ଓଡ଼ିଶାଲାଇଭ୍ ବ୍ୟୁରୋ

ନବମ ଓଡ଼ିଶା ଏମଏସଏମଇ ବାଣିଜ୍ୟ ମେଳା ୨୦୨୧ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।

“ଏମଏସଏମଇ କ୍ଷେତ୍ରରେ ବିକାଶ ପାଇଁ ବାଣିଜ୍ୟ ମେଳା ଆୟୋଜନ ଏକ ଉଲ୍ଲେଖନୀୟ ପ୍ରୟାସ। ଭାରତୀୟ ଅର୍ଥନୈତିକ କ୍ଷେତ୍ରରେ ମୂଳ ଆଧାର ହେଉଛି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ। ତେଣୁ ଶ୍ରେଷ୍ଠ ଭାରତ ପାଇଁ ଭିଜନ୍‌, ମିଶନ୍‌ ଏବଂ ଆକ୍ସନ୍‌ର ଆବଶ୍ୟକତା ରହିଛି”, ନବମ ଓଡ଼ିଶା ଏମଏସଏମଇ ବାଣିଜ୍ୟ ମେଳାର ଉଦ୍‌ଯାପନୀ ସନ୍ଧ୍ୟାରେ ଏହା କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍।

ମାର୍ଚ୍ଚ ୫ ତାରିଖରୁ ଚାଲୁ ରହିଥିବା ଏମଏସଏମଇ ବାଣିଜ୍ୟ ମେଳା-୨୦୨୧ ମଙ୍ଗଳବାର ଶେଷ ହୋଇଛି। ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଥିବା ଏହି ବାଣିଜ୍ୟ ମେଳାର ଉଦ୍‌ଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, “ସଫଳ ଉଦ୍ୟୋଗ ପାଇଁ ପାରମ୍ପରିକ ଜ୍ଞାନ ସଂରକ୍ଷଣ, ଆଧୁନିକୀକରଣ, ବଜାର ସଂଯୋଗ, ଆର୍ଥିକ ଓ ବୈଷୟିକ ପ୍ରୋତ୍ସାହନ ଏବଂ ସର୍ବୋପରି ବ୍ରାଣ୍ଡିଂର ବିଶେଷତା ରହିଛି। ଏହି କ୍ଷେତ୍ରରେ ବ୍ୟାପକ କର୍ମସଂସ୍ଥାନ ଓ ନିଯୁକ୍ତିର ପ୍ରଚୁର ସୁଯୋଗ ରହିଛି ଯାହା ଭାରତର ଅର୍ଥନିତୀକୁ ନୂତନ ଦିଗ ଆଡ଼କୁ ନେଇପାରିବ।”ଓଡ଼ିଶାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ୨୦୧୩ ମସିହାରୁ ଓଡ଼ିଶା ସରକାର ପ୍ରତିବର୍ଷ ମାର୍ଚ୍ଚ ମାସର ୫ ତାରିଖରୁ ପାଞ୍ଚଦିନ ଧରି ବାଣିଜ୍ୟ ଆୟୋଜନ କରିଆସୁଛନ୍ତି। ଚଳିତ ବର୍ଷ ମଧ୍ୟ ମାର୍ଚ୍ଚ ୫ ତାରିଖରୁ ଭୁବନେଶ୍ଵରର ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଏହି ମେଳା ଆୟୋଜନ ହୋଇଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ କ୍ଷେତ୍ରର ଉଦ୍ୟୋଗୀମାନେ ଏହି ମେଳାରେ ସାମିଲ ହୋଇଥିଲେ। ପାଞ୍ଚଦିନ ଧରି ଚାଲିଥିବା ଏହି ମେଳାକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକମାନେ ବୁଲି ଦେଖିବା ସହ କିଣାବିକା କରିଥିଲେ।

ସେହିପରି ଉଦ୍ୟୋଗୀମାନେ କିପରି ନିଜ ଉଦ୍ୟୋଗକୁ ଆହୁରି ସଫଳ କରିପାରିବେ ସେ ନେଇ ଏମଏସଏମଇ ବିଭାଗ ପାଞ୍ଚଦିନରେ ବିଭିନ୍ନ ବିଷୟକୁ ନେଇ ଆଲୋଚନାଚକ୍ରମାନ ଆୟୋଜନ କରିଥିଲା। ସେହିପରି ପ୍ରତି ସନ୍ଧ୍ୟାରେ ବାଣିଜ୍ୟ ମେଳା ମଞ୍ଚରେ ଓଡ଼ିଶାର ବିଭିନ୍ନ କଳା ଏବଂ ସଂସ୍କୃତିକୁ ନେଇ ସାଂସ୍କୃତିକ କାର୍ଯ୍ୟାକ୍ରମମାନ ପରିବେଷଣ ହୋଇଥିଲା।

ମଙ୍ଗଳବାର ଏହି ମେଳାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ସମେତ ସମ୍ମାନୀତ ଅତିଥି ଭାବରେ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଅସିତ୍ କୁମାର ତ୍ରିପାଠୀ, ବିକାଶ ସଚିବ ପ୍ରଦୀପ କୁମାର ଜେନା, ଏମଏସଏମଇ ବିଭାଗ ମୁଖ୍ୟ ଶାସନ ସଚିବ ଡକ୍ଟର ସତ୍ୟବ୍ରତ ସାହୁ, ରାଜ୍ୟ ଶିଳ୍ପଦ୍ୟୋଗ ନିର୍ଦ୍ଦେଶକ ରେଘୁ ଜି. ପ୍ରମୁଖ ଯୋଗ ଦେଇଥିଲେ। ମେଳାରେ ଯୁବଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀ, ମିଶନ୍ ଶକ୍ତି, ସାମାଜିକ କ୍ଷେତ୍ରରୁ ଆସିଥିବା ସମସ୍ତଙ୍କ ମଧ୍ୟରେ ସବୁଠୁ ଭିନ୍ନ ଓ ନୂତନ ଭାବେ ଆରମ୍ଭ କରିଥିବା ଉଦ୍ୟୋଗୀମାନଙ୍କୁ ପୁରସ୍କୃତ କରି ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଉତ୍ସାହିତ କରିଥିଲେ। ସେମାନଙ୍କ ମଧ୍ୟରୁ ବିଶେଷ କରି ଅଣୁ ଶିଳ୍ପ, କ୍ଷୁଦ୍ର, ମଧ୍ୟମ ଓ ବୃହତ ଶିଳ୍ପ, ମିଶନ୍ ଶକ୍ତି, ମହିଳା ବର୍ଗ, ଏକ୍ସପର୍ଟ, ଉଦ୍ୟୋଗ ଓ ଜ୍ଞାନ କୈାଶଳ, ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗରେ ଉତ୍ତମ ପ୍ରଦର୍ଶନ କରିଥିବା ଉଦ୍ୟୋଗୀମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସ୍ୱତନ୍ତ୍ର ବିଭାଗରେ ନବରଙ୍ଗପୁରରୁ ଏସଚିଜି ସଦସ୍ୟା ନୀଳମଣି କାଠୀଙ୍କୁ ସମ୍ମାନୀତ କରାଯାଇଛି।

LEAVE A REPLY

Please enter your comment!
Please enter your name here