ଓଡ଼ିଶାଲାଇଭ୍ ବ୍ୟୁରୋ
- ନବରଙ୍ଗପୁର ଜିଲ୍ଲାରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
- ଜିଲ୍ଲାରେ ସ୍ଵଚ୍ଛ ଭାରତ ମିଶନରେ ହୋଇଛି ୨୦୦ କୋଟିର ଦୁର୍ନୀତି
- ଦୁର୍ନୀତି ବାବଦରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିବ ଜିଲ୍ଲା କଂଗ୍ରେସ
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲାରେ ସ୍ଵଚ୍ଛ ଭାରତ ମିଶନରେ ୨୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ଜିଲ୍ଲା କଂଗ୍ରେସ। ରବିବାର ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏବାବଦରେ କୁହାଯାଇଛି। ଜିଲ୍ଲାର ୧୦ଟି ବ୍ଲକ୍ରେ ପାଇଖାନା ନିର୍ମାଣ ବାବଦରେ ପ୍ରାୟ ୨୦୦ କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ ଆଣିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝି।
କଂଗ୍ରେସର ଅଭିଯୋଗ ମୁତାବକ ଜିଲ୍ଲାର ଝରିଗାଁ ବ୍ଲକରେ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ୩୭ କୋଟି ୪୫ ଲକ୍ଷ ୪୪ ହଜାର ଟଙ୍କାର ଦୁର୍ନୀତି ହୋଇଛି। ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୁର ସିଂ ଧରୁଆ ପାଞ୍ଚ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ପାଇଖାନା ନିର୍ମାଣ ବାବଦରେ ଲାଞ୍ଚ ନେଇଥିବା ଭଳି ଗୁରୁତର ଅଭିଯୋଗ ଆଣିଥିଲା କଂଗ୍ରେସ। ତେଣୁ ନଭେମ୍ବର ୨୪ରେ ସମ୍ପୃକ୍ତ ବିଡିଓଙ୍କୁ ଗିରଫ କରିବାକୁ କଂଗ୍ରେସ ଦାବି କରିଥିଲା। ହେଲେ ଆଜି ପର୍ଯ୍ୟନ୍ତ ପ୍ରଶାସନ କିମ୍ବା ପୋଲିସ ବିଭାଗ ତଦନ୍ତ ଆଳରେ ବିଡିଓଙ୍କୁ ଘଣ୍ଟ ଘୋଡାଉଛନ୍ତି। ଏହି ଦୁର୍ନୀତି ବାବଦରେ ଆରଟିଆଇ ମାଗିଲେ ମଧ୍ୟ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ବାହାନା କରି ତଥ୍ୟ ଦେଉନାହାନ୍ତି।
ପ୍ରଦୀପ କହିଛନ୍ତି ଯେ, ଜିଲ୍ଲା ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ୬୯ହଜାର ୮୬୨ଟି ପାଇଖାନା ତିଆରି ହୋଇଥିବା ସରକାରୀ ତଥ୍ୟ ରହିଛି। କିନ୍ତୁ ପ୍ରକୃତରେ ଏଯାବତ ମାତ୍ର ଦେଢଲକ୍ଷ ପାଇଖାନା ତିଆରି ହୋଇଛି। କେବଳ କାଗଜକଲମରେ ହିଁ ପାଇଖାନା ତିଆରି ହୋଇଥିବା ଦର୍ଶାଯାଇଛି। ଲୋକଙ୍କ ଟଙ୍କାକୁ ସିଧାସଳଖ ଅଧିକାରୀମାନେ ଆତ୍ମସାତ କରିଛନ୍ତିl
ଯଦି ସରକାର ଯଥାଶୀଘ୍ର ଏହି ଦୁର୍ନୀତିର ତଦନ୍ତ ନ କରନ୍ତି କିମ୍ଵା ଦୁର୍ନୀତି କରୁଥିବା ସଂପୃକ୍ତ ଅଫିସର ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତାହେଲେ କଂଗ୍ରେସ ଆଗାମୀ ଦିନରେ ହାଇକୋର୍ଟ ଯାଇ ଜନସ୍ୱାର୍ଥ ମାମଲା ଦାୟର କରିବ ବୋଲି ଚେତାବନୀ ଦେଇଛନ୍ତି ପ୍ରଦୀପlଅନ୍ୟପଟେ ଝରିଗାଁ ବିଡିଓ ଦେବେନ୍ଦ୍ର ବହାଦୁର ସିଂ ଧରୁଆଙ୍କୁ ଗିରଫ କରିବାକୁ ଦାବି କରି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସକୁ ୨୪ ଘଣ୍ଟା ସମୟ ଦେଇଥିଲା କଂଗ୍ରେସ। ଦାବିକୁ ମାସେ ବିତିଯାଇଥିଲେ ସୁଦ୍ଧା ପୋଲିସ କିମ୍ବା ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ତେବେ ଏହି ଘଟଣାକୁ ଘୋଡ଼ାଇ ଦେବାକୁ ଉଦ୍ୟମ କରାଯାଉଛି ବୋଲି ପ୍ରଦୀପ ପ୍ରଶ୍ନ କରିଛନ୍ତି।
କଂଗ୍ରେସର ତଥ୍ୟ ମୁତାବକ, ଜିଲ୍ଲାକୁ ନୂଆ ଦିଗଦର୍ଶନ ଦେବା ପାଇଁ ୨ ଲକ୍ଷ ୬୯ ହଜାର ୮୬୨ ଟି ପାଇଖାନା ନିର୍ମାଣ କରାଯିବାକୁ ଯୋଜନା ହୋଇଥିଲା। ଏଥିପାଇଁ ସରକାର ୩୨୩ କୋଟି ୮୩ ଲକ୍ଷ ୪୪ ହଜାର ଟଙ୍କା ଅନୁଦାନ ଦେଇଛନ୍ତି। ସେଥିରୁ ଝରିଗାଁ ବ୍ଲକରେ ୩୧,୨୧୨ଟି ପାଇଖାନା ବାବଦରେ ୩୭ କୋଟି ୪୫ ଲକ୍ଷ ୪୪ ହଜାର ପାଇଥିବା ବେଳେ ଚନ୍ଦାହାଣ୍ଡି ବ୍ଲକରେ ୧୯,୨୪୯ଟି ପାଇଖାନା ନିର୍ମାଣ ବାବଦରେ ୨୩ କୋଟି ୯ ଲକ୍ଷ ୮୮ ହଜାର, ଡାବୁଗାଁ ବ୍ଲକରେ ୧୮,୦୬୩ ଟି ପାଇଖାନା ପାଇଁ ୨୧କୋଟି ୬୭ ଲକ୍ଷ ୫୬ ହଜାର, କୋଷାଗୁମୁଡା ବ୍ଲକରେ ୩୬,୬୮୭ଟି ପାଇଖାନା ପାଇଁ ୪୪ କୋଟି ୨ଲକ୍ଷ ୪୪ ହଜାର, ନବରଙ୍ଗପୁର ବ୍ଲକରେ ୨୦,୫୬୬ଟି ପାଇଖାନା ପାଇଁ ୨୪ କୋଟି ୬୭ ଲକ୍ଷ ୯୨ ହଜାର, ନନ୍ଦହାଣ୍ଡି ବ୍ଲକରେ ୧୫,୮୯୮ ଟି ପାଇଖାନା ପାଇଁ ୧୯ କୋଟି ୭ ଲକ୍ଷ ୭୬ ହଜାର, ପାପଡ଼ାହାଣ୍ଡି ବ୍ଲକରେ ୩୫,୦୪୩ ଟି ପାଇଖାନା ପାଇଁ ୪୨ କୋଟି ୫ ଲକ୍ଷ ୧୬ ହଜାର, ରାଇଘର ବ୍ଲକରେ ୩୪,୨୫୨ଟି ପାଇଖାନା ପାଇଁ ୪୧ କୋଟି ୧୦ଲକ୍ଷ ୨୪ ହଜାର, ତେନ୍ତୁଳିଖୁଣ୍ଟି ବ୍ଲକରେ ୨୦,୨୭୨ଟି ପାଇଖାନା ନିର୍ମାଣ ପାଇଁ ୨୪ କୋଟି ୩୨ ଲକ୍ଷ ୬୪ ହଜାର ଓ ଉମରକୋଟ ବ୍ଲକରେ ୩୮,୬୨୬ ଗୋଟି ପାଇଖାନା ନିର୍ମାଣ ବାବଦରେ ୪୬ କୋଟି ୩୫ ଲକ୍ଷ ୧୨ ହଜାର ଟଙ୍କା ପାଇଥିବା ବେଳେ ଜିଲ୍ଲାରେ ମୋଟ ୨ ଲକ୍ଷ ୬୯ ହଜାର ୮୬୨ ଗୋଟି ପାଇଖାନା ନିର୍ମାଣ ବାବଦରେ ୩୨୩ କୋଟି ୮୩ ଲକ୍ଷ ୪୪ ହଜାର ଟଙ୍କା ଖର୍ଚ୍ଚ ହୋଇଛି।
ଆଗାମୀ ଦିନରେ ଜିଲ୍ଲା କଂଗ୍ରେସ କମିଟି ୧୦ ଗୋଟି ବ୍ଲକର ଏହି ୨ ଲକ୍ଷ ୬୯ ହଜାର ୮୬୨ ହିତାଧିକାରୀଙ୍କ ନାମ ଓ ତଥ୍ୟ ହସ୍ତଗତ କରିବ ଏବଂ ସମସ୍ତ ପ୍ରମାଣ ସହ ତଥ୍ୟ ଉପସ୍ଥାପନ କରିବ ବୋଲି ପ୍ରଦୀପ ମାଝି କହିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ସମେତ ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ, ପୂର୍ବତନ ବିଧାୟକ ସଦନ ନାୟକ, ନଗର କଂଗ୍ରେସ ସଭାପତି ଲାଲୁ ତ୍ରିପାଠୀ, ଦିଲ୍ଲୀପ ବେହେରା, ସୁବାସ ଚନ୍ଦ୍ର ସୁର, ସତ୍ୟନାରାୟଣ ତ୍ରିପାଠୀ, ଅଖିଳ ଭତ୍ରା, ପରୀ ସାହୁ, ଭୀମ ହରିଜନ, ଦ୍ଵାରିକା ମହାପାତ୍ର, କୁନା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।