ଓଡ଼ିଶାଲାଇଭ୍ ବ୍ୟୁରୋ
ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରି। ରବିବାର ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଅଧ୍ୟାଦେଶକୁ ଅନୁମୋଦନ କରାଯାଇଛି।
ଏହାଦ୍ୱାରା ଶ୍ରୀ ଲିଙ୍ଗରାଜ, ତାଙ୍କର ସମ୍ପତ୍ତିର ସୁପରିଚାଳନା ହୋଇପାରିବ। ଏଥିପାଇଁ ଏକ କମିଟିକୁ ପରିଚାଳନା ଦାୟିତ୍ୱ ଦିଆଯିବ ବୋଲି ସ୍ଥିର ହୋଇଛି। ତା’ସହ ଏହି ନୂଆ ଆଇନ ଦ୍ୱାରା ମନ୍ଦିର କାର୍ଯ୍ୟଗୁଡ଼ିକର ଉତ୍ତମ ଓ ସଠିକ୍ ପରିଚାଳନା ହେବା ସହିତ ତୀର୍ଥଯାତ୍ରୀ, ଭକ୍ତ ଓ ଉପାସକମାନଙ୍କୁ ଉନ୍ନତ ସୁବିଧା ସୁଯୋଗ ମିଳିପାରିବ ବୋଲି କୁହାଯାଇଛି।
ଏହି ଅଧ୍ୟାଦେଶରେ ମନ୍ଦିରର ସୁପରିଚାଳନା ପାଇଁ ବିସ୍ତୃତ ଭାବେ ବ୍ୟବସ୍ଥା କରାଯାଇଛି। ଯଥା ପରିଚାଳନା କମିଟି ଗଠନ, କମିଟିର ସଭ୍ୟ ସଂଖ୍ୟା, କମିଟିର ଦାୟିତ୍ୱ ଏବଂ କ୍ଷମତା, ପରିଚାଳକମାନଙ୍କର କ୍ଷମତା ଓ ଦାୟିତ୍ୱ, ମନ୍ଦିରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସୁରକ୍ଷା ଏବଂ ପରିଚାଳନ, ସେବକମାନଙ୍କର ଭୂମିକା ଓ ଦାୟିତ୍ୱ, ମନ୍ଦିର ପାଣ୍ଠିର ଗଠନ ଓ ପରିଚାଳନା ଆଦି ଏହି ନୂଆ ଆଇନରେ ଉଲ୍ଲେଖ କରାଯିବ ବୋଲି କୁହାଯାଇଛି।
ଏହାବ୍ୟତୀତ ଲିଙ୍ଗରାଜ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଅନେକ ଗୁଡ଼ିଏ ପ୍ରସ୍ତାବ କାର୍ଯ୍ୟକାରୀ କରିଛନ୍ତି। ଯାହାକି ଅଗ୍ରାଧିକାର ଭିତ୍ତିରେ କରାଯିବ ବୋଲି କୁହାଯାଇଛି।


















