ଓଡ଼ିଶାଲାଇଭ୍ ବ୍ୟୁରୋ

ଗାଁରେ କଳା ସଂସ୍କୃତିର ପ୍ରଚାର, ପ୍ରସାର ଓ ବିକାଶର ଆହ୍ୱାନ ଦେଇ ସାଂସ୍କୃତିକ ସଙ୍ଗଠନ ‘କଳାକ୍ଷେତ୍ର’ ପକ୍ଷରୁ ପାଳିତ ହୋଇଛି ‘ଗାଁ ଦିବସ ଅଭିଯାନ’। ରବିବାର ରାଜଧାନୀର ଏକ ହୋଟେଲରେ ଏହି ଅଭିଯାନର ଉଦଘାଟନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଯୋଜନା, ସମନ୍ୱୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଗାଁ ଦିବସ ଅଭିଯାନର ସଙ୍ଗୀତ ଭିଡିଓ, ପତ୍ରିକା ମଧ୍ୟ ଲୋକାର୍ପିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ‘କଳାକ୍ଷେତ୍ର’ ସଭାପତି ତଥା ପୂର୍ବତନ ସଂସ୍କୃତି ନିର୍ଦ୍ଦେଶକ ଅମରେନ୍ଦ୍ର ପଟ୍ଟନାୟକ ଓ ସଦସ୍ୟ ସମ୍ପାଦକ ବାସୁଦେବ ମାଳବିଶୋଇ ଉପସ୍ଥିତ ଥିଲେ।

‘‘ଆଜିଯାଏଁ କେଉଁଠି ଗାଁ ଦିବସ ପାଳନ ହେଉନଥିଲା। ପ୍ରଥମଥର ପାଇଁ ଢେଙ୍କାନାଳ ଜିଲ୍ଲାର ଏକ ସଂସ୍କୃତିସମ୍ପନ୍ନ ଗାଁରେ ଏହି ଦିବସର ଶୁଭାରମ୍ଭ ହେବାକୁ ଯାଉଛି। ଆସନ୍ତା ଫେବ୍ରୁଆରି ୨୭ ଓ ୨୮ ଦୁଇ ଦିନବ୍ୟାପୀ ଗାଁ ଦିବସ ପାଳନ ହେବ। ଯେଉଁଥିରେ କଳା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ଆଲୋଚନା ହେବ। ଉଭୟ ରାଜ୍ୟ ଓ ସ୍ଥାନୀୟ ଅଞ୍ଚଳର କଳାକାର, ସାହିତ୍ୟିକ ଓ ସାଂସ୍କୃତିକ ଦଳଙ୍କୁ ନେଇ ବହୁବିଧ କାର୍ଯ୍ୟକ୍ରମ ହେବ। ଗ୍ରାମାଞ୍ଚଳର ବିଶିଷ୍ଟ ପ୍ରତିଭାମାନଙ୍କୁ ‘କଳାକ୍ଷେତ୍ର ସମ୍ମାନ’ରେ ସମ୍ମାନିତ କରାଯିବ। ଦିବସ ପାଳନ ପରଠୁ ସେହି ଗାଁର ବିକାଶ ଧାରାରେ ବି ସାମିଲ ହେବ ‘କଳାକ୍ଷେତ୍ର’’, କହିଥିଲେ ବାସୁଦେବ ମାଳବିଶୋଇ।

କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଶାସକ ସୁଶୀଲ କୁମାର ଦାସ, ଶକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ସୁରଥ ଚନ୍ଦ୍ର ମଲ୍ଲିକ, ଜଳସମ୍ପଦ ବିଭାଗର ନି‌ର୍ଦ୍ଦେଶକ ରାଜେନ୍ଦ୍ର ପଟ୍ଟନାୟକ ଓ ଅଭିନେତା ଅଶ୍ରୁମୋଚନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

Comment