ଓଡ଼ିଶାଲାଇଭ୍ ବ୍ୟୁରୋ
କୃଷି ଆଇନ ବିରୋଧରେ ଚାଷୀ ସଂଗଠନ ପକ୍ଷରୁ ଡକରା ଦିଆଯାଇଥିବା ଚକାଜାମ୍କୁ ଓଡ଼ିଶାରେ ଅଦ୍ଭୁତପୂର୍ବ ସମର୍ଥନ ମିଳିଛି। ରାଜ୍ୟର ବିଭିନ୍ନ ଚାଷୀ ସଂଗଠନ ଏବଂ ରାଜନୈତିକ ଦଳ ମାନେ ବିଭିନ୍ନ ଜାତୀୟ ରାଜପଥକୁ ଜାମ୍ କରି ଚକାଜାମ୍ ଡାକରାକୁ ସଫଳ କରିଛନ୍ତି। ଓଡ଼ିଶା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୨୨ଟି ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ କରାଯାଇଛି। ଏଥିସହ କେନ୍ଦ୍ର ସରକାରଙ୍କ ତିନୋଟି ବିବାଦୀୟ କୃଷି ଆଇନ ବିଷୟରେ ସର୍ବସାଧାରଣଙ୍କୁ ଅବଗତ ମଧ୍ୟ କରାଯାଇଥିଲା।
ଭୁବନେଶ୍ଵର
ଓଡ଼ିଶା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କଟକ-ଭୁବନେଶ୍ଵର ଜାତୀୟ ରାଜପଥର ହଂସପାଳ ଛକଠାରେ ରାସ୍ତାରୋକ କରାଯାଇଛି। ରାସ୍ତାରୋକ ଯୋଗୁଁ ଅଟକି ରହିଥିବା ଯାତ୍ରୀମାନେ ସ୍ଵେଚ୍ଛାକୃତ ଭାବେ ଆନ୍ଦୋଳନରେ ସାମିଲ ହେବାକୁ ଚାଷୀନେତାମାନେ ଆହ୍ଵାନ ଦେଇଥିଲେ। ସେହିପରି ଭାରତୀୟ କ୍ଷେତ ମଜଦୁର ୟୁନିଅନ ଏବଂ ଏଆଇଟିୟୁସି ପକ୍ଷରୁ ଭୁବନେଶ୍ଵରେ ଚକାଜାମ୍ କରାଯାଇଥିଲା। ଅଶୋକ ନଗରରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ୟୁନିଅନର କର୍ମୀମାନେ ପଦଯାତ୍ରା କରି ଚକାଜାମ୍କୁ ସମର୍ଥନ ଜଣାଇଥିଲେ।
କଟକ
କଟକରେ ମଧ୍ୟ ଆଜିର ଚକାଜାମ୍କୁ ସମର୍ଥନ କରାଯାଇଛି। ସଂଯୁକ୍ତ ଶ୍ରମିକ କୃଷକ ମୋର୍ଚ୍ଚା ପକ୍ଷରୁ ଲିଙ୍କରୋଡଠାରେ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାସ୍ତା ରୋକ କରାଯାଇ ଅଟକି ରହିଥିବା ସାଧାରଣ ଲୋକମାନଙ୍କୁ ୩ଟି କଳା କୃଷି ଆଇନ ସମ୍ଵନ୍ଧରେ ଅବଗତ କରାଯାଇଛି।ଜଗତସିଂହପୁର
ଜଗତସିଂହପୁର ଜିଲ୍ଲାରେ ନବନିର୍ମାଣ କୃଷକ ସଂଗଠନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ମିଳିତ ଆନୁକୁଲ୍ୟରେ ଆଜିର ଚକାଜାମ୍ ଡାକରାକୁ ସମର୍ଥନ କରାଯାଇଛି। ଦିନ ୧୨ଟା ରୁ ଅପରାହ୍ଣ ୩ଟା ଯାଏଁ ରାସ୍ତା ରୋକ କରାଯାଇଛି। ଜଗତସିଂହପୁର ଟାଉନ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ସହ ବିଭିନ୍ନ ବ୍ଲକରେ ରାସ୍ତା ଅବରୋଧ କରି ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିଥିଲେ।
ସମ୍ଵଲପୁର
ସମ୍ବଲପୁରରେ ପଶ୍ଚିମ ଓଡ଼ିଶା କୃଷକ ସମନ୍ଵୟ ସମିତି, ଜିଲ୍ଲା ଟ୍ରେଡ ୟୁନିଅନ ଏବଂ ବାମଦଳ ପକ୍ଷରୁ ସମ୍ଵଲପୁରରେ ରାଜପଥକୁ ଜାମ୍ କରାଯାଇଥିଲା। ତେବେ ରାସ୍ତାରୋକ ସମୟରେ ଆମ୍ଵୁଲାନ୍ସ ଚଳାଚଳରେ ଯେପରି କୌଣସି ଅସୁବଧା ନ ହୁଏ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇଥିଲା। ଦେଶବ୍ୟାପୀ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆଜି ରାସ୍ତାରୋକ ହେଉଥିବା ବେଳେ ସମ୍ଵଲପୁରରେ ମଧ୍ୟ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଚକାଜାମ୍ କରାଯାଇଥିଲା।କୋରାପୁଟ
କୋରାପୁଟ ଜିଲ୍ଲାରେ ମଧ୍ୟ ଚକାଜାମ୍ର ପ୍ରଭାବ ଦେଖାଦେଇଛି। ଜୟପୁର ସହରରେ କୃଷକ କଲ୍ୟାମ ମଞ୍ଚ ପଭରୁ ଜାତୀୟ ରାଜପଥରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଇଛି। ଶହ ଶହ ସଂଖ୍ୟାରେ ଚାଷୀ ଏବଂ ସାଧାରଣ ଲୋକମାନେ ରାସ୍ତା ରୋକ କରି ଆଜିର ଚକାଜାମ୍ ଡାକରାକୁ ସମର୍ଥନ ଜଣାଇଛନ୍ତି।
ଚକାଜାମ୍କୁ ନେଇ କ’ଣ କହୁଛନ୍ତି ସାଧାରାଣ ଲୋକେ?
କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନ ଏବଂ ଚାଷୀମାନଙ୍କୁ ଅନ୍ୟାନ୍ୟ କ୍ଷେତ୍ରରେ କେନ୍ଦ୍ର ସରକାର କରୁଥିବା ଅବହେଳାକୁ ନେଇ ଚାଷୀମାନେ ଆଜି ସାରା ଦେଶରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଚକାଜାମ୍ କରୁଛନ୍ତି। ଏହାକୁ ଓଡ଼ିଶାରେ ସମର୍ଥନ ମିଳଛି। ଓଡ଼ିଶାର ବିଭିନ୍ନ କୃଷି ସଂଗଠନ ଏବଂ ରାଜନୈତିକ ଦଳମାନେ ରାସ୍ତା ଅବରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ତେବେ ରାସ୍ତା ରୋକ ଯୋଗୁଁ ଅଟକି ରହିଥିବା ଯାତ୍ରୀମାନେ ଆଜିର ଆନ୍ଦୋଳନକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଇଛନ୍ତି। କେତେକ ଏହି ଚକାଜାମ୍ ଦ୍ଵାରା ସାଧାରାଣ ହଇରାଣ ହେଉଥିବା କହିଥିବା ବେଳେ ଅନେକ ଏହାକୁ ସମର୍ଥନ ମଧ୍ୟ କରିଛନ୍ତି। ଚାଷୀମାନେ ଆମ ଦେଶର ଅନ୍ନଦାତା ହୋଇଥିବାରୁ ସେମାନଙ୍କ ପାଇଁ କିଛି ସମୟ ହଇରାଣ ହେବାରେ କିଛି ଅସୁବିଧା ନାହିଁ ବୋଲି ଅନେକ ଯାତ୍ରୀମାନେ ଚକାଜାମ୍ ସମୟରେ ପ୍ରତିକ୍ରିୟା ଦେଇ କହିଛନ୍ତି।