ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି ବନ୍ଦ ରହିବ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ। କୃଷକମାନଙ୍କ ଭାରତ ବନ୍ଦ ଡାକରାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।
କରୋନା ମହାମାରୀର ପ୍ରକୋପ କମିନାହିଁ ଏବଂ ଭାରତ ବନ୍ଦ ଯୋଗୁ ସାଧାରଣ ପରିବହନ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇପାରେ। ତେଣୁ ଗମନାଗମନ ଓ ପରିବହନ ବ୍ୟବସ୍ଥାକୁ ଆଖି ଆଗରେ ମଙ୍ଗଳବାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।ଏହି ସମୟରେ କିନ୍ତୁ ଅତ୍ୟାବଶ୍ୟକ ଜରୁରୀ ସେବା ବଜାୟ ରହିବ ବୋଲି କୁହାଯାଇଛି। ଏହାବାଦ ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଆସନ୍ତାକାଲି ବନ୍ଦ ରହିବ।
ସୂଚନାଯୋଗ୍ୟ, ନୂଆ କୃଷି ଆଇନକୁ ବିରୋଧ କରି ଦେଶର ହଜାର ହଜାର ଚାଷୀମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। ସରକାରଙ୍କ ସହ ଆଲୋଚନା ହେବା ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରୁନାହିଁ। ଏହି କାରଣରୁ କୃଷକ ସଙ୍ଗଠନମାନେ ଭାରତ ବନ୍ଦର ଡାକରା ଦେଇଛନ୍ତି। ଓଡ଼ିଶାରେ ମଧ୍ୟ କଂଗ୍ରେସ ଏହାକୁ ସମର୍ଥନ କରିଛି। ଆସନ୍ତାକାଲି ରାଜ୍ୟର ବିଭିନ୍ନ ରାଜପଥମାନଙ୍କରେ ଚକାଜାମ କରାଯିବ ବୋଲି ସୂଚନା ମିଳିଛି।