ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ହୀରାକୁଦ ଜଳଭଣ୍ଡାରରେ ପର୍ଯ୍ୟଟକମାନେ ଜଳକ୍ରୀଡ଼ାର ମଜା ନେଇପାରିବେ। ଏଥିପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବୁର୍ଲା ସ୍ଥିତ ହୀରାକୁଦ ଜଳଭଣ୍ଡାରରେ ସମସ୍ତ ସୁବିଧା ଆରମ୍ଭ କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ଓ ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଗୁରୁବାର ଏହାକୁ ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ମନ୍ତ୍ରୀ କହିଛନ୍ତି, “ହିରାକୁଦ ଡ୍ୟାମରେ ଏହି ଜଳକ୍ରୀଡ଼ା ସୁବିଧା ପର୍ଯ୍ୟଟକମାନଙ୍କୁ ଆହୁରି ଆକର୍ଷିତ କରିବ।”

ଭୁବନେଶ୍ୱରର ଅଖିଳ ଆଡଭେନ୍‌ଚର ପ୍ରାଇଭେଟ୍ ଲିମିଟେଡକୁ ଏହି ଜଳକ୍ରୀଡ଼ା ପରିଚାଳନା ଦାୟିତ୍ୱ ଦିଆଯାଇଛି। ଜେଟ୍ ସ୍କି, ୱାଟର ସ୍କୁଟର, ସ୍ପିଡ ବୋଟ୍‌, ବାନାନା ବୋଟ୍‌, ବମ୍ପର ବୋଟ୍‌, କାୟକ ବୋଟ୍‌, ଫ୍ୟାମିଲି ବୋଟ୍‌, ପ୍ୟାଡେଲ ବୋଟ୍ ଆଦି ଜଳକ୍ରୀଡ଼ା ସାମଗ୍ରୀ ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ରହିଛି। ଏଥିନିମନ୍ତେ ବୋଟ୍ କର୍ତ୍ତୁପକ୍ଷଙ୍କ ତରଫରୁ ସମୟ ନିର୍ଦ୍ଧାରଣ କରାଯାଇଛି। ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏଠାରେ ଜଳକ୍ରୀଡ଼ାର ମଜା ନେଇପାରିବେ ପର୍ଯ୍ୟଟକ।ଓଟିଡିସି ଅଧ୍ୟକ୍ଷା କହିଛନ୍ତି, “ରାଜ୍ୟ ସରକାର ପର୍ଯ୍ୟଟନର ବିକାଶ ଓ ପର୍ଯ୍ୟଟକଙ୍କୁ ଅଧିକମାତ୍ରାରେ ଆକର୍ଷିତ କରିବା ନେଇ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ସରକାରଙ୍କ ତରଫରୁ ସବସିଡି ମଧ୍ୟ ମିଳିଛି। ଏଦିଗରେ ଓଟିଡିସି ଯଥେଷ୍ଟ ଉଦ୍ୟମ କରୁଛି।”

ଓଡିଶା ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ହେମନ୍ତ ପ୍ରଧାନ କହିଛନ୍ତି, “ହିରାକୁଦ ଡ୍ୟାମର ସୌନ୍ଦର୍ଯ୍ୟ ଏହି ଅଞ୍ଚଳ ଏବଂ ପଡୋଶୀ ରାଜ୍ୟରୁ ହଜାର ହଜାର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଜଳକ୍ରୀଡା ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ।”

LEAVE A REPLY

Please enter your comment!
Please enter your name here