ଓଡ଼ିଶାଲାଇଭ୍ ବ୍ୟୁରୋ

  • ଆଇସିଏସ୍‌ଏଇ ଏବଂ ଡିଏଭି ପକ୍ଷରୁ ସତ୍ୟପାଠ ଦାଖଲ
  • କେବଳ ରାଜ୍ୟ ବିଧାନସଭା ନୀତି ନିର୍ଦ୍ଧାରଣ କରିପାରିବ
  • ୨୦୨୦-୨୧ ବର୍ଷ ଲାଗି ବୃଦ୍ଧି ହେବନି ଆଇସିଏସ୍‌ଇ ଫି

କଟକ: ରାଜ୍ୟ ଶିକ୍ଷା ଅଧିକାର ଆଇନ ଆସିବା ପରେ ସ୍କୁଲ ଫି’ ନିର୍ଦ୍ଧାରଣ ନେଇ ରାଜ୍ୟ ସରକାରଙ୍କର କୌଣସି କ୍ଷମତା ନାହିଁ। ଯଦି ଘରୋଇ ଇଂରାଜୀ ମିଡିୟମ୍ ସ୍କୁଲ ଲାଗି ଫି’ ଧାର୍ଯ୍ୟ କରିବାକୁ ହୁଏ ତାହେଲେ କେବଳ ରାଜ୍ୟ ବିଧାନସଭା ଏହି ଫି’ ଲାଗି ନୀତି ନିର୍ଦ୍ଧାରଣ କରିପାରିବେ। ଏନେଇ ଗୁରୁବାର ହାଇକୋର୍ଟରେ ଓଡ଼ିଶା ଆଇସିଏସ୍‌ଇ (ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରି ଏଜୁକେସନ୍‌) ସ୍କୁଲ ଆସୋସିଏସନ୍ ଏବଂ ଚନ୍ଦ୍ରଶେଖରପୁର ଡିଏଭି ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ଫଳରେ ଫି’ ଛାଡ଼ ନେଇ ରୁଜୁ ହୋଇଥିବା ମାମଲା ଜଟିଳ ରୂପ ନେଇଛି।

ସ୍କୁଲ୍ ଫି’ ଛାଡ଼କୁ ନେଇ ସ୍କୁଲ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏହି ବୈଠକ ଆଧାରରେ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ସେଥିରେ ରାଜ୍ୟ ସରକାରଙ୍କ ଭୂମିକା ଉପରେ ପ୍ରଶ୍ନ ଉଠିଥିଲା। ତେବେ ରାଜ୍ୟ ସରକାରଙ୍କର ଫି’ ଛାଡ଼ ନେଇ କୌଣସି ଭୂମିକା ନଥିବା ସ୍ପଷ୍ଟ କରାଯିବାରୁ ଏହାକୁ ନେଇ ବିବାଦ ଛିଡ଼ା ହୋଇଥିଲା। ଫି’ ଛାଡ଼ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ ବୋଲି ରାଜ୍ୟ ଅଭିଭାବକ ମହାସଂଘ ଜବାବ ରଖିଥିଲା। କିନ୍ତୁ ଏବେ ଉପରୋକ୍ତ ଦୁଇ ପକ୍ଷ ଏହାକୁ ବିରୋଧ କରି ରାଜ୍ୟ ସରକାର ଫି’ ଛାଡ଼ ନେଇ କୌଣସି ପଦକ୍ଷେପ ନେଇପାରିବେ ନାହିଁ ବୋଲି ଯୁକ୍ତି ଦର୍ଶାଇଛନ୍ତି। ଗତକାଲି ଏହି ଦୁଇ ପକ୍ଷ ଜବାବ ରଖିବା ପରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ୧୫ ତାରିଖକୁ ମାମଲାର ଶୁଣାଣି ଧାର୍ଯ୍ୟ କରିଛନ୍ତି।

ଅପରପକ୍ଷରେ ଗତକାଲି ଆଇସିଏସ୍‌ଏଇ ପକ୍ଷରୁ ସତ୍ୟପାଠରେ ଦର୍ଶାଯାଇଛି ଯେ, ୨୦୨୦-୨୧ ବର୍ଷ ଲାଗି ସ୍କୁଲ୍ ଫି’ରେ କୌଣସି ପ୍ରକାର ବୃଦ୍ଧି କରାଯିବ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଓଡ଼ିଶା ଆଇସିଏସ୍‌ଇ ସ୍କୁଲ୍ ଆସୋସିଏସନ୍‌ର ସମ୍ପାଦକ ଫାଦର ଏସ୍‌. ଯୋଶେଫ ଏହି ସତ୍ୟପାଠ ଦାଖଲ କରିଛନ୍ତି। ସେ ଏଥିରେ ଦର୍ଶାଇଛନ୍ତି ଯେ, ୨୦୦୯ରେ ରାଜ୍ୟ ଶିକ୍ଷା ନୀତି ଆସିବା ପରେ ୧୯୯୬ର ରେଗୁଲେସନ୍ ନିଜର ସତ୍ତା ହରାଇଛି। ଯଦି ବି’ ୧୯୯୬ର ରେଗୁଲେସନ କଥା ଦେଖାଯାଏ ଏଥିରେ ରାଜ୍ୟ ସରକାରଙ୍କୁ ଘରୋଇ ବିଦ୍ୟାଳୟ ପାଇଁ ଫି’ ଷ୍ଟ୍ରକଚର୍ ଧାର୍ଯ୍ୟ ଲାଗି କୌଣସି କ୍ଷମତା ପ୍ରଦାନ କରାଯାଇ ନାହିଁ। ରାଜ୍ୟ ସରକାର କେବଳ ପରିଚାଳକ ହିସାବରେ ରହିବେ।

ଯଦି କୌଣସି ବିଦ୍ୟାଳୟ ଧାର୍ଯ୍ୟ ଫି’ ଠାରୁ ଅଧିକ ଅର୍ଥ ଦାବି କରୁଥାନ୍ତି ଏହି କ୍ଷେତ୍ରରେ ରାଜ୍ୟ ସରକାର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଘରୋଇ ଇଂରାଜୀ ବିଦ୍ୟାଳୟ ଫି’ ଛାଡ଼ ପାଇଁ କେବଳ ରାଜ୍ୟ ବିଧାନସଭା କୌଣସି ନୀତି ନିର୍ଦ୍ଧାରଣ କରିପାରିବ। ଫି’ ଷ୍ଟ୍ରକଚର୍ ନେଇ ସୁପ୍ରିମ୍‌କୋର୍ଟରେ ପୂର୍ବରୁ ଏକ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ କେ.ପି. ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟି ‘ଷ୍ଟ୍ରକଚର୍ କମିଟି’ ନାମରେ ପରିଚିତ। ଏହି କମିଟି ରିପୋର୍ଟ ଆଧାରରେ ପ୍ରତି ବର୍ଷ ଇଂରାଜୀ ମିଡିୟମ୍ ବିଦ୍ୟାଳୟଗୁଡ଼ିକ ୧୦ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ସେମାନଙ୍କର ସ୍କୁଲ୍ ଫି’ ବଢ଼ାଇ ପାରିବେ। ସେତେବେଳେ ଏହି ଫି’ ଷ୍ଟ୍ରକଚର୍‌କୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିରୋଧ ମଧ୍ୟ କରାଯାଇନଥିଲା।

ରାଜ୍ୟ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ସ୍କୁଲ୍ ଫି’ ଛାଡ଼ ନେଇ ବିଭିନ୍ନ ପକ୍ଷଙ୍କ ସହ ଯେଉଁ ଏମ୍‌ଓୟୁ ହୋଇଛି ତାହାକୁ ଓଡ଼ିଶା ଆଇସିଏସ୍‌ଇ ସ୍କୁଲ ଆସୋସିଏସନ୍ ପକ୍ଷରୁ ବିରୋଧ କରାଯାଇଛି। ଏହି ବୈଠକରେ ଅନ୍ୟମାନଙ୍କୁ ପକ୍ଷ ରଖିବାର ସୁଯୋଗ ମଧ୍ୟ ଦିଆଯାଇନଥିଲା। ତେବେ ୨୦୨୦-୨୧ ବର୍ଷ ଲାଗି ଆଇସିଏସ୍‌ଇ ସ୍କୁଲ ଫି’ରେ କୌଣସି ବୃଦ୍ଧି କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିବା ଏହି ସତ୍ୟପାଠରେ କୁହାଯାଇଛି। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷ କେଶବ ଚନ୍ଦ୍ର ଶତପଥୀ ଆଉ ଏକ ସତ୍ୟପାଠ ଦାଖଲ କରି ସମାନ ଅଭିଯୋଗ ବାଢ଼ିଛନ୍ତି। ରାଜ୍ୟ ଅଭିଭାବକ ମହାସଂଘ ପକ୍ଷରୁ ଆଇନଜୀବୀ ଭି. ନରସିଂହ ଏବଂ ବିଭୂତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି।

LEAVE A REPLY

Please enter your comment!
Please enter your name here