ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ସମଗ୍ର ଦେଶରେ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀ ପାଳନ କରାଯାଉଛି। ହେଲେ ଅନେକେ ଜାଣନ୍ତି ନାହିଁ ଯେ ୧୯୪୪ ମସିହାରେ ସେ ଏକ ଗୁପ୍ତ ମିଶନରେ ନେତାଜୀ ପୁରୀ ସହିତ ଜଡିତ ଥିଲେ। ଆଇଏନଏର ଜଣେ ଗୁପ୍ତ ସେବା ବିଭାଗ ଅଧିକାରୀ ଅମରିକ ସିଂହ ଗିଲ ଏ କଥା ତାଙ୍କ ସ୍ମୃତିରେ ଲେଖିଛନ୍ତି।
ସିଂହଙ୍କ କହିବା ଅନୁଯାୟୀ ,ନେତାଜୀ ସୁଭାଷ ବୋଷଙ୍କ ନିର୍ଦ୍ଦେଶ କ୍ରମେ ୧୯୪୪ ମସିହାରେ ସେମାନେ ପୁରୀ ଆସିଥିଲେ। ସେହି ବର୍ଷ ମାର୍ଚ୍ଚ ମାସରେ ଏକ ସଶସ୍ତ୍ର ବୁଡ଼ା ଜାହାଜ ଜାପାନର ପେନାଙ୍ଗ ବନ୍ଦରରୁ ୪ ଜଣ ଆଇଏନଏ ସିକ୍ରେଟ ସର୍ଭିସ ଅଫିସରଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିଲା। ସେମାନଙ୍କର ପୁରୀ ଉପକୂଳରେ ପହଞ୍ଚିବାର ଥିଲା।
ସେହି ବୁଡ଼ା ଜାହାଜରେ ପବିତ୍ର ମୋହନ ରାୟ(ଟିମ ଲିଡ଼ର), ସର୍ଦ୍ଦାର ମହିନ୍ଦର ସିଂହ (ବୋମା ବିଶେଷଜ୍ଞ), ତୁହିନ ମୁଖର୍ଜୀ (କୋଡିଙ୍ଗ ବିଶେଷଜ୍ଞ) ଓ ଅମରିକ ସିଂହ ଗିଲ (ରେଡ଼ିଓ ବିଶେଷଜ୍ଞ )ଥିଲେ।
ଜାପାନ ଛାଡ଼ିବା ପୂର୍ବରୁ ନେତାଜୀଙ୍କଠାରୁ ସେମାନେ ଏକ ବାର୍ତ୍ତା ପାଇଲେ। ସେହି ବାର୍ତ୍ତାରେ ନେତାଜୀ ସ୍ପଷ୍ଟ ଭାବରେ କହିଥିଲେ ତୁମେ ମାତ୍ର ଚାରି ଜଣ ହେଲେହେଁ ତୁମେ ଯେଉଁ ମିଶନ ନେଇ ଯାଉଛ ତାହା ସମଗ୍ର ବ୍ରିଟିଶ ଗୁପ୍ତ ସେବାକୁ ଧ୍ୱଂସ କରିଦେବ। କୋଲକାତାରେ ତୁମର ବେସ୍ ବା ଭିତ୍ତିଭୂମି ଯେକୌଣସି ପ୍ରକାରେ ସ୍ଥାପନ କରିବା ପାଇଁ ହେବ।
ଅମରିକ ସିଂହଙ୍କ କହିବା ଅନୁଯାୟୀ ବୁଡ଼ା ଜାହାଜଟି ପୁରୀରେ ପହଂଚିଲା ଓ ସେହି ଚାରି ଜଣଙ୍କୁ ଗୋଟିଏ ଯନ୍ତ୍ର ଚାଳିତ ଡଙ୍ଗାରେ ବସାଇ ନିଆଗଲା। ସନ୍ଧ୍ୟା ହେବା ପୂର୍ବରୁ ସେମାନେ କୋଣାର୍କ ମନ୍ଦିରରେ ପହଞ୍ଚିଥିଲେ। ଅଳ୍ପ କିଛି ସମୟ ମଧ୍ୟରେ, ସିଂହ ବୋମାଗୁଡ଼ିକୁ ମନ୍ଦିରର ଦକ୍ଷି ପଶ୍ଚିମ ପ୍ରାଚୀର ନିକଟରେ ପୋତି ପକାଇଥିଲେ। ସେଠାରୁ ସେମାନେ କିଛି ରେଡ଼ିଓ ପାର୍ଟ ନେଇ ପଳାଇଯାଇଲେ। ସାଥୀରେ ଏକ ପୁରୁଣା କାଳିଆ ଗ୍ରାମ୍ଫୋନ ରେକର୍ଡ଼ ବି ନେଇ ଯାଇଥିଲେ। କୋଲକାତା ମେଟ୍ରୋ ସିନେମା ପାଖରେ ରବିବାର ରାତି ଦଶଟା ପରେ ଗ୍ରାମଫୋନରୁ ଗୀତ ଶୁଣିବା ଏକ ପ୍ରକାର ସେମାନଙ୍କ ଅଭ୍ୟାସରେ ପଡିଯାଇଥିଲା ବୋଲି ସିଂହ କହିଛନ୍ତି।
ଦୁର୍ଭାଗ୍ୟକୁ, ଏହି ଚାରି ଜଣଙ୍କ ଭିତରୁ ଜଣେ ଏକ ବଡ଼ ଭୁଲ କରି ପକାଇଥିଲେ। ନେତାଜୀ ସୁଭାଷ ବୋଷଙ୍କ ନିର୍ଦ୍ଦେଶ ବିରୁଦ୍ଧରେ ତୁହିନ ମୁଖର୍ଜୀ ତାଙ୍କ ଶ୍ୱଶୁର ଘର ଯାଇ ସେମାନଙ୍କୁ ଭେଟିଥିଲେ। ମୁଖର୍ଜୀଙ୍କ ଶ୍ୱଶୁର ସଙ୍ଗେସଙ୍ଗେ କଲିକତା ପୋଲିସକୁ ଡାକି ମୁଖର୍ଜୀଙ୍କୁ ଧରାଇ ଦେଇଥିଲେ ଓ ମୁଖର୍ଜୀଙ୍କ ମୁଣ୍ଡ ଉପରେ ଯେଉଁ ୫ ହଜାର ଟଙ୍କା ପୁରସ୍କାର ଝୁଲୁଥିଲା ତାକୁ ସେ ପକେଟରେ ପକାଇ ନେଇଥିଲେ। ଘଟଣାକ୍ରମେ, ସମସ୍ତେ ଧରା ପଡ଼ିଥିଲେ ଓ ବ୍ରିଟିଶ ପୋଲିସ ଅଫିସରଙ୍କ ନିର୍ଯାତନା ସହି ନପାରି ରେଂଗୁନରେ ଥିବା ନେତାଜୀଙ୍କ ଗୁପ୍ତ ରେଡ଼ିଓ ସମ୍ପର୍କରେ ସବୁ ଖୋଲି ପକେଇ ଥିଲେ। ଏହା ପ୍ରସିଦ୍ଧ ‘କଲିକତା କନସ୍ପିରେସି କେସ’ ବୋଲି ସମସ୍ତେ ଜାଣନ୍ତି।
ପରିତାପର ବିଷୟ ଯେ, ପୂର୍ବ ଏସିଆରୁ ଆରମ୍ଭ କରି ଭାରତର ଉପକୂଳ ପର୍ଯ୍ୟନ୍ତ ନେତାଜୀଙ୍କ ଆଇଏନଏରେ ଯେଉଁମାନେ ଯୋଗ ଦେଇ ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନ ବଳି ଦେଇଥିଲେ ସେମାନଙ୍କ ବିଷୟରେ କେଉଁଠି କିଛି ଲିପିବଦ୍ଧ ହୋଇନାହିଁ।