ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରି ୮ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ। କୋଭିଡ୍ କଟକଣାକୁ ମାନି ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ପାଠ ପଢ଼ିବାକୁ ଆସିବେ। ଏନେଇ ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି।

ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ଦେବାପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଜାନୁଆରି ୮ ତାରିଖରୁ ଏପ୍ରିଲ୍ ୨୬ ତାରିଖ ପର୍ଯ୍ୟନ୍ତ କ୍ଲାସ ହେବ। ସେହିପରି ଜାନୁଆରି ୮ରୁ ଏପ୍ରିଲ୍ ୨୮ ତାରିଖ ପର୍ଯ୍ୟନ୍ତ ଦ୍ୱାଦଶ ଶ୍ରେଣୀର ପିଲାମାନେ କ୍ଲାସରୁମରେ ପାଠ ପଢ଼ିବେ।

ଶନିବାର ଓ ରବିବାରକୁ ମିଶାଇ ମୋଟ ୧୦୦ ଦିନ ପାଠପଢ଼ା ହେବ। ପାଠପଢ଼ା ନିମନ୍ତେ ମଧ୍ୟ ମାର୍ଗଦର୍ଶିକା ଜାରି କରାଯିବ। ଏହା ଅନୁସାରେ ହିଁ ଉଭୟ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନରେ ପାଠପଢ଼ା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏହାସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଏସଆରସିଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀର ମଧ୍ୟ ପାଳନ କରାଯିବ।

ଏହାପରେ ଏପ୍ରିଲ ୨୭ ତାରିଖରୁ ମେ ୨ ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀର ପିଲାଙ୍କ ପ୍ରାକ୍ଟିକାଲ ପରୀକ୍ଷା ହେବ। ଏହାପରେ ମେ ୩ରୁ ୧୫ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ହେବ। ସେହିପରି ଏପ୍ରିଲ ୨୯ରୁ ମେ ୧୪ ପର୍ଯ୍ୟନ୍ତ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପ୍ରାକ୍ଚିକାଲ ଏବଂ ମେ ୧୫ରୁ ଜୁନ୍ ୧୧ ଲିଖିତ ପରୀକ୍ଷା ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି।

Comment