ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଧର୍ମାନୁଷ୍ଠାନ ଖୋଲିଗଲାଣି। କରୋନା କଟକଣା ମଧ୍ୟରେ ଦୀର୍ଘ ୯ ମାସ ପରେ ଭକ୍ତମାନେ ଭଗବାନଙ୍କୁ ଦର୍ଶନ କଲେଣି। କିନ୍ତୁ କଟକ ଜିଲ୍ଲାରେ ଏଯାଏଁ କୌଣସି ବି ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦେଉନାହିଁ ପ୍ରଶାସନ। ଜିଲ୍ଲାର ଅନେକ ପୁରାତନ ଧର୍ମାନୁଷ୍ଠାନ ଯେପରିକି କଟକ ଚଣ୍ଡୀ ମନ୍ଦିର, ଗଡ଼ଚଣ୍ଡୀ ମନ୍ଦିର, କଦମରସୁଲ ମସଜିଦ୍, ବାପଚିଷ୍ଟ୍ ଚର୍ଚ୍ଚ, ବାଙ୍କୀର ମା’ ଚର୍ଚ୍ଚିକା ମନ୍ଦିର, ଭଟ୍ଟାରିକା ମନ୍ଦିର, ପରମହଂସ ଶୈବପୀଠ, ଧବଳେଶ୍ଵର ମନ୍ଦିର ସବୁଠି ତାଲା ଝୁଲିଛି। ତେବେ ପ୍ରଶାସନ କାହିଁକି ମନ୍ଦିର, ଦେବାଳୟ ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଉନାହିଁ ତାକୁ ନେଇ ଭକ୍ତମହଲରେ କ୍ଷୋଭ ପ୍ରକାଶ ପାଇଛି।ସବୁଠି ସାହାଣ ମେଲା, କେବଳ ଧର୍ମାନୁଷ୍ଠାନରେ ତାଲା

କଟକ ଜିଲ୍ଲାର ଆଖପାଖ ସବୁ ଜିଲ୍ଲା ଯେପରି କି ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଆଦିରେ ମନ୍ଦିର, ମସଜିଦ୍, ଗୀର୍ଜା ଆଦିକୁ ପ୍ରଶାସନ ଖୋଲି ସାରିଲେଣି। କିନ୍ତୁ କଟକରେ ଏଯାଏଁ ଧର୍ମାନୁଷ୍ଠାନ ଖୋଲିବାକୁ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ। ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିବା ପରେ ଧୀରେ ଧୀରେ ସବୁକିଛିରୁ ତାଲା ଖୋଲିଛନ୍ତି ସରକାର। କଟକରେ ସପିଙ୍ଗ ମଲ୍, ପାର୍କ ଆଦି ଖୋଲିଗଲାଣି। ରାଜ୍ୟ ସରକାରଙ୍କ ଜାନୁଆରି ଗାଇଡଲାଇନ ପରେ କରୋନା କଟକଣା ମଧ୍ୟରେ ଜିଲ୍ଲାରେ ସିନେମା ହଲ୍ ଖୋଲିବାକୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହେଲାଣି। ଜିଲ୍ଲାର ସବୁ ସ୍ଥାନରେ ପ୍ରଶାସନ ସାହାଣ ମେଲା କରିଥିବା ବେଳେ କେବଳ ଧର୍ମାନୁଷ୍ଠାନଗୁଡ଼ିକରୁ ତାଲା ଖୋଲି ନଥିବାକୁ ନେଇ ଜିଲ୍ଲାବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ଜିଲ୍ଲା ପ୍ରଶାସନ, ସିଏମ୍‌ସି ମଧ୍ୟରେ ରହୁନି ତାଳମେଳ

ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନେବାକୁ ଜିଲ୍ଲା ପ୍ରଶାସନଗୁଡ଼ିକୁ ଦାୟିତ୍ଵ ଦେଇଥିଲେ ରାଜ୍ୟ ସରକାର। ଏହି ଦାୟିତ୍ଵ ଆଧାରରେ କଟକରେ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ମଧ୍ୟ ଜିଲ୍ଲା ପ୍ରଶାସନ ନେବା କଥା। କିନ୍ତୁ ପ୍ରଶାସନ କହୁଛି ସହରରେ ଧର୍ମାନୁଷ୍ଠାନ କେବେ ଖୋଲିବ ତାହା କଟକ ମହାନଗର ନିଗମ (ସିଏମ୍‌ସି) କହିବ। ଅପରପକ୍ଷେ ସିଏମ୍‌ସି କମିସନରଙ୍କ କହିବା କଥା କି, ପୂରା ଜିଲ୍ଲାରେ ଯେବେ ଧର୍ମାନୁଷ୍ଠାନ ଖୋଲିବ ସେହି ଆଧାରରେ ସହରରେ ମଧ୍ୟ ଖୋଲାଯିବ। ତେବେ ଧର୍ମାନୁଷ୍ଠାନ ଖାଲିବା ବାବଦରେ ଉଭୟ ପ୍ରଶାସନ ଏବଂ ସିଏମ୍‌ସି ମଧ୍ୟରେ ତାଳମେଳ ରହୁନଥିବା ସମସ୍ତଙ୍କୁ ଦ୍ଵନ୍ଦ୍ଵରେ ପକାଇଦେଇଛି।କଟକଣାକୁ ସମ୍ମାନ ଦେଇଥିଲେ ଜିଲ୍ଲାବାସୀ

କରୋନା ମହାମାରୀର ଭୟ ଯେତେବେଳେ ସାରା ରାଜ୍ୟକୁ ଘାରିଥିଲା ସେତେବେଳେ କଟକ ପ୍ରଶାସନ ପ୍ରାଥମିକ ସ୍ତରରେ ଲକ୍‌ଡାଉନ ଘୋଷଣା କରିଥିଲା। ଜିଲ୍ଲାରେ ସମସ୍ତ ମନ୍ଦିର, ଦେବାଳୟ ଆଦି ବନ୍ଦ କରାଯାଇଥିଲା। ମାର୍ଚ୍ଚ ୨୧ ତାରିଖରେ ହି ଶେଷଥର ପାଇଁ ଲୋକମାନେ ଧର୍ମାନୁଷ୍ଠାନ ଯାଇ ଦର୍ଶନ କରିଥିଲେ। ତାହା ପରଠାରୁ ସବୁ ବନ୍ଦ। ପ୍ରଶାସନର କଟକଣାକୁ ମାନି ଜିଲ୍ଲାବାସୀ ଘରେ ରହିଥିଲେ, କରୋନାର ପାଇଁ ସରକାରଙ୍କର ସବୁ ନିୟମକୁ ପାଳନ କରିଥିଲେ। ଏଥିପାଇଁ କଟକରେ କରୋନା ସଂକ୍ରମଣ ପାଦ ଥାପିବାରେ ବହୁ ସମୟ ଲାଗିଥିଲା। ଦୀର୍ଘ ୯ ମାସ ପରେ କରୋନା ସ୍ଥିତିରେ ଏବେ ସୁଧାର ଆସିଛି। ଜିଲ୍ଲାରେ ଯେଉଁଠି ଦୈନିକ ୪୦୦ରୁ ୫୦୦ କରୋନା ପଜିଟିଭ୍ ବାହାରୁଥିଲେ, ଏବେ ତାହା ୫ରୁ ୧୦କୁ ହ୍ରାସ ପାଇଛି। ତେବେ ରାଜ୍ୟର ବାକି ସବୁ ଜିଲ୍ଲାରେ ମନ୍ଦିର, ଦେବାଳୟ ଖୋଲିଥିଲେ ମଧ୍ୟ କଟକରେ ଏସବୁ ଖୋଲିବାକୁ ପ୍ରଶାସନ କାହିଁକି ପଛଘୁଞ୍ଚା ଦେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।ଜାନୁଆରି ୭ରେ ହେବ ନିଷ୍ପତ୍ତି

କଟକରେ ମନ୍ଦିର, ଦେବାଳୟ କେବେ ଖୋଲିବ ସେ ବାବଦରେ ଜିଲ୍ଲା ପ୍ରଶାସନ ଏବଂ ସିଏମ୍‌ସି ମଧ୍ୟରେ ତାଳମେଳ ରହୁ ନଥିଲା। କିଏ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ ତାକୁ ନେଇ ଜିଲ୍ଲାବାସୀ ଦ୍ଵନ୍ଦ୍ଵରେ ଥିଲେ। ଏବାବଦରେ ପ୍ରଶାସନକୁ ପଚାରିଲେ ସବୁବେଳେ ଗୋଟିଏ ହିଁ ଉତ୍ତର ମିଳେ କି ଆଲୋଚନା ପରେ ନିଷ୍ପତ୍ତି ନିଆଯିବ। ତେବେ ଏହାରି ମଧ୍ୟରେ ସୋମବାର ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ କହିଛନ୍ତି ଯେ, ଆସନ୍ତା ୭ ତାରିଖରେ ଜିଲ୍ଲାରେ ଧର୍ମାନୁଷ୍ଠାନ ଖୋଲିବା ନେଇ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ।

LEAVE A REPLY

Please enter your comment!
Please enter your name here