ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରୁ କରୋନା ବିପଦ ଟଳିନଥିବା ବେଳେ ବାର୍ଡ ଫ୍ଲୁ ସଙ୍କଟ କାୟା ମେଲାଇ ସାରିଲାଣି। ଏବେ ଏହି ଫ୍ଲୁ ରାଜଧାନୀ ଦିଲ୍ଲୀକୁ ବି କବଳିତ କରିଛି। ଦିଲ୍ଲୀର ମୃତ ବତକ ଏବଂ କାଉଙ୍କଠାରେ ଫ୍ଲୁ ଭାଇରସ ମିଳିଛି। ଫଳରେ ଏବେ ଦିଲ୍ଲୀ ସରକାର ଆଲର୍ଟ ଜାରି କରିଛନ୍ତି।
ରବିବାର ଦିଲ୍ଲୀର ୧୫ଟି ପାର୍କରୁ ୯୧ କାଉ ଏବଂ ୨୭ ବତକଙ୍କ ମୃତଦେହ ମିଳିଥିଲା। ବାର୍ଡ ଫ୍ଲକୁ ଦୃଷ୍ଟିରେ ଏବେ ରଖି ସଞ୍ଜୟ ହ୍ରଦ ଅଞ୍ଚଳକୁ ଆଲର୍ଟ ଜୋନ୍ ଘୋଷିତ କରାଯାଇଛି।
ବାର୍ଡ ଫ୍ଲୁ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସୂଚନା ଦେଇ କହିଛନ୍ତି,‘‘ବାର୍ଡ ଫ୍ଲକୁ ଦୃଷ୍ଟିରେ ରଖି ଦିଲ୍ଲୀର ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳଙ୍କ ତତ୍ତ୍ୱବଧାନରେ ସର୍ଭିଲାନ୍ସ ଟିମ୍ ଗଠନ କରାଯାଇଛି। ପଶୁ ଚିକିତ୍ସକମାନେ କ୍ରମାଗତ ଭାବରେ ସର୍ଭେ କରୁଛନ୍ତି’’।
ଅନ୍ୟପଟେ ଦେଶର ଦିଲ୍ଲୀ ସମେତ ଦେଶର ୭ଟି ରାଜ୍ୟକୁ ଫ୍ଲୁ ବ୍ୟାପିଲାଣି। ଏହି ସବୁ ରାଜ୍ୟ ମଧ୍ୟରେ ରହିଛି କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ, ଉତ୍ତରପ୍ରଦେଶ, ହରିଆଣା, ଗୁଜରାଟ। ଏହି ସବୁ ରାଜ୍ୟରେ ଫ୍ଲୁ ରୋକିବାକୁ ସମସ୍ତ ପଦକ୍ଷେପ ନିଆଯାଉଛି। ରାଜ୍ୟ ସରକାର ଆଲର୍ଟ ମଧ୍ୟ ଜାରି କରିଛନ୍ତି।