ଓଡ଼ିଶାଲାଇଭ୍ ବ୍ୟୁରୋ
ଖେଳକୁଦ ବୟସରେ ପରିବାର ବୋଝ ବୋହୁଛନ୍ତି କେନ୍ଦ୍ରପଡ଼ାର ରିଷିକାନ୍ତ ଓ ରୁଦ୍ର ପ୍ରସାଦ।
(ଶୁଭଶ୍ରୀ ନାୟକ): ବାପାଙ୍କର ଦୁର୍ଘଟଣାରେ ଗୋଡ଼ ଅଚଳ ହୋଇପଡ଼ିଛି, ମା’ କିଛି ବର୍ଷ ଆଗରୁ ଦୁନିଆ ଛାଡ଼ି ଚାଲି ଯାଇଛନ୍ତି। ଏଭଳି ସ୍ଥିତିରେ ପରିବାରର ବୋଝ ବୋହୁଛନ୍ତି ସେମାନଙ୍କର ଦୁଇ କୁନି କୁନି ପୁଅ। ବିଛଣାରେ ପଡ଼ିଥିବା ବାପାଙ୍କର ସେବା କରିବାଠୁ ଆରମ୍ଭ କରି ଘର ଚଳାଇବା ପର୍ଯ୍ୟନ୍ତ ସବୁ କାମ କରୁଛନ୍ତି ଏହି ଦୁଇ କୁନି ପିଲା। ଏ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା, ଆଳି ବ୍ଲକ ସିଙ୍ଗିରୀ ଗାଁର ପ୍ରମୋଦ ମଲ୍ଲିକ ଓ ତାଙ୍କର ଦୁଇ ପିଲାଙ୍କ କାହାଣୀ।
ସିଙ୍ଗିରୀ ଗାଁର ପ୍ରମୋଦ ମଲ୍ଲିକଙ୍କ ୬ ବର୍ଷ ତଳେ ଏକ ବାଇକ ଯୋଗେ ଘରକୁ ଆସୁଥିଲା ବେଳେ ଦୁର୍ଘଟଣା ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ତାଙ୍କର ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ଫଳରେ ତାଙ୍କୁ ସେହି ଗୋଡ଼ର ଅପରେସନ କରିବାକୁ ପଡ଼ିଥିଲା। କେନ୍ଦ୍ରାପଡ଼ାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଅପରେସନ ହୋଇଥିଲା। କିନ୍ତୁ ତାହା ସଫଳ ହୋଇନଥିଲା। ଅର୍ଥ ଅଭାବରୁ ପ୍ରମୋଦ କଟକ କି ଭୁବନେଶ୍ୱର ହସ୍ପିଟାଲରେ ନିଜର ଚିକିତ୍ସା କରାଇ ପାରୁନଥିଲେ। ଏପଟେ ପରିବାର ବୋଝ ତାଙ୍କୁ ଆହୁରି ଚିନ୍ତାଗ୍ରସ୍ତ କରିଥିଲା।
ପରିସ୍ଥିତିର ତାଡ଼ନାରେ ହାର ନମାନି ପ୍ରମୋଦ ବିଛଣାରେ ପଡ଼ିଥିଲେ ବି ଛୋଟ ଛୋଟ ପିଲାଙ୍କୁ ଟ୍ୟୁସନ କରିବା ଆରମ୍ଭ କରିଥିଲେ। କିନ୍ତୁ ଗୋଡ଼ରେ ଧୀରେ ଧୀରେ ଯନ୍ତ୍ରଣା ବଢ଼ିଥିଲା। ଯନ୍ତ୍ରଣା ଯୋଗୁଁ ସେ ଏବେ ଟିଉସନ ବି ଛାଡ଼ି ଦେଇଛନ୍ତି। ଫଳରେ ଘର ଚଳାଇବାକୁ ଓ ଚିକିତ୍ସା ଖର୍ଚ୍ଚ ଉଠାଇବାକୁ ଆଗକୁ ଆସିଛନ୍ତି ତାଙ୍କର ଦୁଇ କୁନି ପୁଅ ରିଷିକାନ୍ତ ମଳିକ ଓ ରୁଦ୍ର ପ୍ରସାଦ ମଳିକ।
ରିଷି ଏବେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିଲା ବେଳେ ରୁଦ୍ର ନବମ ଶ୍ରେଣୀରେ ପାଠ ପଢ଼ୁଛି। ଏହି କୁନି ବୟସରୁ ଦୁଇ ଭାଇ ମିଶି ପରିବା ବେପାର କରିବା ଆରମ୍ଭ କରି ଦେଇଛନ୍ତି। ସକାଳ ହେଲେ ପରିବା ବିକ୍ରି କରିବାକୁ ବାହାରି ଯାଉଛନ୍ତି। ଘରର ବୋଝ ପାଇଁ ଏମାନେ କିନ୍ତୁ ପାଠପଢ଼ାରେ ମନ ଦେଇପାରୁନାହାନ୍ତି କି ଯଥେଷ୍ଟ ସମୟ ବି ପାଇ ପାରୁନାହାନ୍ତି।
ଅନ୍ୟପଟେ ପ୍ରମୋଦଙ୍କ ସ୍ଥିତି ଦେଖି ତାଙ୍କୁ କିଛି ଲୋକ ସାହାଯ୍ୟର ହାତ ବଢ଼ାଇଛନ୍ତି। ଆର୍ଥିକ ସହାୟତା ମିଳିବା ପରେ ପ୍ରମୋଦ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଏବେ ନିଜର ଚିକିତ୍ସା କରୁଛନ୍ତି। ଅପରେସନ ପରେ ପ୍ରମୋଦ ସମ୍ପୂର୍ଣ୍ଣ ଠିକ୍ ହୋଇଯିବେ ବୋଲି ତାଙ୍କର ପୁଅମାନେ ଆଶା ବାନ୍ଧି ବସିଛନ୍ତି।

















