ଓଡ଼ିଶାଲାଇଭ୍ ବ୍ୟୁରୋ
ସଂକ୍ରାନ୍ତି ତିଥିରେ ଜନ୍ମ ଓ ସଂକ୍ରାନ୍ତିରେ ତିଥିରେ ମୃତ୍ୟୁ ହୋଇଥିବାରୁ ଫକିରମୋହନ ସେନାପତିଙ୍କୁ ସଂକ୍ରାନ୍ତି ପୁରୁଷ ବୋଲି କୁହାଯାଇଥାଏ। ଆଜି ତାଙ୍କ ଜୟନ୍ତୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି।
ଓଡ଼ିଆ ଗଳ୍ପ ସାହିତ୍ୟର ଜନକ ତଥା କଥାସମ୍ରାଟ ଭାବେ ପରିଚିତ ବ୍ୟାସକବି ଫକିରମୋହନ ସେନାପତିଙ୍କ ଜୟନ୍ତୀ। ୧୮୪୩ ମସିହା ମକର ସଂକ୍ରାନ୍ତି ଦିନ ସେ ବାଲେଶ୍ୱର ଜିଲ୍ଲା ମଲିକାଶପୁରଠାରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜୟନ୍ତୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।
ଓଡ଼ିଆ କଥା ସାହିତ୍ୟର ଜନକ ବ୍ୟାସକବି ଫକିରମୋହନ ସେନାପତି ଓଡ଼ିଆ ସାହିତ୍ୟ ଇତିହାସରେ ଜଣେ ଯୁଗସ୍ରଷ୍ଟା ସାରସ୍ୱତ ସାଧକ ରୂପେ ପରିଚିତ। କାବ୍ୟଶିଳ୍ପୀ ଭାବରେ ସେ ମଧ୍ୟ ଓଡ଼ିଆ ସାହିତ୍ୟରେ ତାଙ୍କର ଅମର ସ୍ୱାକ୍ଷର ରଖିଯାଇଛନ୍ତି। ୧୮୬୮ ମସିହାରେ ରଚିତ ତାଙ୍କର ‘ଲଛମନିଆ’ କ୍ଷୁଦ୍ରଗଳ୍ପ କେବଳ ଓଡ଼ିଆ ସାହିତ୍ୟରେ ନୁହେଁ ସମଗ୍ର ଭାରତୀୟ କଥା ସାହିତ୍ୟରେ ପ୍ରଥମ ସୃଷ୍ଟିର ଗୌରବ ଲାଭ କରେ।
‘‘ବ୍ୟାସକବି ଫକିରମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବେ ପରିଚିତ। ଏହି ମହାନ ଯୋଗଜନ୍ମା ପୁରୁଷ ଓଡ଼ିଆ ଭାଷା ଆନ୍ଦୋଳନର ମଙ୍ଗ ଧରିଥିଲେ। ସେ ତାଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟାରେ ଓଡ଼ିଆ ପ୍ରେସ ସ୍ଥାପନ କରି ବିଦ୍ୟାଳୟର ବିଭିନ୍ନ ଶ୍ରେଣୀ ପାଇଁ ପାଠ୍ୟ ପୁସ୍ତକ ଓଡ଼ିଆ ଭାଷାରେ ଛପାଇ ଥିଲେ। ଫକିରମୋହନଙ୍କ ପ୍ରଚେଷ୍ଟା ଯୋଗୁଁ ଓଡ଼ିଆ ଭାଷାର ଶିକ୍ଷାଦାନ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ତାଙ୍କର ଅବଦାନ ଅତୁଳନୀୟ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ।
ଫକିରମୋହନଙ୍କ ଜାତିପ୍ରୀତି ଅତ୍ୟନ୍ତ ବିରଳ ଓ ଅବିସ୍ମରଣୀୟ। ଅଜସ୍ର କାବ୍ୟ ସୃଷ୍ଟିରେ ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରି ସେ ବ୍ୟାସକବି ରୂପେ ସମ୍ମାନିତ। ୧୯୧୬ ମସିହାରେ ବାମଣ୍ଡାର ‘ସୁରତରଂଗିଣୀ ସାରସ୍ୱତ ସମିତି’ ତରଫରୁ ସେ ସରସ୍ୱତୀ ଉପାଧିରେ ଭୂଷିତ।
‘‘ସମଗ୍ର ଭାରତ ବର୍ଷରେ ଫକିରମୋହନ ଓଡ଼ିଆ କ୍ଷୁଦ୍ରଗଳ୍ପର ଜନକ। ତାଙ୍କ ଲିଖିତ ‘ରେବତୀ’, ‘ରାଣ୍ଡି ପୁଅ ଅନନ୍ତା’, ‘ଡାକମୁନସୀ’ ଆଦି ଗଳ୍ପ ଚିର ସ୍ମରଣୀୟ। ଉପନ୍ୟାସ କ୍ଷେତ୍ରରେ ବି ଫକିରମୋହନ ଅଦ୍ୱିତୀୟ। ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଏ ଜାତିର ଚିର ନମସ୍ୟ’’, କହିଛନ୍ତି ଓଡ଼ିଆ ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର।
ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ଲାଗି ସେ ଲଢ଼ିଥିଲେ। ବାଲେଶ୍ୱରର ତତ୍କାଳୀନ ଜିଲ୍ଲାପାଳ ଜନ୍ ବିମସ୍ ସାହେବ ଫକିରମୋହନଙ୍କ ପାଣ୍ଡିତ୍ୟରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ତାଙ୍କଠାରୁ ଓଡ଼ିଆ ଭାଷା ଶିକ୍ଷା କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।
‘‘କଥା ସମ୍ରାଟ ଫକିରମୋହନ ସେନାପତି ଓଡ଼ିଆ ଭାଷା ସାହିତ୍ୟକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ। ତାଙ୍କ ରଚିତ ଓଡ଼ିଆ ଗଳ୍ପ ‘ଲଛମନିଆ’ ୧୮୬୮ ମସିହାରେ ବୋଧଦାୟିନୀ ପ୍ରତ୍ରିକାରେ ପ୍ରକାଶ ପାଇଥିଲା। ସେ ସମୟରେ ଫକିରମୋହନ ଅନ୍ଧ ବିଶ୍ୱାସ, କୁସଂସ୍କାର, ଅନ୍ୟାୟ, ଅତ୍ୟାଚାର ଉପରେ ନିଜର ଲେଖନୀ ଚାଳନା କରି ସ୍ୱର ଉତ୍ତୋଳନ କରିଥିଲେ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ।
‘‘ସେ ସମୟରେ ଓଡ଼ିଶା ଲୋକଙ୍କ କାହାଣୀକୁ ବିଷଦ ଭାବେ କାହାଣୀରେ ଉପସ୍ଥାପନ କରିଥିଲେ ଫକିରମୋହନ ସେନାପତି। କେବଳ ଓଡ଼ିଆ କଥା ସାହିତ୍ୟ ନୁହେଁ, ଓଡ଼ିଆରେ ସେ ପ୍ରଥମ ଆତ୍ମଜୀବନୀ ମଧ୍ୟ ସେ ଲେଖିଥିଲେ। ତାଙ୍କ ଅମୃତ ଲେଖନୀର ସ୍ପର୍ଶ ସାହିତ୍ୟର ଯେଉଁ ବିଭାଗକୁ ଛୁଇଁଛି ତାହା ଚିର ସ୍ମରଣୀୟ ହୋଇ ରହିଯାଇଛି’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ।
‘‘ଆଧୁନିକ ଓଡ଼ିଶାର ଅନ୍ୟତମ ଶ୍ରେଷ୍ଠ ପୁରୁଷ ଥିଲେ ଫକିରମୋହନ ସେନାପତି। ତାଙ୍କର ଜନ୍ମ ଏକ ସମ୍ପନ୍ନ ପରିବାରରେ ହୋଇଥିଲା। ମାତ୍ର ତାଙ୍କର ଦୁର୍ଭାଗ୍ୟ ଯେତେବେଳେ ତାଙ୍କୁ ମାତ୍ର ବର୍ଷେ ସାତ ମାସ ସମୟ ହୋଇଥିଲା ସେତେବେଳେ ସେ ଅନାଥ ହୋଇପଡ଼ିଲେ। ବାଲ୍ୟକାଳରେ ଫକିରମୋହନ ଯେଉଁ ସମସ୍ୟା ଦେଇ ଗତି କରିଥିଲେ ତାହା ତାଙ୍କୁ କିଛି ନୂଆ ସୃଷ୍ଟି କରିବାର ପ୍ରବୃତ୍ତି ଆଣି ଦେଇଥିଲା’’, କହିଛନ୍ତି ବିଶିଷ୍ଟ ସାହିତ୍ୟକି ଦେବେନ୍ଦ୍ର କୁମାର ଦାସ।
‘‘ଫକିରମୋହନ ସେନାପତି ସାହିତ୍ୟ କ୍ଷେତ୍ରରେ ସବୁ ନୂତନ ବିଭାଗରେ ହାତ ଦେଇଛନ୍ତି ଏବଂ ସଫଳତାର ସହ ଲେଖନୀ ପରିଚାଳନା କରିଛନ୍ତି। ସେ ତାଙ୍କ ଲେଖାରେ ସାଧାରଣ ଲୋକଙ୍କୁ ଚରିତ୍ରକୁ ଚିତ୍ରଣ କରିଛନ୍ତି। ତାଙ୍କର ଉତ୍କଳ କୃଷକ କବିତା ଏକ ଚମତ୍କାର କବିତା’’, କହିଛନ୍ତି ବିଶିଷ୍ଟ ସାହିତ୍ୟିକ ବିଜୟ କୁମାର ନାୟକ।
‘‘ସାହିତ୍ୟ ଇତିହାସରେ ଜଣେ ଯୁଗସ୍ରଷ୍ଟା ସାରସ୍ୱତ ସାଧକ ଭାବେ ପରିଚିତ ଫକିରମୋହନ। ତାଙ୍କର ଜାତିପ୍ରୀତି ଅତ୍ୟନ୍ତ ବିରଳ ଓ ଅବିସ୍ମରଣୀୟ। ସେ ଥିଲେ ଜଣେ ମାନବପ୍ରେମୀ, ସମାଜ ସଚେତକ। ତାଙ୍କ ରଚିତ ଲେଖା ମାନ ହୋଇଛି କାଳସ୍ପର୍ଶୀ ଓ କାଳଜୟୀ। ତାଙ୍କ ରଚନା ସମଗ୍ର ଭାରତରେ ଏକ ଅନବଦ୍ୟ ସୃଷ୍ଟି’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ ସଚିଚବ ଶୁଚିସ୍ମିତା ମନ୍ତ୍ରୀ।
ଫକିରମୋହନ ସେନାପତି ନୀଳଗିରି, ଡମପଡ଼ା, ଢେଙ୍କାନାଳ, ଦଶପଲ୍ଲା ଭଳି ବିଭିନ୍ନ ସ୍ଥାନରେ ଦେୱାନ ଭାବେ କାମ କରିଥିଲେ। ଶେଷ ଜୀବନ ବାଲେଶ୍ୱରରେ ବିତାଇଥିଲେ ଫକିରମୋହନ। ବାଲେଶ୍ୱରରେ ୧୯୧୮ ଜୁନ୍ ୧୪ତାରିଖ ରଜ ସଂକ୍ରାନ୍ତିରେ ତାଙ୍କର ଦେହାନ୍ତ ହୋଇଥିଲା।