ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଡ଼ିଆ ଡ଼ିଶା ()

 କ’, ‘ଚ’, ‘ଟ’, ‘ତ’ ଓ ‘ପ’ ହେଲେ ପ୍ରାଥମିକ ବ୍ୟଞ୍ଜନ ବର୍ଣ୍ଣ। ଏମାନେ ମୌଳିକ ଏହି କାରଣରୁ ଯେପରି ସୃଷ୍ଟିର ପଞ୍ଚଭୂତ ମୌଳିକ। ସୃଷ୍ଟିରେ ଏହି ପାଞ୍ଚ ବିଭାଗ କିପରି ହେଲା ତା’ ଆମେ କହିପାରିବା ନାହିଁ। ଆମର ପାଞ୍ଚଟି ଇନ୍ଦ୍ରିୟ ଥିଲା ଫଳରେ ସେଥିରୁ ପଛକୁ ଫେରି ପାଞ୍ଚଟି ମୌଳିକ ଭୂତ ଜରିଆରେ ସୃଷ୍ଟିର ସ୍ଥିତି ବୋଲି ନିଧାର୍ଯ୍ୟ କରାଯାଇଅଛି। ତା’ ପରେ କଳନା କରି କାହା ପରେ କିଏ ଉଦ୍ଭୂତ ହୋଇଛି ବୋଲି ଗଢା ହୋଇଅଛି। ଏ ସବୁ ଅଧ୍ୟୟନ ଏବଂ ଗବେଷଣା ପାଶ୍ଚାତ୍ୟ ବିଜ୍ଞାନର ଗବେଷଣା ଓ ଅଧ୍ୟୟନର ବହୁତ ଆଗରୁ। ଏଥିରେ ପରୀକ୍ଷାମୂଳକ କାର୍ଯ୍ୟ ହୋଇଛି କି ନାହିଁ ତା’ ଆମେ ଜାଣିନାହୁଁ।

ଏହି ପ୍ରାଥମିକ ବର୍ଣ୍ଣମାନେ ହେଲେ ସେମାନଙ୍କର ବର୍ଗର ପ୍ରଥମ ବର୍ଣ୍ଣ। ‘ପ୍ରଥମ’ ବର୍ଣ୍ଣର ଅର୍ଥ ହେଲା – ଏମାନେ ହେଲେ ମଣିଷର ସ୍ଵାଭାବିକ ଧ୍ଵନି। ଏମାନଙ୍କର ଉଚ୍ଚାରଣ ନିମିତ୍ତ କେବଳ ଆମର ପାଟି – ଯଥା କଣ୍ଠ, ଜିଭ, ଦାନ୍ତ, ଓଠ ଓ ତାଳୁ ର ଆବଶ୍ୟକତା ଅଛି। ତେଣୁ ଫୁସ୍ ଫୁସ୍ ଏବଂ ପାଟିର ବ୍ୟବହାରରେ ଏହି ପ୍ରାଥମିକ ବର୍ଣ୍ଣମାନେ ଉଚ୍ଚାରିତ ହୋଇପାରନ୍ତି। ତା’ ପରେ ପ୍ରତ୍ୟେକ ବର୍ଗରେ ପାଞ୍ଚଟି ବର୍ଣ୍ଣ। ଏ’ ପାଞ୍ଚଟି ହେଲେ ପ୍ରାଥମିକ ବର୍ଣ୍ଣର ଧ୍ଵନିଗତ ପରିବାର। ପ୍ରାଥମିକ ବର୍ଣ୍ଣର ମୌଳିକ ଧ୍ଵନି ସେହି ବର୍ଗର ଅନ୍ୟ ବର୍ଣ୍ଣମାନଙ୍କ ଧ୍ଵନି ମଧ୍ୟରେ ଅନ୍ତର୍ଭୁକ୍ତ।

‘କ’ ବର୍ଗର ଦ୍ଵିତୀୟ ବର୍ଣ୍ଣ ହେଲା ‘ଖ’। ‘କ’ କୁ ଅଳ୍ପପ୍ରାଣ ଓ ‘ଖ’ କୁ ମହାପ୍ରାଣ ବୋଲି କୁହାଯାଇଅଛି। ‘କ’ ଉଚ୍ଚାରଣ ଉପରେ କଣ୍ଠରୁ କିଛି ପବନ ସଞ୍ଚାରଣ କଲେ ‘କ’ ଧ୍ଵନି ‘ଖ’ ଧ୍ଵନି ରେ ପରିଣତ ହୁଏ। ଏ’ ପ୍ରକାର ପବନ ପ୍ରବାହ ନିମିତ୍ତ ଶାରୀରିକ ଶକ୍ତି ଓ ଅଭ୍ୟାସ ଆବଶ୍ୟକ। ପବନଯୁକ୍ତ ଶକ୍ତିକୁ ଆମ ସାହିତ୍ୟରେ ପ୍ରାଣ ବୋଲି କୁହାଯାଇଅଛି। ତେଣୁ ‘ଖ’ ହେଲା ମହାପ୍ରାଣ।  ଅଭ୍ୟାସ ଅଭାବରୁ କାହାରି ‘ଖ’ ଉଚ୍ଚାରଣ ‘କ’ ପରି ଶୁଭିପାରେ।

ତା’ ହେଲେ ‘କ’ ଓ ‘ଖ’ ଭିତରେ ଫରକ କଣ?  ଧ୍ଵନିର ଫରକ ଏବଂ ତା’ ଯୋଗୁ ପ୍ରତ୍ୟୟରେ ଫରକ। ‘କ’ ହେଲା ମହାକାଶ, ଶୂନ୍ୟ, ଅନ୍ଧାର, ଅନିର୍ଦ୍ଦିଷ୍ଟ। ଆଉ ‘ଖ’ ହେଲା ତାରାଖଚିତ ଦୃଶ୍ୟ ଆକାଶ, ଆଶ୍ଵସ୍ତିର ଆକାଶ, ଉଡିବାର ଆକାଶ। ‘କ’ ବର୍ଣ୍ଣରୁ “କଳ” – କଳନା କରିବା, ଅନୁମାନ କରିବା। ଆଉ ‘ଖ’ ବର୍ଣ୍ଣରୁ “ଖଗ” – ପକ୍ଷୀ, ଚଢେଇ। ଆଉ ଗୋଟିଏ ‘କ’ ଶବ୍ଦ ହେଲା “କମଳ” – ମଳ କାହିଁ ? ମଳର ଶୁନ୍ୟତା।  ମଳ ହେଲା ଦୋଷ ବା ଦାଗ, ଯେଉଁଠି ଦୋଷ ଖୋଜି ମିଳେ ନାହିଁ। ଚଉତିଶାରେ ଲେଖା ହେଲା “କମଳଲୋଚନ ଶ୍ରୀହରି !”

କ’ ଓ ‘ଖ’ ପରେ ‘କ’ ବର୍ଗର ତୃତୀୟ ବର୍ଣ୍ଣ ହେଲା ‘ଗ’। ‘କ’ ଓ ‘ଖ’ ରେ ଆମର ସ୍ଵରଯନ୍ତ୍ର  ବ୍ୟବହାର କରାଯାଏନାହିଁ। ସ୍ଵରଯନ୍ତ୍ର ଶ୍ଵାସନଳୀ ଏବଂ ପାଟି ମଝିରେ ପବନ ଯିବା ଆସିବା ସମୟରେ ଗୋଟିଏ ଦୁଆର ପରି କାମ କରେ।  ସାଧାରଣତଃ ନିଃଶ୍ଵାସ ପ୍ରଶ୍ଵାସ ପାଇଁ ଏ’ ଦୁଆର ଖୋଲା ଥାଏ।  ଦୁଇଟି ମାଂସଳ ପରଦାର ଆଗ ଭାଗରେ ପ୍ରତି ପରଦାରେ ଗୋଟିଏ ଟାଣୁଆ ଦଉଡି ପରି ଅଙ୍ଗଟିଏ ଅଛି।  ଏ’ ଦୁଇଟି ଦଉଡ଼ି ଭିତରେ ବ୍ୟବଧାନ ପରିବର୍ତ୍ତନ କରି ଧ୍ଵନି ସୃଷ୍ଟି କରାଯାଏ। ଦଉଡ଼ିକୁ ଥରାଯାଇପରେ ଏବଂ ପାଟି ଖୋଲି ବଡ଼ ସାନ କରାଯାଇପାରେ।  ଏହି ପ୍ରକାର ପ୍ରକ୍ରିୟା ଫଳରେ ବିଭିନ୍ନ ସ୍ଵର ସୃଷ୍ଟି ହୁଏ |

କମଳ ଲୋଚନ ଶ୍ରୀହରି କରେଣ ଶଙ୍ଖ ଚକ୍ରଧାରୀ ।।

ଖଗ ଆସନେ ଖଗପତି ଖଟନ୍ତି ଲକ୍ଷ୍ମୀ ସରସ୍ୱତୀ ।।

ଗରୁଡ଼ ଆସନେ ମୁରାରି ଗୋପରେ ରଖିଲେ ବାଛୁରୀ ।।

ଘନ କଠିନ କଳେବର ଘଟଣ ଶ୍ରୀମୁଖ ସୁନ୍ଦର ।।

ନନ୍ଦନନ୍ଦନ ଗୋପୀନାଥ ନିସ୍ତରିଯିବା ନରେ ଚିନ୍ତ ।।

(ଗୋସ୍ୱାମୀ ବଳରାମ ଦାସ – “କମଳଲୋଚନ ଚଉତିଶା”)

ଏହି ଦୁଇ ମାଂସଳ ପରଦାର ସ୍ଵରଯନ୍ତ୍ରକୁ ପାଖାପାଖି ଆଣି ଯୋଡିଦେଇ ପବନ ସଞ୍ଚାଳନ କଲେ ‘କ’ ବର୍ଗର ସ୍ଵର ଉତ୍ପନ୍ନ ହୁଏ। ଏହି ଧ୍ଵନି ହେଲା ‘ଗ’। ତେଣୁ ‘ଗ’ ହେଲା ‘କ’ ବର୍ଗର ସ୍ଵର ଉତ୍ପନ୍ନର ବର୍ଣ୍ଣ। ‘ଗ’ ଧ୍ଵନିରୁ ଆମେ “ଗଗନ” ପ୍ରତ୍ୟୟ କରିଥାଉ। ‘କ’ ହେଲା ମହାକାଶ – ତାରା ସେପାରି ଅନ୍ଧାର, ‘ଖ’ ହେଲା ଆକାଶ ଯେଉଁଠି ତାରା ଥାନ୍ତି, ‘ଗ’ ହେଲା ଆକାଶ ଯେଉଁଠୁ ପକ୍ଷୀ କାକଳି ଶୁଣାଯାଏ – ମେଘର ଆକାଶ। ‘କ’ ରୁ ‘ଖ’ ପରି ‘ଗ’ ଉପରେ ପବନ ବିତରଣ କଲେ ‘ଘ’ ଉଚ୍ଚାରଣ ହୁଏ। ‘ଘ’ ର ପ୍ରତ୍ୟୟ ‘ଗ’ ର ତଳକୁ। ଆମ ହାତ ପହଞ୍ଚାର ଆକାଶ, ଯେଉଁଠୁ ବର୍ଷା ପଡେ, ଶିଶିର ଝରେ।  ‘ଘ’ ଶବ୍ଦ ହେଲା – “ଘନ”, “ଘର” ଇତ୍ୟାଦି।

‘କ’ ବର୍ଗର ପଞ୍ଚମ ବର୍ଣ୍ଣ ହେଲା ‘ଙ’। ଏହାର ଅନୁସନ୍ଧାନ ସହଜ ନୁହେଁ। କିନ୍ତୁ ଏହାର ପ୍ରଚଳନ ଅନ୍ୟମାନଙ୍କ ତୁଳନାରେ ପ୍ରଚୁର। ‘କ’ ପରି ଧ୍ଵନି ନିର୍ଦ୍ଧାରଣ କରି ପବନକୁ ପାଟି ବାଟେ ନ କାଢି ପାଟି ବନ୍ଦ କରି ନାକ ବାଟେ କାଢିଲେ ‘ଙ’ ର ଧ୍ଵନି ଉଚ୍ଚାରିତ ହୁଏ। ଏ’ ଧ୍ଵନି ପ୍ରତ୍ୟୟରୁ ଆମର ନିଜର ଅବସ୍ଥିତି ନିର୍ଦ୍ଧାରିତ ହୋଇଥାଏ। ଏହା ବର୍ଗର ଅନ୍ୟ ବର୍ଣ୍ଣମାନଙ୍କ ସହ ଯୋଡ଼ା ହୋଇ ଉଚ୍ଚାରିତ ହୁଏ । ‘ଙ’ ସହ ‘କ’ ଉଚ୍ଚାରଣ କଲେ ‘ଙ୍କ’ ଉଚ୍ଚାରିତ ହୁଏ। ଶବ୍ଦ ଉଦାହରଣ ହେଲା – “ଅଙ୍କ” – ଗହନ କଳନା, “ପଙ୍କ” – ଗହନ ଭୂମି ଇତ୍ୟାଦି। ସେହିପରି ଆମେ ‘ଙ୍ଖ’ ଓ ‘ଙ୍ଗ’ ଉଚ୍ଚାରଣ କରିଥାଉ, ଯଥା “ପଙ୍ଖ” – ଡେଣା, “ଶଙ୍ଖ” – ଆକାଶକୁ ଶୁଭିଲାପରି ଯନ୍ତ୍ର, “ଅଙ୍ଗ” – ଶରୀରର କାର୍ଯ୍ୟନିର୍ବାହୀ ଯନ୍ତ୍ର, “ବ୍ୟଙ୍ଗ” – ଯନ୍ତ୍ରର ବିପରୀତ କାର୍ଯ୍ୟ,  ଇତ୍ୟାଦି।

LEAVE A REPLY

Please enter your comment!
Please enter your name here