟ ଦଳ ମଧ୍ୟରେ ତତ୍ପରତା ଦେଖିବାକୁ ମିଳିଛି। ପରୀ ମାମଲାରେ ପରସ୍ପରକୁ ଆକ୍ଷେପ କରିବାରେ ଉଭୟ ଦଳ ସମାନ ସ୍ଥିତିରେ ରହିଥିବା ଦେଖା ଯାଇଛି।

ନୟାଗଡ଼ର ବହୁଚର୍ଚ୍ଚିତ ପରୀ ମୃତ୍ୟୁ ମାମଲାର ତାତି ରାଜ୍ୟ ପରେ ଜାତୀୟସ୍ତରକୁ ପ୍ରଭାବିତ କଲାଣି। ପ୍ରଥମେ ଏହା ରାଜ୍ୟ ରାଜନୀତିରେ ସୀମିତ ରହିଥିଲା। କିନ୍ତୁ ଏବେ ଏହା ଜାତୀୟ ରାଜନୀତିକୁ ସରଗରମ କରିବାକୁ ବସିଛି। ଘଟଣାରେ ରାଜ୍ୟ ସରକାର ଏସ୍‌ଆଇଟି ତଦନ୍ତ ଆଦେଶ ଦେବା ପରେ ତଦନ୍ତ କାର୍ଯ୍ୟ ଜାରି ରହିଛି। କିନ୍ତୁ ଏହି ଘଟଣାକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ପରୀ ମାମଲାକୁ ନେଇ ନୟାଗଡ଼ରେ ପ୍ରତିଦିନ ବିରୋଧୀ ଦଳ ନେତାମାନଙ୍କ ସୁଅ ଛୁଟୁଛି।ଏହି ମାମଲାରେ ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଶୁକ୍ରବାର ବିଜେପି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାର ଘୋଷଣା କରିଥିଲା। ଏହାର ଦିନକ ପରେ ଶନିବାର ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ଧାରଣା ଆରମ୍ଭ କରିଛି ଦଳ। ଦଳୀୟ ମୁଖପାତ୍ର ସମ୍ବିତ ପାତ୍ର, ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର, ସୁରମା ପାଢ଼ୀ, ଇରାନି ରାୟ, ଲାଲା ମନୋଜ ରାୟ ଏବଂ ସନ୍ତୋଷ କୁମାର ପ୍ରଧାନ ଆଦି ବହୁ ସଂଖ୍ୟରେ କର୍ମକର୍ତ୍ତା ଧାରଣା ସ୍ଥଳରେ ସାମିଲ ଥିଲେ।ପରୀ ମୃତ୍ୟୁ ମାମଲାରେ ବିଜେଡି ଓ କଂଗ୍ରେସ ଏକ୍‌ ହୋଇ ଯାଇଥିବା କହି ଉଭୟ ଦଳକୁ ଟାର୍ଗେଟ କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର। ଏହି ଘଟଣାକୁ ଚପାଇ ଦେବା ପାଇଁ ସରକାର ସିବିଆଇ ତଦନ୍ତ ପରିବର୍ତ୍ତେ ଏସ୍‌ଆଇଟି ତଦନ୍ତ କରୁଥିବା ସମ୍ଵିତ ପାତ୍ର ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ। ଅନ୍ୟପଟେ ଏହି ମାମଲାରେ କଂଗ୍ରେସ ବିଜେଡି ସହ ଭିତିରି ବୁଝାମଣା ଓ ରାହୁଲ ଗାନ୍ଧୀଙ୍କ ନିରବତା ନେଇ ବିଜେପିର ଆରୋପକୁ କଂଗ୍ରେସ ଖଣ୍ଡନ କରିଛି।କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ‘ପରୀ’ ଘଟଣାରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରି କହିଛନ୍ତି ଯେ, ପରୀର ପରିବାରକୁ ନ୍ୟାୟ ଦାବିରେ କଂଗ୍ରେସ ସବୁବେଳେ ଆଗରେ ରହିଛି ଆଉ ରହିବ ମଧ୍ୟ। କିନ୍ତୁ ଏହି ମାମଲାରେ ବିଜେପି ନେତୃତ୍ୱ, ବିଜେଡିକୁ ସୁହାଇବା ଭଳି କାର୍ଯ୍ୟ କରୁଛନ୍ତି।

ଶନିବାର କଂଗ୍ରେସର ବହୁ ତୁଙ୍ଗ ନେତାଙ୍କୁ ସାଥିରେ ଧରି ଦଳର ପ୍ରଭାରୀ ଚେଲ୍ଲା କୁମାର ନୟାଗଡ଼ରେ ପହଞ୍ଚିଥିଲେ। ଯଦୁପୁର ଯାଇ ଘଟଣାସ୍ଥଳ ପରିଦର୍ଶନ କରିବା ସହ ‘ପରୀ’ବାପା ମାଆଙ୍କୁ ଭେଟିଥିଲେ କଂଗ୍ରେସ ନେତୃବର୍ଗ। ଏହି ଗସ୍ତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ଜୟଦେବ ଜେନା, ବିଧାୟକ ତାରାପ୍ରସାଦ ବାହିନୀପତି, ଭକ୍ତ ଦାସ ଆଦି ସାମିଲ ଥିଲେ। ନୟାଗଡ଼ରୁ ରଣଜିତ ଦାଶ, ମନୋଜ କୁମାର ସାହୁ, ହୁସେନ ଖାଁ ଆଦି ଉପସ୍ଥିତ ଥିଲେ।

Comment