ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତଙ୍କୁ ନାବାଳକ ଦର୍ଶାଇଲେ ପକ୍ସୋ ଅଦାଲତ। ମଙ୍ଗଳବାର ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଦେଖିବା ପରେ ଅଭିଯୁକ୍ତଙ୍କୁ ୧୮ ବର୍ଷ ହୋଇନଥିବା ଅଦାଲତ କହିଛନ୍ତି। ଏଥିସହ ଏସଆଇଟି ପକ୍ଷରୁ ଅଭିଯୁକ୍ତର ନାର୍କୋ ଟେଷ୍ଟ ପାଇଁ କରାଯାଇଥିବା ଆବେଦନକୁ ଅଦାଲତ ଖାରଜ କରିଛନ୍ତି।
ପରୀ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଜଣକ ନାବାଳକ ବୋଲି କହି ପୂର୍ବରୁ ତାଙ୍କ ପରିବାର ଅଦାଲତଙ୍କ ଦ୍ଵାରସ୍ଥ ହୋଇଥିଲେ। ମଙ୍ଗଳବାର ଏହି ମାମଲାର ଶୁଣାଣି ବେଳେ ଅଭିଯୁକ୍ତଙ୍କ ଓକିଲ କୋର୍ଟରେ ତାଙ୍କର ଜନ୍ମ ପ୍ରମାଣପତ୍ର ଏବଂ ମାଟ୍ରିକ ପ୍ରମାଣପତ୍ର ଦାଖଲ କରିଥିଲେ। ଏହି ପ୍ରମାଣପତ୍ରକୁ ଆଧାର କରି ଅଭିଯୁକ୍ତ ଜଣେ ନାବାଳକ ବୋଲି ଅଦାଲତ କହିବା ସହ ମାମଲାଟିକୁ ଜୁଭିନାଲ ଅଦାଲତକୁ ସ୍ଥାନାନ୍ତର କରିଦେଇଥିବା ସୂଚନା ମିଳିଛି।
ସେହିପରି ସୋମବାର ଅଭିଯୁକ୍ତଙ୍କର ନାର୍କୋ ଟେଷ୍ଟ କରିବା ପାଇଁ ତଦନ୍ତକାରୀ ଦଳ ଏସଆଇଟି ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା। କିନ୍ତୁ ପକ୍ସୋ କୋର୍ଟ ମଙ୍ଗଳବାର ଏସଆଇଟିର ଏହି ଆବେଦନକୁ ଖାରଜ କରିଦେଇଛନ୍ତି।


















