ଓଡ଼ିଶାଲାଇଭ୍ ବ୍ୟୁରୋ

ତୃତୀୟ ଜାତୀୟ ଚିଲିକା ପକ୍ଷୀ ଉତ୍ସବକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

“ଚିଲିକା ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀମାନଙ୍କ ପାଇଁ ଏକ ତୀର୍ଥସ୍ଥଳ। ସେଥିପାଇଁ ସେମାନେ ଦୂର ଦୂରାନ୍ତରୁ ପ୍ରତିବର୍ଷ ଚିଲିକାକୁ ଉଡ଼ିଆସନ୍ତି। ଏଠାକାର ପରିବେଶକୁ ସେମାନେ ଭଲ ପାଇଥାନ୍ତି”, ଶୁକ୍ରବାର ତୃତୀୟ ଜାତୀୟ ଚିଲିକା ପକ୍ଷୀ ଉତ୍ସବକୁ ଉଦଘାଟନ କରି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ମିଳିତ ଉଦ୍ୟମରେ ଶୁକ୍ରବାରଠାରୁ ତୃତୀୟ ଜାତୀୟ ଚିଲିକା ପକ୍ଷୀ ଉତ୍ସବ ଆରମ୍ଭ ହୋଇଛି। ଆସନ୍ତା ତିନିଦିନ ଧରି ଏହା ପାଳନ କରାଯିବ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବା ସହିତ ଏହି ଉତ୍ସବକୁ ପ୍ରଶଂସା କରିଛନ୍ତି।ଏଥିସହିତ ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ମହାରାଷ୍ଟ୍ର, କର୍ଣ୍ଣାଟକ, ଦିଲ୍ଲୀ, ହରିୟାଣା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗର ପ୍ରାୟ ୫୫ଟି ମନୋନୀତି ପକ୍ଷୀଙ୍କୁ ଦେଖିବାକୁ ମିଳିବ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି ଯେ, କିଏ କହୁଛି ବିଦେଶୀ ପକ୍ଷୀମାନଙ୍କର ଆଗମନ କମ ହେଇଛି। ଏହି ପକ୍ଷୀମାନଙ୍କ ପାଇଁ ହିଁ ଓଡ଼ିଶା, ଚିଲିକା ହ୍ରଦ ପ୍ରସିଦ୍ଧି ଲାଭ କରିଛି। ଏଥିସହ ଚିଲିକାର ଏହି ପକ୍ଷୀ ଉତ୍ସବକୁ ମଧ୍ୟ ମନ୍ତ୍ରୀ ପ୍ରଶଂସା କରିଥିଲେ।

ସେହିପରି ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର କହିଥିଲେ ଯେ, ଚଳିତବର୍ଷ ପକ୍ଷୀଗଣନାରେ ପ୍ରାୟ ୧୧.୪୨ ଲକ୍ଷ ପକ୍ଷୀ ଦେଶବିଦେଶରୁ ଓଡ଼ିଶାକୁ ଆସିଛନ୍ତି। ଚିଲିକା ସମେତ ସାତକୋଶିଆ, ଭିତରକନିକା ଏବଂ ହୀରାକୁଦ ପକ୍ଷୀମାନଙ୍କ ପାଇଁ ଉପଯୁକ୍ତ ସ୍ଥାନ ହୋଇପାରିଛି। ଆଗାମୀ ଦିନରେ ରାଜ୍ୟରେ ଇକୋଟୁରିଜିମ୍ ବ୍ୟବସ୍ଥାକୁ ଆଗକୁ ନିଆଯିବ ବୋଲି ସେ କହିଥିଲେ।

ଓଟିଡିସିର ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପୁରୀ ଓ ଲିଙ୍ଗରାଜ ମନ୍ଦିରର ଉନ୍ନତିକରଣ କଲାପରେ ଏହା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି। ଏହା ଆଗାମୀ ଦିନରେ ଓଡ଼ିଶା ପର୍ଯ୍ୟଟନକୁ ଆଗକୁ ନେବାରେ ବେଶ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି।

ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ଓଡ଼ିଶାର ଇକୋଟୁରିଜିମ୍ ବ୍ୟବସ୍ଥାକୁ ପୂର୍ବ ଭାରତର ସବୁଠୁ ଶ୍ରେଷ୍ଠ ବୋଲି ବିବେଚନା କରିଛନ୍ତି। ସେ କହିଛନ୍ତି ଯେ ଚଳିତ ଥର ଭିତରକନିକା, ଦାରିଙ୍ଗିବାଡ଼ି, ହୀରାକୁଦ, କୋଣାର୍କ ଓ ସାତକୋଶିଆରେ ଇକୋ ରିଟ୍ରିଟ୍ କରାଯାଇଥିଲା। ଏହା ଭିତରୁ ଭିତରକନିକା, ହୀରାକୁଦ ଓ ସାତକୋଶିଆ ପକ୍ଷୀମାନଙ୍କର ହଟସ୍ପଟ ବୋଲି ସେ କହିଥିଲେ। ଆଜି ଜାତୀୟ ଚିଲିକା ପକ୍ଷୀ ଉତ୍ସବର ଉଦଘାଟନ ହୋଇଥିବାବେଳେ ଆଗାମୀ ଦୁଇଦିନରେ ଯୋଗଦେଇଥିବା ଅତିଥିମାନଙ୍କର ମଙ୍ଗଳାଯୋଡ଼ି-ନଳବଣ, ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଏବଂ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ବୁଲିଦେଖିବେ।

LEAVE A REPLY

Please enter your comment!
Please enter your name here