ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର) : ନବରଙ୍ଗପୁର ସିପ୍ରା ସରକାର ହତ୍ୟାକାଣ୍ଡରେ ତେଜିଛି ରାଜନୀତି। ଏହି ଘଟଣା ପଛରେ ସ୍ଥାନୀୟ ସାଂସଦ ଏବଂ ବିଧାୟକଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଛି କଂଗ୍ରେସ। ତେଣୁ ଉଭୟଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝି ଦାବି କରିଛନ୍ତି।
ରବିବାର ଏହି ହତ୍ୟା ପ୍ରସଙ୍ଗରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ଵାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ପୂର୍ବତନ ସାଂସଦ ପ୍ରଦୀପ ମାଝି ଉମରକୋଟର ସିପ୍ରା ସରକାର ହତ୍ୟା ଘଟଣାରେ ବିଜେଡି ସାଂସଦ ରମେଶ ମାଝୀ ଏବଂ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ହାତ ଥିବା ଅଭିଯୋଗ କରିଛନ୍ତି। ଘଟଣାର ଦୁଇଦିନ ପୂର୍ବରୁ ହତ୍ୟାକାରୀ ବିପ୍ଳବ ବିଶ୍ଵାସ ଏବଂ ତାଙ୍କ ଶାଶୁଙ୍କ ମଧ୍ୟରେ ହୋଇଥିବା ଏକ କଥାବାର୍ତ୍ତାର ଏକ ଟେପ୍ ଜାରି କରି ସ୍ଥାନୀୟ ସାଂସଦ ଏବଂ ବିଧାୟକଙ୍କ ଏହି ଘଟଣାରେ ସଂପୃକ୍ତି ରହିଥିବା କଂଗ୍ରେସ ଅଭିଯୋଗ କରିଛି।
ଉମରକୋଟ ମିକ୍ସଗ୍ରାମର ବିପ୍ଳବ ବିଶ୍ଵାସ ଏବଂ ତାଙ୍କ ପତ୍ନୀ ସିପ୍ରା ସରକାରଙ୍କ ମଧ୍ୟରେ ପାରିବାରିକ କଥାକୁ ନେଇ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ଗତ ୫ ତାରିଖ ରାତିରେ ସିପ୍ରା ଏବଂ ତାଙ୍କର ଦୁଇ ମାସର ଶିଶୁ କନ୍ୟାକୁ ନେଇ ବିପ୍ଳବ ଶ୍ଵରୂର ଘରକୁ ଯାଉଥିଲେ। ରାସ୍ତାରେ ଗଲାବେଳେ ମଧ୍ୟ ସେମାନଙ୍କ ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା। ଏଥିରେ ବିପ୍ଳବ ଅତ୍ୟନ୍ତ ରାଗିଯାଇ ମଝି ରାସ୍ତାରେ ସିପ୍ରାଙ୍କ ତଣ୍ଟି ଚିପି ପରେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲେ ଏବଂ ଶିଶୁ କନ୍ୟାକୁ ଏକ ବସ୍ତାରେ ଭର୍ତ୍ତି କରି ପାଖ ଗ୍ରାମରେ ଫିଙ୍ଗି ଦେଇଥିଲେ। ଏହି ଘଟଣାରେ ବିପ୍ଳବଙ୍କୁ ପୋଲିସ ଗିରଫ କରିଛି।
ହତ୍ୟାର ଦୁଇ ଦିନ ପୂର୍ବରୁ ବିପ୍ଳବ ଓ ତାଙ୍କ ମା’ ଟେଲିଫୋନରେ କଥା ହୋଇଥିଲେ। ହତ୍ୟାକାଣ୍ଡରେ ତାର କୌଣସି ବି କ୍ଷତି ହେବ ନାହିଁ ବୋଲି ବିପ୍ଳବ ତା ମା’ଙ୍କୁ କହୁଥିବା ଶୁଣିବାକୁ ଏହି କାବାର୍ତ୍ତାରେ ମିଳୁଛି। ତେବେ ହତ୍ୟାକାଣ୍ଡ ପାଇଁ ତାକୁ କେବଳ କିଛିଦିନ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ନବରଙ୍ଗପୁର ସାଂସଦ ରମେଶ ମାଝୀ ୧୨ ଦିନ ମଧ୍ୟରେ ବିପ୍ଳବକୁ ଜେଲରୁ ମୁକୁଳାଇବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ତାକୁ ୬ ଘଣ୍ଟା ମଧ୍ୟରେ ମୁକୁଳାଇବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିବା ବିପ୍ଳବ ଏହି କଥାବାର୍ତ୍ତାରେ ତାର ମା’କୁ କହୁଥିବା ଶୁଣିବାକୁ ମିଳିଛି। ଏହାସହ ଉମରକୋଟ ଏସ୍ଡିପିଓ ଓ ଉମରକୋଟ ଥାନାଧିକାରୀ ମଧ୍ୟ ତା ସହିତ ଥିବା ବିପ୍ଳବ କହିଛି। ତେଣୁ ସମସ୍ତଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଦାବି କରିଛି ଜିଲ୍ଲା କଂଗ୍ରେସ।
ଏହି ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ, ନଗର କଂଗ୍ରେସ ସଭାପତି ଲାଲୁ ତ୍ରିପାଠୀ, କୁନା ପାଢ଼ୀ, ଅଖିଳ ଭତ୍ରା, ଦିଲ୍ଲୀପ ବେହେରା, ପରୀ ସାହୁ, ଭୀମ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ।


















