ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗର ବିଜେପି ସାଂସଦ ସୌମିତ୍ର ଖାନଙ୍କ ପତ୍ନୀ ବିରୋଧୀ ଦଳରେ ଯୋଗଦେବାରୁ, ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଘୋଷଣା କରିଛନ୍ତି ସାଂସଦ ସୌମିତ୍ର। ମଙ୍ଗଳବାର ଏକ ସାମ୍ଵାଦିକ ସମ୍ମିଳନୀ କରି ସାଂସଦ ସୌମିତ୍ର ପତ୍ନୀ ସୁଜାତା ମଣ୍ଡଳ ଖାନଙ୍କୁ ଛାଡ଼ପତ୍ର ଦେବାନେଇ ଘୋଷଣା କରିଛନ୍ତି।ନିର୍ବାଚନ ପାଇଁ ଏବେ ପଶ୍ଚିମବଙ୍ଗର ପରିବେଶ ପୂରା ସରଗରମ ରହିଛି। ଏହି ସମୟରେ ମଙ୍ଗଳବାର ସାଂସଦ ସୌମିତ୍ର ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ଏହି ସମ୍ମିଳନୀରେ ସୌମିତ୍ର କିଛି ରାଜନୈତିକ ନିଷ୍ପତ୍ତି ନେଇ ଘୋଷଣା କରିବେ ବୋଲି ସମସ୍ତେ ଚିନ୍ତା କରିଥିଲେ। କିନ୍ତୁ ସୈମିତ୍ରଙ୍କ କଥା ସମସ୍ତଙ୍କୁ ଚମକାଇ ଦେଇଥିଲା। କାନ୍ଦିକାନ୍ଦି ସୌମିତ୍ର କହିଥିଲେ ଯେ, ତୃଣମୂଳ କଂଗ୍ରେସ ତାଙ୍କ ସ୍ତ୍ରୀକୁ ଚୋରାଇ ନେଇଛି। ତାଙ୍କ ଭଲପାଇବାକୁ ଲୁଟିନେଇଛି। ତେଣୁ ସେ ପତ୍ନୀ ସୁଜାତାଙ୍କୁ ଛାଡ଼ପତ୍ର ଦେବାକୁ ଘୋଷଣା କରୁଛନ୍ତି।

ସାଂସଦ ସୌମିତ୍ର ଖାନଙ୍କ ପତ୍ନୀ ସୁଜାତା ସୋମବାର ବିଜେପି ଛାଡ଼ିଥିଲେ। ଦଳରେ ତାଙ୍କୁ ଅବହେଳା କରାଯାଉଥିବା ଏବଂ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଦଳରେ ସାମିଲ କରାଯାଉଥିବାର ପ୍ରତିବାଦ କରି ସୁଜାତା ଦଳ ଛାଡ଼ିଥିବା କହିଥିଲେ। ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଫ୍ୟାମିଲି ଡ୍ରାମା ଦେଖିବାକୁ ମିଳିଛି।ଗତ ସାଧାରଣ ନିର୍ବାଚନରେ ବିଜେପି ଟିକଟରେ ସାଂସଦ ନିର୍ବାଚିତ ହୋଇଛନ୍ତି ସୌମିତ୍ର। କିନ୍ତୁ ନିର୍ବାଚନ ଜିତିବା ତାଙ୍କ ପାଇଁ ଛୋଟ କଥା ନ ଥିଲା। କାରଣ ଏକ ଅପରାଧିକ ମାମଲା ଯୋଗୁ ସୌମିତ୍ର୍ୟଙ୍କୁ ନିର୍ବାଚନମଣ୍ଡଳୀରେ ପ୍ରବେଶ କରିବା ଉପରେ ରୋକ୍ ଲଗାଇଥିଲେ ବିରୋଧୀ। ଏମିତି ଏକ ପରିସ୍ଥିତିରେ ସୌମିତ୍ରଙ୍କ ପତ୍ନୀ ସୁଜାତା ହିଁ ପ୍ରଚାରର ମଙ୍ଗ ଧରିଥିଲେ। ଘର ଘର ବୁଲି ସ୍ୱାମୀଙ୍କ ସପକ୍ଷରେ ଭୋଟ୍ ମାଗିଥିଲେ। ତେଣୁ ଭଲ ବ୍ୟବଧାନରେ ଜିତିଥିଲେ ସୌମିତ୍ର। ତେବେ ସୁଜାତାଙ୍କୁ ବିଜେପିରେ ଅବହେଳା କରାଯାଉଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୌମିତ୍ର। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଜୀ ଖୋଦ୍ ସୁଜାତାଙ୍କୁ ଗୁରୁତ୍ୱ ଦେଉଥିଲେ, ତେଣୁ ଏହାଠାରୁ ଅଧିକ ସମ୍ମାନ ବା କ’ଣ ହୋଇପାରିବ।

ଅନ୍ୟପଟେ ସୁଜାତା କହିଛନ୍ତି ଯେ, ଭିନ୍ନ ଭିନ୍ନ ଦଳରୁ ରାଜନୀତି କରିବାରେ ଅସୁବିଧା ନାହିଁ। କିନ୍ତୁ ବିଜେପିର ବରିଷ୍ଠ ନେତାମାନେ ତାଙ୍କ ସଂସାର ସଜାଡ଼ିବା ପରିବର୍ତ୍ତେ ବିଗାଡ଼ି ଦେଉଛନ୍ତି।

LEAVE A REPLY

Please enter your comment!
Please enter your name here