ଓଡ଼ିଶାଲାଇଭ୍ ବ୍ୟରୋ
ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି।
ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତ (ପଠାଣି ସାମନ୍ତ) ଜଣେ ଅସାଧାରଣ ଜ୍ୟୋତିର୍ବିଜ୍ଞାନୀ ଏବଂ ପଣ୍ଡିତ। ସେ ଯେପରି ବିଦ୍ୱାନ ସେହିପରି ନିଷ୍ଠାବାନ ଓ ଧାର୍ମିକ ବ୍ୟକ୍ତି ଥିଲେ। ଆଜି ସେହି ବିଦ୍ୱାନ ବ୍ୟକ୍ତିଙ୍କ ଜୟନ୍ତୀ। ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି।
ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ପିଲାଦିନୁ ତାଙ୍କର ପ୍ରଚଣ୍ଡ ପ୍ରତିଭାର ପରିଚୟ ମିଳିଥିଲା। ପ୍ରାୟ ୨୩ ବର୍ଷର ପର୍ଯ୍ୟବେକ୍ଷଣ ଓ ଅନୁଶୀଳନ ମାଧ୍ୟମରେ ସେ ‘ ସିଦ୍ଧାନ୍ତ ଦର୍ପଣ’ ଗ୍ରନ୍ଥ ରଚନା କରିଥିଲେ। ଜ୍ୟୋତିର୍ବିଜ୍ଞାନରେ ତାଙ୍କର ଅସାଧାରଣ ପାଣ୍ଡିତ୍ୟ ଓ ପ୍ରଜ୍ଞାପାଇଁ ତତ୍କାଳୀନ ବ୍ରିଟିଶ ସରକାର ତାଙ୍କୁ ମହାମହୋପାଧ୍ୟାୟ ଉପାଧିରେ ଭୂଷିତ କରିଥିଲେ।
‘‘ପଠାଣି ସାମନ୍ତ ମହାଗାଣିତିକ ବିଦ୍ୟା ହାସଲ କରିଥିଲେ। ସେ ନିଜର ଏକ ମୌଳିକ ବୈଜ୍ଞାନିକ ଚିନ୍ତାଧାରା ପ୍ରକାଶ କରିଥିଲେ। ଏଥିପାଇଁ ସାରାବିଶ୍ୱରେ ସେ ଖ୍ୟାତି ଅର୍ଜନ କରିଥିଲେ। ଏଭଳି ଜଣେ ବିଦ୍ୱାନ ବ୍ୟକ୍ତି ଓଡ଼ିଶାର ଖଣ୍ଡପଡ଼ାରେ ଜନ୍ମ ହୋଇଥିଲେ। ଖୁବ୍ କମ ବୟସରୁ ସେ ସଂସ୍କୃତ କାବ୍ୟ କୃତିରେ ପାଣ୍ଡିତ୍ୟ ହାସଲ କରିଥିଲେ। ରାଜ ପରିବାରରେ ଜନ୍ମ ହୋଇଥିଲେ ବି ସେ ଅତି ସାଧାରଣ ଭାବେ ଜୀବନ ବଞ୍ଚୁଥିଲେ’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର।
‘‘ମାତ୍ର ୭ ବର୍ଷ ବୟସରେ ପଠାଣି ସାମନ୍ତଙ୍କ ପାଣ୍ଡିତ୍ୟର ପରିଚୟ ମିଳିଥିଲା। ତାଙ୍କୁ ଯେତେବେଳେ ୧୨ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ଜ୍ୟୋତିଷ ଗ୍ରନ୍ଥର ବିଭିନ୍ନ ବିଷୟମାନ ପାଠ କରି ଏହାକୁ ମୁଖସ୍ଥ କରିଦେଇଥିଲେ। ସେ ଆକାଶକୁ ଅନୁଧ୍ୟାନ କରି ଗ୍ରହ ଓ ନକ୍ଷତ୍ରର ଗତିବିଧି ନିରୂପଣ କରିପାରୁଥିଲେ। ଦୀର୍ଘ ୧୩ ବର୍ଷର ଅନୁଶୀଳନ ପରେ ସେ ରଚନା କରିଥିଲେ ସିଦ୍ଧାନ୍ତ ଦର୍ପଣ। ଏହି ରଚନା ପାଇଁ ସେ ଆନ୍ତର୍ଜାତିକ ସ୍ତରରେ ସଫଳତା ସାଉଣ୍ଟିଥିଲେ’’ କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀ।
ସେ ଆହୁରି କହିଛନ୍ତି ଯେ, ନୟାଗଡ଼ ଜିଲ୍ଲା ଯେତେବେଳେ ଅବିଭକ୍ତ ଥିଲା, ସେତେବେଳେ ନୟାଗଡ଼ ଓ ଖଣ୍ଡପଡ଼ା ମଧ୍ୟରେ ସୀମା ବିବାଦ ଲାଗି ରହିଥିଲା। ସେତେବେଳେ ଏହି ବିବାଦରେ ମଧ୍ୟସ୍ଥତା କରି ସେଥିରେ ସଫଳ ହୋଇଥିଲେ ସାମନ୍ତ ଚନ୍ଦ୍ରଶେଖର। ବାଉଁଶ ନଳୀରେ ଦୁର୍ବୀଣ କରି ଗ୍ରହ, ତାରାର ଚଳନ ଉପରେ ନିଜର ଗଣନା ଆରମ୍ଭ କରିଥିଲେ।
‘‘ସାମନ୍ତ ଚନ୍ଦ୍ରଶେଖର କେବଳ ଉତ୍କଳର ପରିଚୟ କି ଗୌରବ ନଥିଲେ ସେ ସାରାଭାରତ ବର୍ଷର ଗୌରବ ଥିଲେ। ତାଙ୍କ ସମ୍ପର୍କରେ ‘ନେଚର ଅଫ୍ ନଲେଜ’ ଇଂଲଣ୍ଡ ଓ ଆମେରିକାରେ ୨ଟି ପ୍ରତ୍ରିକରେ ଲେଖା ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ସେ ମହାମହୋପାଧ୍ୟାୟ ଉପାଧି ପାଇଥିଲେ। ସ୍ୱଦେଶୀ ଜ୍ଞାନ କୌଶଳର ଯେଉଁ ଉପଯୋଗିତା ଥାଏ ତାକୁ ସେ ପ୍ରତିଫଳିତ କରିଥିଲେ। ସେଥିପାଇଁ ତାଙ୍କୁ ଭାରତବର୍ଷର ଗର୍ବ ବୋଲି କୁହାଯାଏ। ସାମନ୍ତ ଜଣେ ଜ୍ୟୋତିର୍ବିଦ ଥିଲେ ସତ, କିନ୍ତୁ ତାଙ୍କର ସାହିତ୍ୟରେ ବି ଗଭୀର ପାଣ୍ଡିତ୍ୟ ଥିଲା’’, କହିଛନ୍ତି ବିଶିଷ୍ଟ ସାହିତ୍ୟକି ଦାଶ ବେନହୁର।
‘‘ଗଣିତ ଓ ଭାଷାର ସମନ୍ୱୟକୁ ନେଇ ପଠାଣି ସାମନ୍ତ ରଚନା କରିଥିଲେ ‘ସିଦ୍ଧାନ୍ତ ଦର୍ପଣ’। ପଠାଣି ସାମନ୍ତଙ୍କ ଏଭଳି ଅବଦାନ ଭାରତବର୍ଷ ପାଇଁ ଅଦ୍ୱିତୀୟ। କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଭାରତରେ ସେ ଜଣେ ଅଦ୍ୱିତୀୟ ଗବେଷକ। ତାଙ୍କ ପ୍ରତିଭା ଯୋଗୁଁ ସେ ସମୟରେ ସେ ବ୍ରିଟିଶ ସରକାରଙ୍କଠାରୁ ପୁରସ୍କାର ହାସଲ କରିଥିଲେ’’, କହିଛନ୍ତି ବିଶିଷ୍ଟ ପ୍ରାବନ୍ଧିକ ଓ ସମାଲୋଚକ ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ।
‘‘ପଠାଣି ସାମନ୍ତ ପିଲାବେଳଳୁ ଖେଳକୁଦରେ ମନ ବଳାଉନଥିଲେ। ସେ ସବୁବେଳେ ଖରା, ଛାଇ, ଆକାଶ ଆଦିକୁ ଚାହିଁ ରହୁଥିଲେ ଏବଂ ନିଜ ଭାବନା ଭିତରେ ନିମଗ୍ନ ରହୁଥିଲେ’’ କହିଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ କିଶୋର ରଥ।