ଓଡ଼ିଶାଲାଇଭ୍ ବ୍ୟୁରୋ

  • ଚିନ୍ତା ବଢାଇଲାଣି ଜଳପ୍ରଦୂଷଣ
  • ବାଲିଚର ହୁଳୁହୁଳା ମୁହାଣ
  • ଦଳଗାଡ଼ିଆରେ ପରିଣତ ହେଲାଣି ହ୍ରଦ

ନୂଆ ରୂପ ପାଇବ ଓଡ଼ିଶାର ସର୍ବବୃହତ ମଧୁର ଜଳ ହ୍ରଦ ଅଂଶୁପା। ଏହାର ସର୍ବାଙ୍ଗୀନ ବିକାଶ ଦିଗରେ ଗତ ବର୍ଷ ରାଜ୍ୟ ସରକାରଙ୍କ ତରଫରୁ ୨୧କୋଟି ୨୩ଲକ୍ଷ ଟଙ୍କା ମଞ୍ଜୁର ମଧ୍ୟ କରାଯାଇଥିଲା। କିନ୍ତୁ ମଞ୍ଜୁର ଟଙ୍କା କେବଳ ସୂଚନାରେ ସୀମିତ ରହିଗଲା। ମଞ୍ଜୁରକୁ ଦେଢ ବର୍ଷ ହେବାକୁ ବସିଥିବା ବେଳେ ଅଂଶୁପାର ବିକାଶ କଥା ସରକାର ଯେପରି ଭୁଲିଯାଇଛନ୍ତି।ଏବେ ନରସିଂହପୁର ବାଲିପୁଟ ନିକଟସ୍ଥ ମହାନଦୀ ଘାଟରେ ‘ସାତକୋଶିଆ ଇକୋ ରିଟ୍ରିଟ୍’ ଆୟୋଜନ କରାଯାଇଛି। କିନ୍ତୁ ସବୁଠାରୁ ଦୁଃଖ ଅଂଶୁପାକୁ ଏହାର ମୁଖ୍ୟ ଆକର୍ଷଣ ରଖାଯାଇଥିଲେ ସୁଦ୍ଧା ଏହାର ଉନ୍ନତି କଥା ପ୍ରଶାସନ ଚିନ୍ତା କରିପାରିନି।

୨୦୧୯ ଅଗଷ୍ଟରେ ଓଡ଼ିଶା ୱେଟ୍‌ଲ୍ୟାଣ୍ଡ୍ ଡେଭେଲପମେଣ୍ଟ୍ ଅଥରିଟି (ଓଡବ୍ଲୁଡିଏ) ବୈଠକରେ ଅଂଶୁପା ବିକାଶ ସଂକ୍ରାନ୍ତରେ ଆଲୋଚନା କରାଯାଇ ଉଭୟ ଚିଲିକା ଓ ଅଂଶୁପା ପାଇଁ ଅନୁଦାନ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ଅଂଶୁପାକୁ ନେଇ ନୂଆ ସମ୍ଭାବନା ସୃଷ୍ଟି ହୋଇଥିବା ପର୍ଯ୍ୟଟନ କ୍ଷେତ୍ରରେ ଏହା ଅଧିକ ସୁଦୂରପ୍ରସାରୀ ହୋଇପାରିବ ବୋଲି କୁହାଯାଉଥିଲା। କେବଳ ପର୍ଯ୍ୟଟନ ନୁହେଁ ଅଂଶୁପା ଉପରେ ନିର୍ଭରଶୀଳ ୨ଗାଁର ୨୫୦ ମତ୍ସ୍ୟଜୀବୀଙ୍କ ଜୀବନଜୀବିକାରେ ଯଥେଷ୍ଟ ସୁଧାର ଆସିବ ବୋଲି କୁହାଯାଉଥିଲା। କିନ୍ତୁ ଦୁଃଖର ବିଷୟ ଏବେ ସୁଦ୍ଧା ଅଂଶୁପା ପାଇଁ ଅନୁମୋଦିତ ହୋଇଥିବା ୨୧କୋଟି ଟଙ୍କା ଆସିପାରିଲାନାହିଁ।

“ମଞ୍ଜୁର ହୋଇଥିବା କୌଣସି ଟଙ୍କା ମିଳିନାହିଁ। ସୀମିତ ସମ୍ବଳ ଭିତରେ ଦଳ ସଫେଇ କାମ ଚାଲୁରହିଛି। ଏହାସହିତ କିଛି ସୌନ୍ଦର୍ଯ୍ୟକରଣ ମଧ୍ୟ କରାଯାଇଛି। ତେବେ ଅନୁଦାନ ମିଳିଗଲେ ଅଂଶୁପାର ରୂପ ସମ୍ପୂର୍ଣ୍ଣ ବଦଳିଯିବ ବୋଲି ବିଶ୍ୱାସ ରହିଛି”, କହିଛନ୍ତି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ମୁଖ୍ୟ ବିନୋଦ ଆଚାର୍ଯ୍ୟ।କଟକ ଜିଲ୍ଲାରେ ମହାନଦୀର ଦକ୍ଷିଣ ପାର୍ଶ୍ଵରେ ୧୪୧ ହେକ୍ଟରରେ ପରିସୀମାରେ ରହିଛି ଅଂଶୁପା ହ୍ରଦ। ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶ ଓ ପ୍ରାକୃତିକ ଶୋଭାରାଜିରେ ଭରପୂର ଏହା ଭାରତର ସର୍ବବୃହତ ମଧୁରଜଳ ହ୍ରଦ ମଧ୍ୟରୁ ଅନ୍ୟତମ। ଏହାର ଆଉ ଏକ ବିଶେଷତ୍ୱ ହେଲା ଶୀତଦିନରେ ଦେଶବିଦେଶରୁ ଏଠାକୁ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଆଗମନ ହୁଏ। ସେଥିପାଇଁ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଏହାର ଯଥେଷ୍ଟ ଗୁରୁତ୍ୱ ରହିଛି।ଭୁବନେଶ୍ୱରରରୁ ପ୍ରାୟ ୬୦କିଲୋମିଟର ଏବଂ କଟକରୁ ପ୍ରାୟ ୩୦କିଲୋମିଟର ଦୂରରେ ଥିବାରୁ ବର୍ଷ ତମାମ୍ ଏଠାକୁ ଉଭୟ ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କ ସମାଗମ ଦେଖିବାକୁ ମିଳେ। ତେବେ ଓଡ଼ିଶାର ଏହି ଅମୂଲ୍ୟ ପର୍ଯ୍ୟଟନଭୂମି ଦୀର୍ଘ ଦିନ ବେସାହାରା ହୋଇ ପଡିଥିଲା। ବିଭିନ୍ନ ସମସ୍ୟା ଯୋଗୁଁ ଦିନକୁ ଦିନ ଏହାର ଲୋକାଦୃତି ମଧ୍ୟ କମିଯାଇଛି। ଏମିତିକି ଅଂଶୁପା ଏକ ଦଳଗାଡିଆରେ ପରିଣତ ହୋଇପଡିଛି।

ହୁଳୁହୁଳା ନଳା ମାଧ୍ୟମରେ ଅଂଶୁପାକୁ ମହାନଦୀର ଜଳ ଅଂଶୁପାକୁ ଆସିଥାଏ। ଏବେ ହୁଳୁହୁଳା ନଳାର ମୁହାଣ ପୋତି ହୋଇଯିବାରୁ ହ୍ରଦକୁ ପାଣି ଆସିବା ଧିମେଇଯାଇଛି। ମୁହାଣରେ ବାଲି ଜମି ରହିଥିବାରୁ ପରିସ୍ଥିତି ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ପାଣି ଅଭାବରୁ ମାଛଙ୍କ ସଂଖ୍ୟା ମଧ୍ୟ ପୂର୍ବ ତୁଳନାରେ ବେଶ୍ କମିଯାଇଛି। ଯାହା ସିଧାସଳଖ ମତ୍ସ୍ୟଜୀବୀଙ୍କ ଗୁଜୁରାଣକୁ ପ୍ରଭାବିତ କରିଛି।ସୂଚନା ମୁତାବକ, ଅଂଶୁପାରେ ୨୪ ପ୍ରକାରର ମାଛ ରହୁଥିଲେ। କିନ୍ତୁ ପାଣି କମିବା ଏବଂ ଜଳପ୍ରଦୂଷଣ ବଢିବା ଯୋଗୁଁ ଦିନକୁ ଦିନ ମାଛ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ସେହିପରି ପର୍ଯ୍ୟଟନ ଦୃଷ୍ଟିରୁ ଏହାର ଯଥେଷ୍ଟ ଗୁରୁତ୍ୱ ରହିଥିବା ସତ୍ତ୍ଵେ ମଧ୍ୟ ପର୍ଯ୍ୟଟକଙ୍କୁ ବାନ୍ଧି ରଖିବାକୁ ସେମିତି କିଛି ବିଶେଷ ଉପାଦାନ ନାହିଁ। ଯାହାଫଳରେ ଏଠାକୁ ପର୍ଯ୍ୟଟକ ଯିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି।

ଯଦିଓ ଏଠାରେ ୱାଟର୍ ବୋଟିଂ ସୁବିଧା ରହିଛି କିନ୍ତୁ ପାଣି ଏବଂ ଦଳ ଗାଡିଆ ପରିବେଶରେ ବୋଟିଂ ଆନନ୍ଦପ୍ରଦ ହୋଇପାରୁନାହିଁ। କିନ୍ତୁ ଏବେ ଅଂଶୁପା ପାଇଁ ଅନୁଦାନ ମିଳିବା ପରେ ନୂଆ ଆଶା ସୃଷ୍ଟି ହୋଇଥିଲା। ଅଂଶୁପାର ବିକାଶ ପାଇଁ ୨୧କୋଟି ୨୩ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ତେବେ ଏହି ଟଙ୍କା ବିନିଯୋଗରେ ହୁଳୁହୁଳା ନାଳ ମୁହାଣରୁ ବାଲି ଉଦ୍ଧାର, ଜଳପ୍ରଦୂଷଣରୁ ହ୍ରଦକୁ ମୁକୁଳାଇବା, ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ଫେରାଇ ଆଣିବା ସହିତ ପର୍ଯ୍ୟଟନ ବିକାଶରେ ଉପାଦାନ ଯୋଡ଼ିବାକୁ ଯୋଜନା କରାଯାଉଛି।

LEAVE A REPLY

Please enter your comment!
Please enter your name here