ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଟିକାକରଣ ନେଇ ବିଭନ୍ନ ହସ୍ପିଟାଲରୁ ଫିଡ୍ବ୍ୟାକ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କ୍ୟାପିଟାଲ ହସ୍ପିଟାଲରେ ପ୍ରଥମେ ଟିକା ନେଇଥିବା ସଫେଇ କର୍ମଚାରୀ ଓ ବ୍ରହ୍ମୁପର ସିଟି ହସ୍ପିଟାଲରେ ପ୍ରଥମେ ଟିକା ନେଇଥିବା ଡାକ୍ତରଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଛନ୍ତି ନବୀନ। ଏହି ଅବସରରେ ନବୀନ କୋଭିଡ ଯୋଦ୍ଧାଙ୍କ ପ୍ରଶଂସା ମଧ୍ୟ କରିଛନ୍ତି।
‘‘ଗତ ୧୦ ମାସ ହେଲା କୋଭିଡ ଯୋଦ୍ଧାମାନେ ସଂଗ୍ରାମ କରୁଛନ୍ତି। ସେମାନଙ୍କ ତ୍ୟାଗ ଓ କଠିନ ପରିଶ୍ରମ ଓଡ଼ିଶାବାସୀ କେବେ ଭୁଲିପାରିବେ ନାହିଁ’’, କହିଛନ୍ତି ନବୀନ।
ସେହିପରି ଟିକାକରଣରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହଯୋଗ ଲୋଡ଼ିବା ସହିତ ସମସ୍ତଙ୍କ ସୁସ୍ଥତା କାମନା କରିଛନ୍ତି ନବୀନ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକାକରଣ ଅଭିଯାନର ଶୁଭାରମ୍ଭ କରିବା ପରେ ରାଜ୍ୟରେ ଟିକା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର ୬ଟି ସ୍ଥାନ ସମେତ ୧୬୧ଟି କେନ୍ଦ୍ରରେ କରୋନା ଟିକା ପ୍ରଦାନ ଚାଲିଛି। ପ୍ରତି କେନ୍ଦ୍ରରେ ଦୈନିକ ୧୦୦ ଜଣଙ୍କୁ ଟିକା ଦିଆଯିବ।