ଓଡ଼ିଶାଲାଇଭ୍ ବ୍ୟୁରୋ
୧୯୯୯ମସିହାରେ ଘଟିଥିବା ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ ସୋମବାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଧରିବାରେ ସଫଳ ହୋଇଛି। ଦିୀର୍ଘ ୨୨ ବର୍ଷ ରେ ଅଭିଯୁକ୍ତକୁ ଧରିଥିବାରୁ ପୋଲିସ କମିସନରେଟକୁ ଧନ୍ୟବାଦ ଜଣାଇଛନ୍ତି ନିଜେ ପୀଡ଼ିତା ଅଞ୍ଜନା ମିଶ୍ର। ଏହାସହିତ ଅଭିଯୁକ୍ତକୁ ଫାଶୀ ଦିଆଯାଉ ବୋଲି ସେ ଦାବି କରିଛନ୍ତି।
‘‘ଘଟଣା ପରେ ମାରି ଦେବାକୁ ଚେଷ୍ଟା ହୋଇଥିଲା। ବାରମ୍ବାର ଧମକ ଦିଆଯାଉଥିଲା। ଗତ ୨୨ ବର୍ଷରେ ମତେ ବହୁତ ସଂଘର୍ଷ କରିବାକୁ ପଡ଼ିଛି। ମତେ ମୋ ଘରେ ବି ରଖେଇ ଦେଲେନି। ପ୍ରତିଦିନ ମୁଁ ମରି ମରି ବଞ୍ଚିଛି। କେବେ ଭାବିନଥିଲି ବିବନ ଧରାପଡ଼ିବ। ପୋଲିସ କମିସନରଙ୍କ ଯୋଗୁଁ ଏହା ସମ୍ଭବ ହୋଇଛି। ୨୨ ବର୍ଷ ହେଲା ଏ ଦିନକୁ ଅପେକ୍ଷା କରିଥିଲି। ଅଭିଯୁକ୍ତକୁ କଠୋର ଦଣ୍ଡ ମିଳିଲେ ମତେ ନ୍ୟାୟ ମିଳିବ’’, କହିଛନ୍ତି ଅଞ୍ଜନା ମିଶ୍ର।
‘‘ଆମ ଦେଶର ଆଇନ ବ୍ୟବସ୍ଥା ଯାହା, ଏଠି ନ୍ୟାୟ ମିଳିବାକୁ ବର୍ଷ ବର୍ଷ ଲାଗୁଛି। ତେଣୁ ଯେଉଁମାନେ ଦୁଷ୍କର୍ମର ଶିକାର ହେଉଛନ୍ତି ସେମାନେ ଭାଙ୍ଗି ନପଡ଼ି ନିଜ ଲଢ଼େଇ କରନ୍ତୁ’’, ଅନ୍ୟ ପୀଡ଼ିତାଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି ଅଞ୍ଜନା।
୧୯୯୯ରେ ଜାନୁଆରି ୯ ତାରିଖରେ ଏହି ଗଣଦୁଷ୍କର୍ମ ହୋଇଥିଲା। କଟକ ମହିଳା ଥାନାରେ ଜାନୁଆରି ୧୦ରେ ଏକ ମାମଲା ରୁଜୁ ହୋଇଥିଲା। ଏହାର ତଦନ୍ତ ଭାର ରାଜ୍ୟ କ୍ରାଇମ ବ୍ରାଞ୍ଚକୁ ଦିଆଯାଇଥିଲା। ଏଥିରେ ଦୁଇ ଅଭିଯୁକ୍ତ ଧୀରେନ୍ଦ୍ର ଓ ପ୍ରଦୀପଙ୍କୁ ଗିରଫ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ଧରା ନ ପଡ଼ିବାରୁ ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଥିଲେ ହାଇକୋର୍ଟ। ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାରେ ପୂର୍ବରୁ ଦୁଇ ଜଣ ଅଭିଯୁକ୍ତ ପ୍ରଦୀପ ସାହୁ ଓ ଧୀରେନ୍ଦ୍ର ମହାନ୍ତି ଗିରଫ ହୋଇଥିଲେ। ଜଣେ ଏବେ ବି ଜେଲରେ ଥିଲା ବେଳେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। କମିସନରେଟ ପୋଲିସ ଏହି ଘଟଣାର ପୁନର୍ବାର ଖୋଳତାଡ଼ କରି, ମୁଖ୍ୟ ଅଭିଯୁକ୍ତକୁ ପୁଣେରୁ ଗିରଫ କରିଛି ।